
ମୟୂରଭଞ୍ଜ,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଂଚଳ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତା କଡରୁ ବୁଧବାର ସକାଳୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଉଭୟ ପୁଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଥିଲେ ମଧ୍ୟ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତେବେ ଘାଟି ମଧ୍ୟରେ ଏପରି ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିବା ପ୍ରଥମ ଘଟଣା ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ହତ୍ୟାକାରୀଙ୍କୁ ଶୀଘ୍ର ଧରାଯାଉ ବୋଲି ଦାବି ହେଉଛି ।
ପ୍ରାପ୍ତ ସୂଚନା ମୁତାବକ, ଘାଟି ରାସ୍ତାର ମା’ ଦ୍ୱାରଶୁଣି ପୀଠ ଠାରୁ ଅନତୀ ଦୂରରେ ଥିବା ସୁରକ୍ଷା ପାଚେରି ଉପରେ ବୁଧବାର ସକାଳେ ଏକ ଓଢ଼ଣୀ ପଡିଥିବା ଦେଖି ସେହିବାଟେ ଯାଉଥିବା କିଛି ସ୍ଥାନୀୟ ଲୋକଙ୍କ ସନେ୍ଦହ ହୋଇଥିଲା । ପାଖକୁ ଗଲାରୁ ସୁରକ୍ଷା ପାଚେରି ତଳେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତ ଶରୀର ପଡିଥିବା ଦେଖି ପୀଠ ନିକଟରେ ଅନ୍ୟ ମାନଙ୍କୁ ଜଣାଇଥିଲେ । ସେମାନଙ୍କ ଠାରୁ ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ, ଏଏସଆଇ ଅଶୋକ ଦାସଙ୍କ ସହ ପୁଲିସ ଟିମ୍ ପହଂଚି ଗୋଲାପି ଏବଂ ଧଳା ରଙ୍ଗର ସାଲୱାର ପିନ୍ଧା ଜଣେ ମହିଳାଙ୍କ ଶବ ପଡିଥିବାର ଦେଖିବାକୁ ପାଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପରେ ବାରିପଦା ଏସଡିପିଓ କେକେ ହରିପ୍ରସାଦ ଏବଂ ଜିଲ୍ଲା ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ପାରିପାର୍ଶୀକ ଅବସ୍ଥାରୁ ଅନ୍ୟ ସ୍ଥାନରୁ ମହିଳା ଜଣକୁ କେହି ଦୁର୍ବୃତ୍ତ ହତ୍ୟା କରି ସେଠାରେ ଫିଙ୍ଗି ଦେଇ ପଳାଇଥିବା ଅନୁମାନ କରାଯାଇଛି । ଏନେଇ ବାଙ୍ଗିରିପୋଷି ଥାନାରେ ୪୪/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମହିଳା ଜଣକ ସୁନାର ଗହଣା ପିନ୍ଧି ଥିବାରୁ ସଂଭ୍ରାନ୍ତ ଘରର ହୋଇ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଶେଷ ଖବର ସୁଦ୍ଧା ପ୍ରାଥମିକ ତଦନ୍ତ ପରେ ପୁଲିସକୁ ମହିଳାଙ୍କ ପରିଚୟ ମିଳି ପାରି ନଥିବା ବେଳେ ହତ୍ୟାକାଣ୍ଡର କୌଣସୀ ସୁରାକ ମଧ୍ୟ ମିଳି ପାରିନାହିଁ । ଅନ୍ୟପକ୍ଷେ କରଂଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ନିକଟରେ ରାସ୍ତା କଡରୁ ଜଣେ ୭/୮ ବର୍ଷର ନାବାଳିକାକୁ ସକାଳୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଛି । ଫଳରେ ଉକ୍ତ ମୃତ ମହିଳା ଏବଂ ନାବାଳିକା ମଧ୍ୟରେ କୌଣସୀ ସମ୍ପର୍କ ଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।


Comments are closed, but trackbacks and pingbacks are open.