କପିଲାଭଟା,(ବି.ବି.ନୁ୍ୟଜ୍): ଧନୁଯାତ୍ରା ପାଲଟିଲା ଶେଷଯାତ୍ରା । ଧନୁଯାତ୍ରା ଦେଖିବାକୁ ୩ ଜଣ କିଶୋର ସାଙ୍ଗ ହୋଇ ଘରୁ ବାହାରିଥିଲେ । ହେଲେ ଖଣ୍ଡିଆ ଖାବରା ହୋଇ ଫେରିଲେ ଜଣେ, ଆଉ ଦୁଇଜଣଙ୍କ ପାଇଁ ଏହା ଥିଲା ଶେଷ ଯାତ୍ରା । କାରଣ ବାଟରେ ରାସ୍ତା ଦୁର୍ଘଟଣାରେ ଚାଲିଗଲା ୨ କିଶୋରଙ୍କ ଜୀବନ । ଏଭଳି ଏକ ଘଟଣାକୁ ନେଇ ବଙ୍ଗୋମୁଣ୍ଡା ବ୍ଲକ୍ ଫୁକୁଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତକମାନେ ହେଲେ ଫୁକୁଡ଼ା ଗାଁର କିଶୋର ସାହୁ (୧୭) ଓ ଦିଲ୍ଲୀପ ଭୋଇ (୧୭) । ଏଥିରେ ବିକାଶ ଚିନାଗୁନ (୧୬) ନାମକ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ବଙ୍ଗୋମୁଣ୍ଡା ବ୍ଲକ ସଦରରେ ହେଉଥିବା ଧନୁଯାତ୍ରା ଦେଖିବା ପାଇଁ ମଙ୍ଗଳବାର ରାତିରେ କିଶୋର, ଦିଲ୍ଲୀପ ଓ ବିକାଶ ଏକ ବାଇକ (ସିଜି୦୪ ଏମ୍ଏନ୍ ୯୦୯୪)ରେ ଘରୁ ବାହାରିଥିଲେ । ରାତି ୯ଟା ବେଳେ କୌଣସି କାମରେ ଖଡ଼ିଆଳ ଥାନା ମୋହରା ଗାଁକୁ ଯାଉଥିବା ବେଳେ ବଙ୍ଗୋମୁଣ୍ଡା-ଖଡିଆଳ ୫୯ ନମ୍ବର ଜାତୀୟ ରାଜପଥ ମୋହରା ଛକ ବୁଲାଣିରେ ବାଇକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣଗ୍ରସ୍ତ ହୋଇଥିଲା । ଗାଡ଼ିଟି ଅତି ଦ୍ରୁତ ଗତିରେ ଯାଉଥିବା ଯୋଗୁ ମୋହାର ଛକ ଟର୍ନିଂ ପାଖରେ ଭାରସାମ୍ୟ ବ୍ରେକର୍ରେ ପିଟି ହେଇଥିଲେ । ଫଳରେ ୩ ଜଣ ଯାକ ଗାଡ଼ିରୁ ଛିଟିକି ପଡ଼ିଥିଲେ ।
ଖବର ପାଇ ଖଡ଼ିଆଳ ଥାନା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ଖଡିଆଳ ମିଶନ ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର କିଶୋର ଓ ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ବିକାଶଙ୍କ ଚିକିତ୍ସା ସେଠାରେ ଚାଲିଛି । ବୁଧବାର ମୃତ ଦୁଇ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଖଡ଼ିଆଳ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ପୁଲିସ କହିଛି ।


Comments are closed, but trackbacks and pingbacks are open.