
ବ୍ରହ୍ମପୁର,(ବି.ବି.ନୁ୍ୟଜ): ଲକ୍ଡାଉନ୍ ଉଜାଡ଼ି ଦେଲା ସଂସାର । ସ୍ୱାମୀ ରୋଜଗାର ହରାଇବା ସହ ମାନସିକ ସ୍ତରରେ ଭାଙ୍ଗିପଡ଼ି କୁଆଡେ଼ ଚାଲିଗଲେ । ଆଜି ପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନାହିଁ । ଏପଟେ ଆମର ଦେଢ଼ ବର୍ଷର ଝିଅ । ମମତା ଆଗରେ ହାର ମାନିଲା ସମସ୍ତ ଦୁଃଖକଷ୍ଟ । ଝିଅର ଭବିଷ୍ୟତକୁ ନେଇ ମତେ ଅଣ୍ଟା ଭିଡ଼ିବାକୁ ପଡ଼ିଲା । ଛଣାଛଣି ବିକ୍ରି କରି ଯାହା ରୋଜଗାର ହେଉଛି ସେଥିରେ ଚଳୁଛି । ଏଭଳି ଶ୍ୱାସରୁଦ୍ଧ କଣ୍ଠରେ ଆଖି ଛଳ ଛଳ କରି ଦି ପଦ କଥା କହିଥିଲେ ସୁଷମା ସାହୁ ।
ପୁରୁଷୋତ୍ତମପୁର ଗ୍ରାମର ସୁଷମା । ସେହି ଗ୍ରାମର ଭଗବାନ ସାହୁଙ୍କୁ ୨୦୧୭ ମସିହାରେ ପ୍ରେମ ବିବାହ କରିଥିଲେ । ଭଗବାନ ଜମି କିଣାବିକାରେ ମଧ୍ୟସ୍ଥି ଭାବେ କାମ କରିବା ସହ ଭଲ ରୋଜଗାର ମଧ୍ୟ ରହିଥିଲା । ଉଭୟ ବ୍ରହ୍ମପୁର ଚାଲିଆସିଥିଲେ । ଗୁଡ୍ସେଡ୍ ରୋଡ୍ସ୍ଥିତ ତ୍ରିନାଥ ମନ୍ଦିର ରୋଡର ଏକ ଭଡ଼ାଘରେ ଏକ ବର୍ଷ ରହିଥିଲେ । ସେହି ସମୟରେ ରୋଜଗାରର କୌଣସି ଉପାୟ ନପାଇ ଟ୍ରେନ୍ରେ ଫେରୀ ବେପାର କରି ଚଳୁଥିଲେ । ୨୦୧୯ ମହିହାରେ ସେମାନଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ସବୁ ଠିକ୍ଠାକ୍ ଚାଲିଥିଲା । କୋଭିଡ୍ରେ ଦୋକାନ ବଜାର ବନ୍ଦ ହେବା ସହ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ହୋଇଗଲା । ସଞ୍ଚୟ କରିଥିବା ଟଙ୍କାରେ ୩ ଜଣ କିଛିଦିନ ଚଳିଲେ । ଟଙ୍କା ସରିଯିବା ପରେ ସୁଷମା ରହୁଥିବା ଘର ପାଖରେ କିଛି ଲୋକଙ୍କ ଘରେ ବାସନ ମାଜି ଦୁଇ ପଇସା ରୋଜଗାର କରି ପେଟ ପୋଷିବାକୁ ବାଧ୍ୟ ହେଲେ । ରୋଜଗାର ବନ୍ଦ ହୋଇଯିବା ପରେ ମାନସିକ ଭାବେ ଚିନ୍ତିତ ରହିଲେ ଭଗବାନ । ତେବେ ୫ ମାସ ହେବ ଭଗବାନଙ୍କ କୌଣସି ଖୋଜଖବର ନାହିଁ । ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବି କହି କୁଆଡେ଼ ଚାଲିଯାଇଛନ୍ତି । କିନ୍ତୁ ଘରୁ ବାହାରିବା ପରେ ଫୋନ୍ ବି ସୁଇଚ୍ ଅଫ୍ ହୋଇଯାଇଥିଲା ଭଗବାନଙ୍କର । ବାସନ ମାଜିବାରେ ମିଳୁଥିବା ଟଙ୍କା ଚଳିବାକୁ ଯଥେଷ୍ଟ ହେଲାନାହିଁ । ଏନେଇ ସୁଷମା ପେଟ ପୋଷିବା ପାଇଁ ଏମ୍କେସିଜି ପରିସର ରାସ୍ତାକଡରେ ବସି ଛଣାଛଣି ବିକ୍ରି କରୁଛନ୍ତି । ସେଥିରୁ ଯାହାକିଛି ରୋଜଗାର ହୁଏ ସେଥିରୁ ଚଳୁଛନ୍ତି । ବର୍ତ୍ତମାନ ଗଜପତି ନଗର ୩ୟ ଲାଇନ୍ରେ ଏକ ଭଡାଘରେ ସେ ରହୁଛନ୍ତି । ରାସନ୍କାର୍ଡ ଓ ରୋଜଗାରପନ୍ଥା ଯୋଗାଇଦେବା ସହ ରହିବା ପାଇଁ ଘର ଖଣ୍ଡିଏ ସାହାଯ୍ୟ ମିଳିଲେ ସେ ଓ ତାଙ୍କ ଝିଅ ଖୁସିରେ ବଞ୍ଚିପାରିବେ ବୋଲି ସେ କହିଛନ୍ତି ।


Comments are closed, but trackbacks and pingbacks are open.