
ଭୋଗରାଇ,(ବି.ବି.ନୁ୍ୟଜ): ପଶ୍ଚିମବଙ୍ଗ ରାଜ୍ୟ ଦୀଘା ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ଜାଲରେ ଦୁଇଟି ତେଲିଆ ମାଛ ଧରାପଡ଼ିଥିଲା । ଦୁଇଟି ଭେକଟି ମାଛର ଓଜନ ୬୦ କିଗ୍ରା । କିଲୋଗ୍ରାମ ପ୍ରତି ୨୬ ହଜାର ଟଙ୍କା ଦରରେ ଦୁଇଟି ମାଛକୁ ସମୁଦାୟ ୧୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।
ସୂଚନା ଅନୁସାରେ, ସମୁଦ୍ର ମୁହାଣ କ୍ରମଶଃ ପ୍ରଦୂଷିତ ହେଉଥିଲା ବେଳେ ସାମୁଦ୍ରିକ ମାଛ ସଂଖ୍ୟା ହ୍ରାସ ପାଇଛି । ଫଳରେ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ଟ୍ରଲର ଗୁଡିକ ବହୁତ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏଭଳି ସମୟରେ ‘ମାଆ କାଜଲ’ ନାମକ ଏକ ଟ୍ରଲର ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା । ଗୁରୁବାର ରାତିରେ ଦୁଇଟି ତେଲିଆ ଭେକଟି ଧୀବରଙ୍କ ଜାଲରେ ଲାଗିଥିଲା । ଶୁକ୍ରବାର ସକାଳେ ଦୀଘା ମୁହାଣରେ ଥିବା ସିକେଜି ମାଛ ଅଡତ ଏହି ଦୁଇଟି ୬୦ କିଲୋଗ୍ରାମ ଓଜନର ତେଲିଆ ମାଛକୁ ସମୁଦାୟ ୧୬ ଲକ୍ଷ ଟଙ୍କାରେ କିଣି ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଏହି ମାଛର ତେଲ ବହୁ ମୂଲ୍ୟବାନ ଔଷଧ ତିଆରିରେ ବ୍ୟବହୃତ ହେଉଥିବାରୁ ଔଷଧ ନିର୍ମାତା କମ୍ପାନିମାନେ ଏହାକୁ ଉଚ୍ଚ ଦରରେ କିଣିଥା’ନ୍ତି ।


Comments are closed, but trackbacks and pingbacks are open.