ଭୁବନେଶ୍ୱର,(ବି.ବି.ବୁ୍ୟରୋ): କମିଶନରେଟ୍ ପୁଲିସ୍ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଧାନ୍ତ ଅପରାଧୀ ଓ କୁଖ୍ୟାତ ନିଶା ବେପାରୀ ସନ୍ତୋଷ ପଣ୍ଡା ଏବେ ସ୍ପେଶାଲ ସ୍କ୍ୱାଡ୍ ପଞ୍ଝାରେ । ଖଣ୍ଡଗିରି ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ପୁଲିସ ମିଳିତ ଭାବେ ଚଢ଼ାଉ କରି ସୋମବାର ବିଳମ୍ବିତ ରାତିରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସନ୍ତୋଷର ଘର ପୁରୀ ଜିଲ୍ଲା ବଳଙ୍ଗା ଥାନା ବିଦ୍ୟାଧରପୁର ଗାଁରେ । ପୁଲିସ ତା’ନିକଟରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି । ଏହାର ଦାମ୍ ୨୦ ଲକ୍ଷ ଟଙ୍କା ହେବ । ଏହାବ୍ୟତୀତ ସନ୍ତୋଷ ଠାରୁ ପୁଲିସ ୨ଲକ୍ଷ ୧୪ ହଜାର ୩୬୦ ଟଙ୍କା, ୫ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି ।
ମିଳିଥିବା ସୂଚନା ମୁତାବକ, ସନ୍ତୋଷ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗର ଆଣି ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ପୁରୀର ବିଭିନ୍ନ ଖୁଚୁରା ବେପାରୀଙ୍କୁ ଯୋଗାଉଥିଲା । ୨୦୧୧ରେ ବେଲିଆ ମାଝି ଗ୍ୟାଙ୍ଗ୍ରେ ସାମିଲ ହୋଇଥିଲା ସନ୍ତୋଷ । ତା’ପରେ ଖୋର୍ଦ୍ଧା ଅଞ୍ଚଳରେ ବିଭିନ୍ନ ଡକାୟତି କରି ଆତଙ୍କ ଖେଳାଇଥିଲା । ବହୁ କଷ୍ଟରେ ଖୋର୍ଦ୍ଧା ପୁଲିସ୍ ସନ୍ତୋଷକୁ ଗିରଫ କରିଥିଲା । ହେଲେ ବେଲିଆ ଚକମା ଦେଇ ଫେରାର ହୋଇ ଯାଇଥିଲା । ଅଦାଲତ ସନ୍ତୋଷକୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ।
୨୦୧୪ରେ ସନ୍ତୋଷ ପାରୋଲରେ ଯାଇ ଫେରାର ହୋଇଗଲା । ତା’ପରେ ବେଲିଆ ସହ ପୁଣି ଯୋଡ଼ି ହୋଇଗଲା । ଉଭୟେ ମିଶି ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଆତଙ୍କ ଖେଳାଇଲେ । ଖୋର୍ଦ୍ଧା ଟାଙ୍ଗିରେ ଥିବା ଏସ୍ବିଆଇ ଗାଡ଼ିର ସୁରକ୍ଷାକର୍ମୀଙ୍କୁ ଗୁଳିକରି ଦୁହେଁ ୬୦ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିଭଳି ୨୦୧୮ ମସିହାରେ ଖୋର୍ଦ୍ଧା ପଲ୍ଲା ଛକରେ ଜଣଙ୍କୁ ଗୁଳି କରି ବେଲିଆ ଓ ସନ୍ତୋଷ ଫେରାର ହୋଇ ଯାଇଥିଲେ । ଏହା ପରେ ଖୋର୍ଦ୍ଧାର ତାପଙ୍ଗ ଅଞ୍ଚଳରେ ଥିବା ଖଣି ମାଫିଆଙ୍କ ସହ ଦୁହେଁ ମିଶି ଅପରାଧିକ ସାମ୍ରାଜ୍ୟ ବଢ଼ାଇ ବ୍ରାଉନସୁଗର ବ୍ୟବସାୟ କଲେ । ଖୋର୍ଦ୍ଧାରେ ଏସ୍ଟିଏଫ୍ ପଞ୍ଝା ମାରିବା ପରେ ଦୁହେଁ ଖୋର୍ଦ୍ଧା ଛାଡି ଭୁବନେଶ୍ୱର ଆସି ଡେରା ପକାଇଲେ । ୨ ଦିନ ତଳେ ବେଲିଆକୁ ଡିସିପି ଅନୁପ ସାହୁଙ୍କ ଟିମ୍ ଏନ୍କାଉଣ୍ଟର କରିଥିଲେ । ତା’ଠାରୁ ସନ୍ତୋଷ ବିଷୟରେ ଖବର ପାଇଥିଲା ସ୍ପେଶାଲ୍ ସ୍କ୍ୱାଡ୍ । ଉକ୍ତ ତଥ୍ୟକୁ ଆଧାର କରି ପୁଲିସ୍ ତାକୁ ଗିରଫ କରିଥିଲା ।
ସନ୍ତୋଷ ନାଁରେ କମିଶରେଟ୍ ପୁଲିସ୍ର ବିଭିନ୍ନ ଥାନାରେ ଲୁଟ୍, ଡକାୟତି, ଅପହରଣ ଓ ନିଶା ବ୍ୟବସାୟ ଭଳି ସଂଗୀନ ମାମଲା ରହିଛି ।
Comments are closed, but trackbacks and pingbacks are open.