ମଥୁରା: ବଜାରରୁ ସାମଗ୍ରୀ କିଣିବା ବେଳେ ଦୋକାନୀଙ୍କୁ ପଲିଥିନ୍ ବ୍ୟାଗ୍ ମାଗନାହିଁ । ଦେଶର ସଚେତନ ନାଗରିକ ଭାବେ ଏହି ଅଭ୍ୟାସ ପରିହାର କର । ବଜାରକୁ ଯିବା ସମୟରେ ଘରୁ ବ୍ୟାଗ୍ ଧରି ଯାଅ । ପ୍ଲାଷ୍ଟିକ୍ ନିରୋଧୀ ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶବାସୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି ।
ଉତ୍ତର ପ୍ରଦେଶରୁ ଅଭିଯାନ ଆରମ୍ଭ କରି ମୋଦି କହିଛନ୍ତି, ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ (ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍) ପରିବେଶ ଉପରେ କି ପ୍ରକାର ପକାଏ, ତାହା ସମସ୍ତଙ୍କୁ ଜଣା । ତଥାପି ଆମ୍ଭେମାନେ ନିଜ ପୁରୁଣା ଅଭ୍ୟାସ ଛାଡ଼ିପାରୁ ନାହୁଁ । ଅନ୍ତତଃ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆମେ ନିଜର ଏହି ଅଭ୍ୟାସକୁ ପରିତ୍ୟାଗ କରିବା ଉଚିତ ।

ଦେଶର ସଚେତନ ନାଗରିକ ଭାବେ ଆମ ସମସ୍ତଙ୍କୁ ଏହି ଗୁରୁ ଦାୟିତ୍ୱ ହାତକୁ ନେବାକୁ ପଡ଼ିବ । କୌଣସି କ୍ଷେତ୍ରରେ ‘ଥରେ ବ୍ୟବହୃତ ପ୍ଲାଷ୍ଟିକ୍’ର ଯେମିତି ଚିହ୍ନବର୍ଣ୍ଣ ନ ରୁହେ, ସେଥିପାଇଁ କାର୍ଯ୍ୟ କରିବାକୁ ହେବ । ଘର ହେଉ ଅବା ଅଫିସ୍ ଅଥବା କାର୍ଯ୍ୟସ୍ଥଳୀରେ ଏହାକୁ ସମ୍ପୂର୍ଣ୍ଣ ବାରଣ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ଆସନ୍ତା ଅକ୍ଟୋବର ୨ ଅର୍ଥାତ୍ ଗାନ୍ଧୀ ଜୟନ୍ତୀ ସୁଦ୍ଧା ଯେମିତି କୌଣସିଠାରେ ଏହି ପ୍ଲାଷ୍ଟିକ୍ ଦେଖିବାକୁ ନ ମିଳେ, ସେଥିପାଇଁ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ ।
ଦେଶବାସୀଙ୍କୁ ଏହି ଆହ୍ୱାନ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶର ମଥୁରାରେ କିଛି ଅଳିଆ ସଂଗ୍ରହକାରୀ ମହିଳାଙ୍କୁ ଭେଟିଥିଲେ । ମହିଳାମାନେ ଅଳିଆରୁ ପ୍ଲାଷ୍ଟିକ୍ ଅଲଗା କରୁଥିଲେ । ମୋଦି କୌଣସି ସଂକୋଚ ନ କରି ସେମାନଙ୍କ ପାଖରେ ବସିଥିଲେ ଏବଂ ଅଳିଆରୁ ପ୍ଲାଷ୍ଟିକ୍ ବାହାର କରିବାରେ ସେମାନଙ୍କୁ ସହାୟତା କରିଥିଲେ । ମହିଳାଙ୍କ ଏହି କାର୍ଯ୍ୟକୁ ମୋଦି ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ଦର୍ଶାଇଥିଲେ । ପରିବେଶ ସୁରକ୍ଷା ପାଇଁ ମହିଳାଙ୍କ ଏହି କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଥିଲେ । ଏହି ଅବସରରେ ମୋଦିଙ୍କ ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମଥୁରା ସାଂସଦ ହେମା ମାଳିନୀ ଉପସ୍ଥିତ ଥିଲେ ।
ସୂଚନାଥାଉ କି, ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍କୁ ସମ୍ପୂର୍ଣ୍ଣ ନିଷେଧ ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ସମ୍ଭବତଃ ଗାନ୍ଧୀ ଜୟନ୍ତୀରେ ସରକାର ଏ ନେଇ ବଡ଼ ଘୋଷଣା କରିପାରନ୍ତି । କିନ୍ତୁ ସରକାରଙ୍କ ଏହି ସମ୍ଭାବ୍ୟ ଘୋଷଣା ଦ୍ୱାରା ବିଭିନ୍ନ ଶିଳ୍ପ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ବିଶେଷକରି ପ୍ୟାକେଜିଙ୍ଗ୍ ଶିଳ୍ପ ଓ ଏହା ସହ ଯୋଡ଼ି ହୋଇଥିବା ଅନ୍ୟ ସବୁ ସଂସ୍ଥାଙ୍କୁ ଏହା ନିରାଶ କରିପାରେ । ତା’ଛଡ଼ା ସିଙ୍ଗଲ୍-ୟୁଜ୍ (ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍) ପ୍ଲାଷ୍ଟିକ୍ର ସଂଜ୍ଞାକୁ ନେଇ ଅନେକ ଲୋକ ସଚେତନ ନଥିବାରୁ କାହାକୁ ବ୍ୟବହାର କରିବେ ଏବଂ କାହାକୁ ପରିତ୍ୟାଗ କରିବେ, ସେ ନେଇ ସମସ୍ୟା ରହିଛି ।
Comments are closed, but trackbacks and pingbacks are open.