ନୂଆଦିଲ୍ଲୀ: ଦୁର୍ନୀତି, ଚୋରା ଅସ୍ତ୍ରଶସ୍ତ୍ର କାରବାର, ବେଆଇନ ଖଣି ଖନନ, ବ୍ୟାଙ୍କ ଜାଲିଆତି ଏବଂ ଅନ୍ୟାନ୍ୟ ଅପରାଧିକ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଦେଶବ୍ୟାପୀ ମାରାଥନ୍ ଚଢ଼ଉ କରିଛି । ଓଡ଼ିଶା ସମେତ ୧୯ ରାଜ୍ୟର ମୋଟ ୧୧୦ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି । ଏ ନେଇ ସିବିଆଇ ମୋଟ ୩୦ଟି ପୃଥକ୍ ମାମଲା ଦାଏର କରିଥିବା ସୂଚନା ମିଳିଛି ।
ସିବିଆଇ ସୂତ୍ରରୁ ଜଣାପଡ଼ିଛି, ଓଡ଼ିଶାର ରାଉରକେଲା ସମେତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ଉ କରାଯାଇଛି । ଏହାସହ ଦିଲ୍ଲୀ, ମୁମ୍ବାଇ, ଭରତପୁର, ଚଣ୍ଡିଗଡ଼, ଜମ୍ମୁ, ଶ୍ରୀନଗର, ପୁନେ, ଜୟପୁର, ଗୋଆ, ରାୟପୁର, ହାଇଦ୍ରାବାଦ, ମଦୁରାଇ, କୋଲକାତା, ରାଞ୍ଚି, ବୋକାରୋ, ଲକ୍ଷେ୍ନø ଏବଂ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ବିହାରର ଆଉ କେତେକ ସ୍ଥାନରେ ସିବିଆଇ ଅଧିକାରୀମାନେ ଚଢ଼ଉ କରିଛନ୍ତି ।
ଚଳିତମାସ ୨ ତାରିଖରେ ମଧ୍ୟ ସିବିଆଇ ଓଡ଼ିଶା ସମେତ ୧୪ଟି ରାଜ୍ୟର ମୋଟ ୫୦ଟି ସ୍ଥାନରେ ଚଢ଼ଉ କରିଥିଲା । ୧୩ଟି କମ୍ପାନି ଏବଂ ବ୍ୟାଙ୍କ ଅଧିକାରୀଙ୍କ ଉପରେ ଏହି ଚଢ଼ଉ ହୋଇଥିଲା । ୧,୧୩୭ କୋଟି ଟଙ୍କା ଜାଲିଆତି ମାମଲାରେ ଏହି ଚଢ଼ଉ କରାଯାଇଥିଲା । ଏହାପରେ ଜୁଲାଇ ୬ରେ ବହିଷ୍କୃତ ଆୟକର ଆୟୁକ୍ତ ସଞ୍ଜୟ କୁମାର ଶ୍ରୀବାସ୍ତବଙ୍କ ନୋଏଡ଼ାସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ଚଢ଼ଉ ହୋଇଥିଲା । ଆଜି ପୁଣି ସିବିଆଇ ଅଧିକାରୀମାନେ ବଡ଼ଧରଣର ଚଢ଼ଉ କରି ବିଭିନ୍ନ କମ୍ପାନି ପୃଷ୍ଠପୋଷକ, ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ମାମଲା ଦାଏର କରିଛି ।
ସିବିଆଇ ସୂତ୍ର ମୁତାବକ ଜାଲିଆତି ଏବଂ ବେଆଇନ ଭାବେ ଅର୍ଥ ଉପାର୍ଜନ ଭଳି ସଙ୍ଗିନ ମାମଲାରେ ସଞ୍ଜୟ ଶ୍ରୀବାସ୍ତବଙ୍କ ବିରୋଧରେ ମାମଲା ହେବା ପରେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ସିବିଆଇ ହାତକୁ ଅନେକ ସନ୍ଦିଗ୍ଧ କାଗଜପତ୍ର ଆସିଥିଲା ।
ହୀରା ବେପାରୀ ନିରବ ମୋଦି ଓ ଗୀତାଞ୍ଜଳି ଗ୍ରୁପ୍ ମୁଖ୍ୟ ମେହୁଲ ଚୋକ୍ସିଙ୍କ ଦ୍ୱାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ରେ ୧୩,୫୦୦ କୋଟି ଟଙ୍କାର ଋଣ ଜାଲିଆତି କରାଯିବା ପରେ ସରକାର ଦେଶବ୍ୟାପୀ ବିଭିନ୍ନ ଦୁର୍ନୀତି ମାମଲା ଉପରେ ନଜର ରଖିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ବେଳେ ମଧ୍ୟ କେତେକ ଦୁର୍ନୀତି ମାମଲାରେ ଦେଶବ୍ୟାପୀ ଚଢ଼ଉ କରାଯାଇଥିଲା ।
Comments are closed, but trackbacks and pingbacks are open.