
କୋରୁକୋଣ୍ଡା,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ଓର୍କେଲ ପୁଲିସ ୭୦ କିଲୋ ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ଗିରଫ ଅଭିଯୁକ୍ତ ହେଲେ ଚିତ୍ରକୋଣ୍ଡା ଥାନା ସାପଲୁର ଅଞ୍ଚଳର ସର୍ବରାମ ରାଓ(୩୨), ପରୀ ନାଗେଶ ରାଓ(୨୦), ସୋମା କୁଟୁମା(୩୦), ନାଗେଶ କସା(୨୬) । ଅନ୍ୟ ଦୁଇଜଣ ହେଲେ ଏମଭି-୧୨୩ ର ରଞ୍ଜନ ସରକାର(୩୨) ଓ ଏମଭି-୪୬ ର କାର୍ତ୍ତିକ ମଣ୍ଡଳ(୩୫) ।
ଓର୍କେଲ ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନିଦେ୍ର୍ଧଶରେ ପୁଲିସର ଏକ ଦଳ ଗତ ରବିବାର ରାତି ପ୍ରାୟ ସାଢେ ୧୨ ଟାରେ କୋରୁକୋଣ୍ଡା ବ୍ଲକ ସରୁଲୋକୋଣ୍ଡା-ବେଜିଙ୍ଗଗୁଡା ରାସ୍ତାର ଏମଭି-୧୨୦ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଏସଆଇ ମିଲନ ମଜୁମଦାର ଏହାର ନେତୃତ୍ୱ ନେଇଥିଲେ । ଏହି ସମୟରେ ମୁଖ୍ୟ ରାସ୍ତାର ସିନ୍ଧିଘାଟା ଗାଁ ନିକଟରେ ୬ ଜଣ ବ୍ୟକ୍ତି ବସ୍ତାରେ କିଛି ସାମଗ୍ରୀ ଧରି ଗାଡିକୁ ଅପେକ୍ଷା କରି ଛିଡା ହୋଇଥିଲେ । ପୁଲିସ ଗାଡିକୁ ଦେଖି ଏମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେବାକୁ ଉଦ୍ୟମ କରିଥିଲେ । ପୁଲିସ ଗୋଡାଇ ୫ ଜଣଙ୍କୁ ଗିରଫ କରିଥିଲେ । ପରେ ଅନ୍ୟ ଜଣଙ୍କୁ କୋରୁକୋଣ୍ଡା ନିକଟରୁ ଗିରଫ କରାଯାଇଥିଲା । ଚିତ୍ରକୋଣ୍ଡାରୁ ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ବୋଲି ତଦନ୍ତକାରୀ ଅଧିକାରୀ କୃଷ୍ଣ ସାହା କହିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।


Comments are closed, but trackbacks and pingbacks are open.