ଦେଶର ପ୍ରଥମ ଦୂରଗାମୀ ସିଏନ୍ଜି ବସ୍ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୂରଗାମୀ ସିଏନ୍ଜି ବସ୍ ଚଳାଚଳ ସ୍ୱଚ୍ଛ ଇନ୍ଧନ ଦିଗରେ ଏକ ବଡ଼ ପଦକ୍ଷେପ । ଦେଶରେ ପ୍ରଥମଥର ପାଇଁ ଦୂରଗାମୀ ସିଏନ୍ଜି ବସ୍ର ଶୁଭାରମ୍ଭ କରି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି, ଏହି ଦୂରଗାମୀ ବସ୍ରେ ଖଞ୍ଜାଯାଇଥିବା ଅଧିକ କ୍ଷମତା ବିଶିଷ୍ଟ ସିଏନ୍ଜି ସିଲିଣ୍ଡରକୁ ଆଇଜିଏଲ୍ ସହଯୋଗରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ତିଆରି କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ । ଏହି ସିଲିଣ୍ଡରରେ ଥରେ ସିଏନ୍ଜି ଭରିଲେ ବସ୍ ୧ହଜାର କିଲୋମିଟର ପର୍ଯ୍ୟନ୍ତ ଯାତାୟାତ କରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ୍ ଯାଏ ଏଭଳି ୫ଟି ବସ୍ ଚଳାଚଳ କରିବ । ଖୁବ୍ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ଼ ଓ ଆଗ୍ରାକୁ ମଧ୍ୟ ଏହି ଯାତାୟାତ କରିବ ।ସେ କହିଛନ୍ତି, ସିଏନ୍ଜି ଗ୍ୟାସ୍ ଶସ୍ତା, ପରିବେଶ ଅନୁକୂଳ ଓ ଅନ୍ୟ ଇନ୍ଧନ ତୁଳନାରେ ଭଲ । ଏହି ଦୂରଗାମୀ ବସ୍ ଚଳାଚଳକୁ ବାସ୍ତବ ରୂପ ଦେଇ ଆଗାମୀ ପିଢ଼ିକୁ ଏକ ଉତ୍ତମ ଭିତ୍ତିଭୂମି ଓ ଜୀବନଶୈଳୀ ପ୍ରଦାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି ।
ଭାରତ ଏକ ସ୍ଥିର ମୂଲ୍ୟ ଆଧାରିତ ବଜାର । ଏଣୁ ଦେଶରେ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ପୂର୍ବରୁ ସରକାର ସିଏନ୍ଜି ଓ ପିଏନ୍ଜି ଉପରେ ଗୁରୁତ୍ୱ ଦେଉ ନ ଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ପିଏନ୍ଜି ଓ ସିଏନ୍ଜି ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି । ଏବେ ଗ୍ୟାସ୍ର ଦାମ କମିଥିଲେ ମଧ୍ୟ ଆଇଜିଏଲ୍ ବାଣିଜି୍ୟକ ଲାଭ କରିଛି ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ।
ଦେଶକୁ ଗ୍ୟାସ୍ ଆଧାରିତ ଅର୍ଥନୀତିରେ ପରିଣତ କରିବାକୁ ଉଦ୍ୟମ ଜାରି ରହିଛି । ଦେଶର ଉର୍ଜ୍ଜା ଭିତ୍ତିଭୂମି ବିକାଶ ପାଇଁ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯାଉଛି । ପୂର୍ବରୁ ୧୯୯୮ରୁ ୨୦୧୪ ମଧ୍ୟରେ ଦେଶରେ ୩୪୦ ସିଏନ୍ଜି ଷ୍ଟେସନ ଥିଲା । ଗତ ୫ ବର୍ଷରେ ୧୭୫ଟି ନୂଆ ସିଏନ୍ଜି ଷ୍ଟେସନ ଖୋଲାଯାଇଛି । ସେହିପରି ଏ ଅବଧିରେ ପିଏନ୍ଜି ସଂଯୋଗ ୫ ଲକ୍ଷରୁ ବଢ଼ି ୧୨ ଲକ୍ଷ ହୋଇଛି । ଦେଶର ୪୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ (ସିଜିଡି) ନେଟ୍ୱର୍କ ବିଛାଯାଉଛି । ଶ୍ରୀ ପ୍ରଧାନ କହିଛନ୍ତି, ସିଏନ୍ଜି ବସ୍ ଆରମ୍ଭ ହେବା ନୂଆ କଥା ନୁହେଁ, ବରଂ ଲମ୍ବା ଯାତ୍ରା କରୁଥିବା ବସ୍ ଆରମ୍ଭର ନୂଆ ଅଧ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ଯଦିଓ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତର ପ୍ରଦୂଷଣ ମାତ୍ରା କମ୍ ରହିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି କାରଣରୁ ଅଙ୍ଗାରକାମ୍ଳ ହ୍ରାସ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଦୂଷଣରୁ ରକ୍ଷା ପାଇଁ ରାଜଧାନୀ ଦିଲ୍ଲୀରେ ସବୁ ପ୍ରକାର ଇନ୍ଧନକୁ ଅଧିକ ସ୍ୱଚ୍ଛ କରାଯିବା ନେଇ ଉଦ୍ୟମ ଚାଲିଛି । ଡିଟିସି ଓ ଆଇଓସିର ମିଳିତ ଉଦ୍ୟମରେ ସିଏନ୍ଜି ଓ ହାଇଡ୍ରୋକାର୍ବନକୁ ମିଶ୍ରଣ କରି ବିଶୁଦ୍ଧରୁ ବିଶୁଦ୍ଧ ଇନ୍ଧନ ତିଆରି କରାଯିବ ଓ ଆଗାମୀ ୨ ମାସ ମଧ୍ୟରେ ଦିଲ୍ଲୀରେ ଏହାର ବ୍ୟବହାର ଆରମ୍ଭ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons