କୋରାପୁଟ,(ବି.ବି.ନୁ୍ୟଜ): ବାଇକ୍ ଚୋରାଚାଲାଣ ଧରପଗଡ଼ ଅଭିଯାନରେ ଟାଉନ ପୁଲିସକୁ ମିଳିଛି ବଡ଼ ସଫଳତା । ଏକ ଅନ୍ତଃରାଜ୍ୟ ଗାଡ଼ିଚୋର ର୍ୟାକେଟକୁ କାବୁ କରିଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ସମେତ ୭ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ଜବତ ହୋଇଛି ୭ଟି ଚୋରି ବାଇକ୍ । ଆନ୍ଧ୍ର ଓ ଛତିଶଗଡ ସହ ଏହି ର୍ୟାେକେଟ୍ର ଲିଙ୍କ୍ ଥିବା ପୁଲିସ କହିଛି । ଧରାପଡିଥିବା ଏହି ର୍ୟାକେଟର ମୁଖ୍ୟ ଅଭିଯୁକ୍ତ ହେଉଛି ଜଣେ ନାବାଳକ । ତା ସହିତ କୋରାପୁଟ ସଦର ଥାନା ତଳମାଙ୍ଗରା ଗାଁର ଗୋବିନ୍ଦ ଟାକ୍ରି, ଜୟପୁର ଲେବର କଲୋନିର ରୋହିତ ମହାନନ୍ଦିଆ, ବୈପାରିଗୁଡ଼ା ମଇନାପଦର ଗାଁର ଲିଙ୍ଗରାଜ ବିଷୋୟୀ, କୁନ୍ଦୁରା ଥାନା ବାଗଦେରି ଗାଁର କ୍ରିଷ୍ଣା ହରିଜନ, ଜଗମଗୁଡ଼ା ଗାଁର କୁନା ଖରା ଗିରଫ ହୋଇଛନ୍ତି ।
ଟାଉନ ଥାନା ଆଇଆଇସି ଧୀରେନ ପଟ୍ଟନାୟକ କହିଛନ୍ତି, ଏହି ର୍ୟାକେଟଠାରୁ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଆନ୍ଧ୍ରପ୍ରଦେଶର ସାଲୁର ଏବଂ ଛତିଗଡର ଜଗଦଲପୁରରୁ ଚୋରି ହୋଇଥିବା ବାଇକ ଜବତ କରାଯାଇଛି । ଗତ ମାସକ ମଧ୍ୟରେ କୋରାପୁଟ ସହରର ଟିକିରାସାହି, ଗାନ୍ଧିନଗର, ମା’ମଙ୍ଗଳା ଛକ ଆଦି ୩ଟି ସ୍ଥାନରୁ ବାଇକ୍ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏସପିଙ୍କ ନିଦେ୍ର୍ଧଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ସବଇନ୍ସପେକ୍ଟର ଚିତ୍ତରଞ୍ଜନ ପ୍ରଧାନୀଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ଜେ.ସେଲମା, ସୁଦର୍ଶନ ଅଧିକାରୀ ପ୍ରମୁଖଙ୍କୁ ନେଇ ଏହି ଟିମ୍ ଚୋରି ଗାଡ଼ିଗୁଡ଼ିକର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ । ଗାଡ଼ି ଚୋରି କେସରେ ପୂର୍ବରୁ ଜେଲ୍ ଯାଇଥିବା କେତେକ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଏଥିସହିତ ସହରର ନମ୍ବରବିହୀନ ଗାଡ଼ିଗୁଡ଼ିକ ଉପରେ ଦୃଷ୍ଟି ରଖାଯାଇଥିଲା । ମଙ୍ଗଳବାର ପୁଲିସ ଜଣଙ୍କୁ କାବୁକରି ପଚାରାଉଚରା କରିବା ପରେ ଚୋରି ଗାଡ଼ି ର୍ୟାକେଟ ସମ୍ପର୍କରେ ଅଧିକ ତଥ୍ୟ ହାସଲ ହୋଇଥିଲା । ଜଣେ ଚୋରଙ୍କ ସୂଚନାକୁ ଆଧାରକରି ପୁଲିସ ବୈପାରିଗୁଡ଼ା, ମାଲାକାନାଗିରି ଓ ଜୟପୁର ଅଞ୍ଚଳର ବିଭିନ୍ନ ସ୍ଥାନରୁ ୯ଟି ବାଇକ୍ ଜବତ କରିଥିଲା । ଉଦ୍ଧାର ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ଅଛି ରାୟଗଡ଼ା ଜିଲ୍ଲାର ୨ଟି, ନବରଙ୍ଗପୁର ଜିଲ୍ଲାର ଗୋଟିଏ, କୋରାପୁଟ ଟାଉନ ଥାନା ଅଞ୍ଚଳର ୩ଟି, ଆନ୍ଧ୍ର ସାଲୁର ସହର ଓ ଛତିଶଗଡ଼ ଜଗଦଲପୁର ସହରର ଗୋଟିଏ ଲେଖାଏଁ । ଚୋରଙ୍କ ମଧ୍ୟରେ ଜଣେ ନାବଳକ ହେଉଛି ଏହାର ମାଷ୍ଟର ମାଇଣ୍ଡ । ସେ ପୂର୍ବରୁ ମଧ୍ୟ ଗାଡ଼ି ଚୋରି କେସରେ ଗିରଫ ହୋଇଥିଲା । ଗିରଫ ମଧ୍ୟରେ ୪ଜଣ ଗାଡ଼ି ଚୋର ରହିଥିବା ବେଳେ ଅନ୍ୟ ୩ଜଣ ଚୋରାଗାଡ଼ି କିଣା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ୫ଜଣ ପ୍ରାପ୍ତ ବୟସ୍କ ଥିବାବେଳେ ୨ଜଣ ଜୁଭେନାଇଲ ଅଛନ୍ତି । ସମସ୍ତ ବାଇକ ନମ୍ବରବିହୀନ ବୋଲି ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି ।
Comments are closed, but trackbacks and pingbacks are open.