
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିହାର ମୁଙ୍ଗେରର ବନ୍ଧୁକ ଚାଲାଣ ଲିଙ୍କ୍ ସାମ୍ନାକୁ ଆସିଛି । ଦୀର୍ଘ ଦିନ ପରେ କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ମୁଙ୍ଗେରର ଜଣେ ବନ୍ଧୁକ ମାଫିଆକୁ ଧରିଛି । ସେ ହେଲା ବିହାର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରସାଦ । ତା’ଠାରୁ ଏସ୍ଟିଏଫ୍ ୫ଟି ୭ ଏମଏମ୍ ବନ୍ଧୁକ, ୭ଟି ମାଗାଜିନ୍ ଓ ୭ଟି ଅଫୁଟା ଗୁଳି ଜବତ କରିଛି । ରବୀନ୍ଦ୍ରର ସହଯୋଗୀ ବାଲେଶ୍ୱର ଶ୍ରୀକୃଷ୍ଣପୁର ଗାଁର ବିଶ୍ୱନାଥ ବିଶୋୟୀକୁ ମଧ୍ୟ ଏସ୍ଟିଏଫ୍ ଗିରଫ କରିଛି ।
ଏସ୍ଟିଏଫ୍ ସୂଚନା ମୁତାବକ, ରବୀନ୍ଦ୍ରକୁ ଧରିବା ପାଇଁ ପୁଲିସ ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲା । ଗତ ମାସ କଟକ ନିଆଳିଠାରେ ଧରାପଡିଥିବା ବନ୍ଧୁକ ବେପାରୀର ତଥ୍ୟରୁ ଏସ୍ଟିଏଫ୍ ରବୀନ୍ଦ୍ରକୁ ଧରିବାକୁ ଜାଲ ବିଛାଇଥିଲା । ଏସ୍ଟିଏଫର ଜଣେ କର୍ମଚାରୀ ଗ୍ରାହକ ସାଜି ୫ଟି ମାଉଜର ପାଇଁ ବିଶ୍ୱନାଥ ସହ ଯୋଗାଯୋଗ କରିଥିଲା । ଡିଲ୍ ମୁତାବକ ସମ୍ପୃକ୍ତ କର୍ମଚାରୀଙ୍କ ସହ ଏସ୍ଟିଏଫ୍ର ଏକ ଟିମ୍ ୩ ଦିନ ତଳୁ ଭଦ୍ରକ ରାଣୀତାଲରେ ଡେରା ପକାଇଥିଲା । ଗତକାଲି ରାତିରେ ବିଶ୍ୱନାଥ ସହ ରବୀନ୍ଦ୍ର ରାଣୀତାଲରେ ପହଞ୍ଚିଥିଲା । ଗ୍ରାହକ ସାଜିଥିବା ଏସ୍ଟିଏଫ୍ କର୍ମଚାରୀ ସହ ବନ୍ଧୁକ ଡିଲ୍ ବେଳେ ପୂର୍ବରୁ ଛକିଥିବା ଏସ୍ଟିଏଫ୍ର ଟିମ୍ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ସେମାନଙ୍କଠାରୁ ୫ଟି ବନ୍ଧୁକ ଓ ୭ଟି ଅଫୁଟା ଗୁଳି ଜବତ ହୋଇଛି ।


Comments are closed, but trackbacks and pingbacks are open.