ଜୟପୁର: ସହର ଉପକଣ୍ଠ ତେଲିଗୁଡ଼ାର ଜଣେ ବ୍ୟବସାୟୀଙ୍କ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି । ଦୁର୍ବୃତ୍ତମାନେ ଦୋକାନ ତାଲା ଭାଙ୍ଗି ମୋବାଇଲ୍ ଫୋନ୍ ସହ ବିଭିନ୍ନ ରୋଷେଇ ସାମଗ୍ରୀ ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଦୋକାନ ମାଲିକ ଦେବାଶିଷ ଭଞ୍ଜଦେଓ । ଚୋରି ସାମଗ୍ରୀର ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ ବୋଲି ଦାବି କରିଛନ୍ତି । ସଦର ପୁଲିସ ଏବଂ ଡଗ୍ସ୍କ୍ୱାଡ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛନ୍ତି । ସିସି କ୍ୟାମେରାରେ ଚୋରି ବେଳର ଦୃଶ୍ୟ କଏଦ ହୋଇଥିବା ଜଣାପଡ଼ିଛି । ଯାଞ୍ଚ ବେଳେ କିଛି ତଥ୍ୟ ହସ୍ତଗତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।
ଶ୍ରୀ ଭଞ୍ଜଦେଓଙ୍କ ସୂଚନା ଅନୁଯାୟୀ, ଗତ ୨୦ ତାରିଖ ରାତିିରେ ବ୍ୟବସାୟ ପରେ ସେ ଦୋକାନରେ ତାଲା ଦେଇଥିଲେ । ଆଜି ସକାଳେ ଉଠି ଦେଖିବା ବେଳକୁ ଦୋକାନର ୨ଟି ତାଲା ଭାଙ୍ଗି ତଳେ ପଡ଼ିଥିଲା । ଦୋକାନ ସାମଗ୍ରୀ ଏଣେତେଣେ ଫିଙ୍ଗି ହୋଇ ପଡ଼ିଥିଲା । ଭିତରେ ଥିବା ପ୍ରାୟ ୩୦ଟି ନୂଆ ମୋବାଇଲ ଫୋନ୍, ମରାମତି ହେବାକୁ ଆସିଥିବା ଅନ୍ୟ ୨୦ଟି ମୋବାଇଲ୍, ନାମିଦାମୀ ବ୍ରାଣ୍ଡର ୫୦ ହଜାରରୁ ଅଧିକ ଟଙ୍କାର ଚକୋଲେଟ, ରୋଷେଇ ସାମଗ୍ରୀ ଏବଂ ନଗଦ ୨୦ ହଜାରରୁ ଅଧିକ ଟଙ୍କା ଚୋରି ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଘରେ ଲାଗିଥିବା ସିସିଟିଭି ଯାଞ୍ଚ ବେଳେ ରାତି ସାଢେ ୨ଟା ପରେ ଏଭଳି କାଣ୍ଡ ହୋଇଥିଲା । ଚୋରିରେ ୮ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସଦର ଥାନାକୁ ଅବଗତ କରାଯାଇଥିଲା । ଖବର ପାଇ ଏସ୍ଆଇ ଶଙ୍କର ପଣ୍ଡା, ପ୍ରଶାନ୍ତ କୁମାର ମହାନ୍ତି, ଏଏସ୍ଆଇ ସୁରେନ୍ଦ୍ରକୁମାର ସାମଲ ଏବଂ ଅନ୍ୟ କର୍ମଚାରୀ ପହଞ୍ଚିଥିଲେ । କୋରାପୁଟରୁ ଡଗ୍ସ୍କ୍ୱାଡ କର୍ମଚାରୀ ପହଞ୍ଚି ନମୁନା ଯାଞ୍ଚ କରିଥିଲେ । ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ଚୋରି ହୋଇଥିବା ସ୍ଥାନର ଦକ୍ଷିଣ ପୂର୍ବ ଦିଗକୁ ସନ୍ଧାନୀ କୁକୁର କର୍ମଚାରୀମାନଙ୍କୁ ଟାଣି ନେଉଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.