କଟକ,(ବି.ବି.ନ୍ୟୁଜ୍): ନକଲି ଖାଇବା ତେଲ ତିଆରି କରୁଥିବା ଏକ ବଡ଼ କାରଖାନା କଟକ ସଦର ଥାନା ଅଞ୍ଚଳରେ ଠାବ ହୋଇଛି । ସଦର ଥାନା ପୁଲିସ ଆଜି ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ବମ୍ଫକୁଦଠାରେ ଚାଲିଥିବା ଏହି କାରଖାନା ଉପରେ ଚଢ଼ଉ କରି ନକଲି ଖାଇବା ତେଲ ପ୍ରସ୍ତୁତ ସାମଗ୍ରୀ ଓ ମେସିନ୍ ଜବତ କରିବା ସହ କାରଖାନାର ପର୍ଦ୍ଦାଫାସ୍ କରିଛି । କାରଖାନାରୁ ବଜାରକୁ ଯିବାକୁ ପ୍ରସ୍ତୁତ ହୋଇ ରହିଥିବା ପ୍ରଚୁର ପରିମାଣର ଅପମିଶ୍ରିତ ନକଲି ତେଲ ବି ମିଳିଛି । ଅତୀତରେ କଟକ ସହରର ଖାନନଗର ଓ ଜଗତପୁର ଅଞ୍ଚଳରୁ ନକଲି ତେଲ କାରଖାନା ଠାବ ହୋଇଥିଲା । ଏହା ସତ୍ତେ୍ୱ କଟକ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ନିଧଡକ ଭାବେ ଏହି କାରଖାନା ଦୀର୍ଘ ବର୍ଷ ହେଲାଣି ଚାଲିବା ଘଟଣା ସବୁ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଚଢଉ ବେଳେ ପୁଲିସ କାରଖାନାରୁ ୪୦ ହଜାରରୁ ଅଧିକ ଲିଟର ଅପମିଶ୍ରିତ ସୋରିଷ ତେଲ ଓ ରିଫାଇନ୍ଡ୍ ତେଲ ଭଳି ଖାଇବା ତେଲ ଜବତ କରିଛି । ଏଥିସହ ବିପୁଳ ପରିମାଣର ତେଲ ଟିଣ, ପେଟି, ପାଉଚ୍, ବୋତଲ, ବିଭିନ୍ନ କମ୍ପାନିର ନକଲି ଲୋଗୋ, କାରଖାନା ସରଞ୍ଜାମ ଓ ମେସିନ୍ ଜବତ କରିଛି । କେବଳ ସେତିକି ନୁହେଁ, ଖାସ୍ ନକଲି ତେଲ ପରିବହନ ପାଇଁ ନିୟୋଜିତ ଥିବା ଏକ ଟ୍ରକ୍ ମଧ୍ୟ ଧରାପଡ଼ିଛି । କାରଖାନାର ମାଲିକ କୁହାଯାଉଥିବା କଟକ ଖାନନଗର ନୂଆସାହି ଅଞ୍ଚଳର ଜଗୁ ଓରଫ ଜଗଦୀଶ ସାହୁ ଓ ମ୍ୟାନେଜର୍ ନେମାଳ ଦାଉଦପୁର ଅଞ୍ଚଳର ବିଜୟ ଷଡ଼ଙ୍ଗୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କଠାରୁ କାରଖାନାର ଅନେକ ତଥ୍ୟ ଆଦାୟ କରିଛି । ଜେରା ପରେ ଉଭୟଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଖାଇବାତେଲ ନାଁରେ ବିଷ ବେପାର ଚଳାଇଥିବା ଏହି ର୍ୟାକେଟର ଚେର କେତେଦୂର କେଉଁଆଡ଼େ ଲମ୍ୱିଛି ତା’ର ଖୋଳତାଡ଼ ବି ପୁଲିସ କରୁଛି ।

ସଦର ଥାନା ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବମ୍ଫକୁଦଠାରେ ପାଖାପାଖି ୧୨ ବର୍ଷ ଧରି ଏହି ନକଲି ତେଲ କାରଖାନା ଚାଲୁଥିଲା । କୋଲକାତା ଓ ହଳଦିଆରୁ ଅପମିଶ୍ରିତ ତୈଳ ଏଠାକୁ ଆସି ବିଭିନ୍ନ ନାମୀଦାମୀ କମ୍ପାନୀ ବ୍ରାଣ୍ଡ୍ରେ ସେସବୁକୁ ସାନି ପ୍ୟାକ୍ କରାଯାଇ ରାଜ୍ୟସାରା ଏପରିକି ରାଜ୍ୟ ବାହାରକୁ ମଧ୍ୟ ଚାଲାଣ, ବିକ୍ରୟ କରାଯାଉଥିଲା । ତେବେ ଅସଲ ବ୍ରାଣ୍ଡେଡ୍ ତେଲ କମ୍ପାନୀମାନଙ୍କର ବ୍ୟବସାୟ ପ୍ରଭାବିତ ହେବାରୁ ସେମାନେ ଏ ବିଷୟରେ ଖୋଳତାଡ଼ କରି ପୁଲିସକୁ ସୂଚନା ଦେଇଥିଲେ । ଉକ୍ତ ସୂଚନା ଆଧାରରେ ସଦର ଥାନା ପୁଲିସ କାରଖାନାରେ ଆଜି ଚଢ଼ଉ କରିଥିଲା । ସେଠାରେ ସ୍ଥାପିତ ଏକ ବଡ଼ ଧରଣର ମେସିନ ସହାୟତାରେ ଦୈନିକ ପ୍ରାୟ ୫ହଜାର ଲିଟର ନକଲି ତେଲ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା । ଚଢ଼ଉ ସମୟରେ ସେଠାରେ ମହଜୁଦ ଥିବା ପ୍ରାୟ ୨୦ ହଜାର ଟିଣ (୪୦ ହଜାର ଲିଟର) ଅପମିଶ୍ରିତ ତେଲ, ବହୁ ପରିମାଣର କାଗଜ ପେଟି, ନକଲି ଲୋଗୋ, ଜରି ପ୍ୟାକେଟ୍, ଖାଲି ଟିଣ ଓ ତେଲ ତିଆରିରେ ବ୍ୟବହାର ପାଇଁ ରହିଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା ।
ପୁଲିସ କାରଖାନାର ମାଲିକ ଜଗୁ ସାହୁ ଓ କର୍ମଚାରୀ ବିଜୟ ଷଡ଼ଙ୍ଗୀଙ୍କୁ ପଚରାଉଚରା କରି ପ୍ୟାକେଜିଂ ୟୁନିଟ ଓ କାରଖାନାକୁ ସିଲ୍ କରିଥିଲା । ଉକ୍ତ କାରଖାନାରେ ନକଲି ତେଲକୁ ବିଭିନ୍ନ କମ୍ପାନୀର ଲୋଗୋ ଥିବା ପଲି ପ୍ୟାକ୍ରେ ଭର୍ତ୍ତି କରାଯାଇ କଟକ ମାଲ୍ଗୋଦାମ୍ ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ପ;ାମୁଣ୍ଡାଇ, ପାରାଦୀପ ଆଦି ଉପକୂଳ ଅଞ୍ଚଳର ଅନେକ ସ୍ଥାନକୁ ବିକ୍ରୟ ପାଇଁ ପଠାଯାଉଥିଲା । ଏହା ଛଡ଼ା ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଏଠାରୁ ତେଲ ବିକ୍ରି ପାଇଁ ପଠାଯାଉଥିବା ଜଣାପଡ଼ିଛି । ଏହି ନକଲି ତେଲର ମୂଲ୍ୟ ବଜାର ଦର ଅପେକ୍ଷା କମ ରହୁଥିବାରୁ ବିକ୍ରି ଭଲ ହେଉଥିଲା । ଉଭୟ କାରଖାନା ମାଲିକ ଓ ବ୍ୟବସାୟୀଙ୍କର ଭଲ ରୋଜଗାର ହେଉଥିଲା । ତେବେ ଜାତୀୟ ରାଜପଥ ପାଶ୍ୱର୍ରେ ଏତେ ବର୍ଷ ଧରି ଏଭଳି ଏକ ନକଲି କାରବାର କରୁଥିବା କାରଖାନା ଚାଲୁ ରହିବା ଓ କେହି ଏ ସଂପର୍କରେ ସୁରାକ ନପାଇବା ଘଟଣା ବିସ୍ମୟ ସୃଷ୍ଟି କରିଛି । ଏହା ପଛରେ ଏକ ବଡ଼ ର୍ୟାକେଟ୍ ଥିବା ପୁଲିସ ସଂଦେହ କରୁଛି ।


Comments are closed, but trackbacks and pingbacks are open.