ଧରମ ଭାଇ ସହ ମିଶି ହତ୍ୟା କଲା ଝିଅ

Get real time updates directly on you device, subscribe now.

ବାଲିକୁଦା: ଧରମଭାଇ ସହ ମିଶି ନିଜ ମା’ର ତଣ୍ଟି ଚିପି ମାରିଦେଇଛି ଝିଅ । ଧରମଭାଇ ସହ ଅନୈତିକ ସମ୍ପର୍କ ନେଇ ପ୍ରତିବାଦ କରିବାରୁ ଶେଷରେ ମା’ର ଜୀବନ ଯାଇଛି । ମା’ର ହାତକୁ ବାନ୍ଧି ବେକକୁ ଲୁଗାରେ ଛନ୍ଦି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଉଭୟ ଫେରାର ହୋଇଯାଉଥିବା ବେଳେ ଖବର ପାଇ ଗାଁ ଲୋକେ ବନ୍ଦରେଇ ଠାକୁରାଣୀ ନିକଟରୁ ଦୁହିଙ୍କୁ କାବୁ କରି ନେଇଥିଲେ । ପରେ ବନ୍ଦର ସାମୁଦ୍ରିକ ଥାନା ଏସ୍ଆଇ ଅନିରୁଦ୍ଧ ରାଉତ ଗାଁରେ ପହଞ୍ଚି ପ୍ରାଥମିକ ତଦନ୍ତ ଚଳାଇଛନ୍ତି । ଏଭଳି ଲୋମଟାଙ୍କୁରା ଘଟଣା ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବନ୍ଦର ସାମୁଦ୍ରିକ ଥାନା ବନ୍ଦର ଗାଁରେ ଘଟିଛି । ମୃତ ମହିଳା ହେଉଛନ୍ତି ଗାଁର ସ୍ୱର୍ଗତ ଭଗବାନ କାଣ୍ଡିଙ୍କ ପତ୍ନୀ ରୁମିଳା କାଣ୍ଡି(୪୫) ।
ପୁଲିସ ଓ ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବର୍ଷକ ତଳେ ଭଗବାନଙ୍କର ଆକସ୍ମିକ ମୃତୁ୍ୟ ଘଟିଥିଲା । ବାପାଙ୍କ ମୃତୁ୍ୟର ୧୨ ଦିନ ପରେ ରୋଗଗ୍ରସ୍ତ ଏକମାତ୍ର ପୁଅ ସଂଗ୍ରାମ(୧୭)ଙ୍କର ମଧ୍ୟ ମୃତୁ୍ୟ ଘଟିଥିଲା । ସ୍ୱାମୀ ଓ ଭେଣ୍ଡିଆ ପୁଅକୁ ହରାଇ ରୁମିଳା ହତାଶ ହୋଇପଡ଼ିଥିବା ବେଳେ ବିଧବା ମା’ଙ୍କ ଦେଖାଶୁଣା ପାଇଁ ନିକଟସ୍ଥ କପୁରା ବେଲାରୀ ଗାଁରେ ବାହା ହୋଇଥିବା ମଝିଆ ଝିଅ ମାନି(୨୫) ବାପ ଘରେ ଆସି ପ୍ରାୟ ରହୁଥିଲେ । ମାନିଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି । ପୁଅ ଝିଅ ମା’ ପାଖରେ ରହୁଥିବା ବେଳେ କୌଣସି କାରଣରୁ ସେମାନଙ୍କୁ ସେମାନଙ୍କ ବାପା ଗତ କିଛି ଦିନ ହେବ ଆସି ସାଙ୍ଗରେ ନେଇ ଯାଇଥିଲେ । ତେବେ ଏହା ଭିତରେ ଅନନ୍ତପୁର ଫାଣ୍ଡି ଅଧୀନ ବରମୁଣ୍ଡଳୀ ପଞ୍ଚାୟତ ବରଦିଆ ଗାଁର ରାଜେଶ କାଣ୍ଡି(୨୦) ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ମାନି ତାକୁ ଧରମଭାଇ କରିଥିଲେ । ପରେ ଧରମଭାଇ ସହ ତାଙ୍କର ପ୍ରେମ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ଏଭଳି ଅନୈତିକ ସଂପର୍କକୁ ନେଇ ଗାଁ ଲୋକେ ଟୁପୁର ଟାପୁର ହେଉଥିଲେ ବୋଲି ପୁଲିସକୁ ତଥ୍ୟ ମିଳିଛି । ଏହାକୁ ଘୃଣା ଚକ୍ଷୁରେ ଦେଖୁଥିଲେ ଓ ବିରୋଧ କରୁଥିଲେ ମା’ ରୁମିଳା । ହେଲେ ଲୋକଲଜ୍ଜା କାରଣରୁ ମୁହଁ ଖୋଲି କହି ପାରୁନଥିଲେ । ଆଜି ପ୍ରବଳ ବର୍ଷା ହେଉଥିବା ବେଳେ ମାନି ଓ ରାକେଶ ଗୋଟିଏ ଘରେ ରହିଥିବାର ଦେଖି ଏହାର ପ୍ରତିବାଦ କରିଥିଲେ ରୁମିଳା । କାଳେ କଥାଟା ଆଗକୁ ଜଟିଳ ହେବ ଓ ମା’ କାଳେ ଗାଁରେ କହିଦେବ ଭାବି ଧରମଭାଇ ସହ ମିଶି ଝିଅ ମାନି ରୁମିଳାଙ୍କୁ ଆକ୍ରମଣ କରିଥିଲେ । ମା’ର ତଣ୍ଟି ଚିପି ହତ୍ୟା କରି ଧରମଭାଇ ସହ ସନ୍ଧ୍ୟା ୫ଟାରେ ସେ ଫେରାର ହୋଇ ଯାଉଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଗାଁ ଲୋକେ ଉଭୟଙ୍କୁ ସନେ୍ଦହରେ ଧରି ସବୁକଥା ବୁଝିବା ପରେ ପୁଲିସ ଜିମା ଦେଇଥିଲେ । ପୁଲିସ ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ହାତ ବନ୍ଧା ହୋଇଥିବା ଅବସ୍ଥାରେ ରୁମିଳାଙ୍କ ଶବ ଘରୁ ଉଦ୍ଧାର କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons