ଦ୍ୱିତୀୟ ସ୍ତ୍ରୀକୁ ଖଣ୍ଡାରେ ହାଣି ହତ୍ୟା

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): ପାରିବାରିକ କଳହକୁ କେନ୍ଦ୍ରକରି ମଦ୍ୟପ ସ୍ୱାମୀ ଖଣ୍ଡାରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି କୋଲାବନଗର ଫାଣ୍ଡିର ଦଉଡ଼ାପଦର ଗାଁରେ । ମୃତ ମହିଳାଙ୍କ ନାଁ ପାର୍ବତୀ ଟାକ୍ରି(୨୨) । ଏହି ହତ୍ୟା ଘଟଣାରେ ପୁଲିସ ସ୍ୱାମୀ କାର୍ତ୍ତିକ ଟାକ୍ରିଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି । ଏ ସଂପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି ସମର୍ପିତା ସ୍ୱାଇଁ କହିଛନ୍ତି ।
ଫାଣ୍ଡି ଅଧିକାରୀ ଅର୍ଜୁନ ବାଙ୍କା ପ୍ରାଥମିକ ତଦନ୍ତ କରି କହିଛନ୍ତି, କାର୍ତ୍ତିକ ଦୁଇଟି ବିବାହ କରିଥିଲେ । କୋଳାବନଗର ନିକଟ କେନ୍ଦୁଗୁଡ଼ାର ଧନ ଖରାଙ୍କ ଝିଅ ପାର୍ବତୀଙ୍କୁ ୨ ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ । ଏହା ପୂର୍ବରୁ ୧୨ ବର୍ଷ ତଳେ କୋଲାବନଗର ନିକଟ ଚନ୍ଦ୍ରମଣ୍ଡଳ ଗାଁର ଭକ୍ତ ପାଙ୍ଗିଙ୍କ ଝିଅ କରୁଣାଙ୍କୁ ପ୍ରଥମେ ବିବାହ କରିଥିଲେ । କରୁଣାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପାର୍ବତୀଙ୍କର ମଧ୍ୟ ଗୋଟିଏ ୪ ମାସର ପୁଅ ରହିଛି । କାର୍ତ୍ତିକ ସବୁବେଳେ ରାତିରେ ମଦ ପିଇ ଘରେ ପାଟିତୁଣ୍ଡ କରି ଆସୁଥିଲେ । ଗଣ୍ଡଗୋଳ ଯୋଗୁ ପ୍ରଥମ ପତ୍ନୀ ଦୁଇ ଛୁଆଙ୍କୁ ନେଇ ରବିବାର ସକାଳେ ତାଙ୍କ ବାପଘର ଚନ୍ଦ୍ରମଣ୍ଡଳକୁ ପଳାଇଥିଲେ । ସେହିଦିନ ରାତିରେ ମଦ୍ୟପାନକରି କାର୍ତ୍ତିକ ଘରକୁ ଆସିଥିଲେ । ଖାଇବା ପରେ ସ୍ୱାମୀ-ସ୍ତ୍ରୀ ଶୋଇବାକୁ ଯାଇଥିଲେ । ପାର୍ବତୀଙ୍କ କୋଳରେ ୪ମାସର ଶିଶୁପୁତ୍ର ମଧ୍ୟ ଶୋଇଥିଲା । ରାତିରେ ପୁଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଘରେ ଥିବା ଏକ ଖଣ୍ଡାରେ କାର୍ତ୍ତିକ ପାର୍ବତୀଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ପାର୍ବତୀଙ୍କ ମୃତୁ୍ୟ ହୋଇଥିଲା । ଖବରପାଇ ତାଙ୍କ ବାପଘର ଗ୍ରାମବାସୀ ଦଉଡ଼ାପଦର ଆସିଥିଲେ । ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମବାସୀ ଖବର ଦେବା ପରେ ସଦର ଥାନା ଆଇଆଇସି ସମର୍ପିତା ସ୍ୱାଇଁ, କୋଲାବନଗର ଫାଣ୍ଡି ଅଧିକାରୀ ଅର୍ଜୁନ ବାଙ୍କା ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରାଯାଇଥିଲା । ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରାଯାଇଛି । ମହିଳାଙ୍କ ହତ୍ୟାଘଟଣା ପଛରେ ଆଉ କଣ ରହସ୍ୟ ଅଛି ନା ନାହିଁ, ସେନେଇ ଅଧିକ ତଦନ୍ତ ଚାଲିଥିବା ଆଇଆଇସି ଶ୍ରୀମତୀ ସ୍ୱାଇଁ କହିଛନ୍ତି । କାର୍ତ୍ତିକଙ୍କ ମା’ଙ୍କ ପାଖରେ ମୃତ ପାର୍ବତୀଙ୍କ ୪ ମାସର ଶିଶୁପୁତ୍ର ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons