ଧରା ପଡ଼ିଲା ଲୁଟେରା,୪.୫ ଲକ୍ଷ ଟଙ୍କା ଉଦ୍ଧାର

Get real time updates directly on you device, subscribe now.

ବାସୁଦେବପୁର,(ବି.ବି.ନୁ୍ୟଜ୍): ବ୍ୟାଙ୍କରୁ ଟଙ୍କା ବ୍ୟାଗକୁ ଝାମ୍ପ ମାରି ଚମ୍ପଟ ମାରୁଥିବା ବେଳେ ଜଣେ ଲୁଟେରା ଲୋକଙ୍କ ହାତରେ ଧରାପଡ଼ିଛି । ଲୁଟେରାଙ୍କୁ ସ୍ଥାନୀୟ ଲୋକ କାବୁ କରି ଉତ୍ତମ ମଧ୍ୟମ ଦେଉଛନ୍ତି । ପରେ ପୁଲିସ ଜିମା ଦେଇଛନ୍ତି । ବାସୁଦେବପୁର ସହରରେ ଥିବା ଗ୍ରାମ୍ୟ ବ୍ୟାଙ୍କ ପରିସରରେ ଆଜି ଏହି ଘଟଣା ଘଟିଛି । ଲୁଟେରା ଜଣେ ବୃଦ୍ଧଙ୍କ ହାତରୁ ୪.୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଖସି ଯାଉଥିବା ବେଳେ ସମ୍ପୃକ୍ତ ବୃଦ୍ଧ ଚିକ୍ରାର କରିଥିଲେ । ଚୋର ଚୋର ବୋଲି ଡାକ ମାରି ଧରିବାକୁ କହିଥିଲେ । ତାଙ୍କ ଉପସ୍ଥିତି ବୁଦ୍ଧି ପରେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ ମାଡ଼ି ବସିଥିଲେ ।
କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନକୃଷ୍ଣପୁର ପଞ୍ଚାୟତ ନଟିଆପାଳ ଗ୍ରାମର ପୂର୍ବତନ ସରପଞ୍ଚ ଗୌରାଙ୍ଗ ଜେନା(୬୩) ଆଜି ସକାଳେ ଷ୍ଟେଟ୍ ବ୍ୟାଙ୍କରୁ ୪.୫ ଲକ୍ଷ ଟଙ୍କା ଉଠାଇ ଥିଲେ । ଏହି ଟଙ୍କାକୁ ଜଣେ ସମ୍ପର୍କୀୟଙ୍କୁ ଦେବା ନିମନ୍ତେ ଗ୍ରାମ୍ୟ ବ୍ୟାଙ୍କ ଭିତରକୁ ଯାଇ ତାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଲୁଟେରା ଗଞ୍ଜାମ ଜିଲ୍ଲା ବରମପୁର ଆସକା ଅଞ୍ଚଳର ଆନନ୍ଦ ଦାସଙ୍କ ପୁଅ ଶ୍ରୀରାମ ଦାସ(୨୨) ତାଙ୍କୁ ପିଛା କରି ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚି ଥିଲା । ବ୍ୟାଙ୍କ ଭିତରେ ଶ୍ରୀ ଜେନା ଟଙ୍କା ବ୍ୟାଗକୁ ଧରିଥିବା ବେଳେ ଲୁଟେରା ଝାମ୍ପ ମାରି ଟଙ୍କା ବ୍ୟାଗ୍ ସହ ବ୍ୟାଙ୍କ ବାହାରକୁ ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥଲା । ଶ୍ରୀ ଜେନା ଜୋରରେ ଚୋର ଚୋର ଧର ଧର ବୋଲି ପାଟି କରିଥିଲେ । ବ୍ୟାଙ୍କ ତଳେ ଥିବା ଲୋକମାନେ ଉକ୍ତ ଲୁଟେରାଙ୍କୁ କାବୁ କରିନେଇଥିଲେ । ପରେ ଘଟଣାସ୍ଥଳରେ ଲୁଟେରାଙ୍କୁ ନିସ୍ତୁୁକ ମାଡ ମାରିବା ସହିତ ଥାନାକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଘଟଣାସ୍ଥଳରେ ଉକ୍ତ ଲୁଟେରା ଧରି ନେବା ସହ ଟଙ୍କା ବ୍ୟାଗକୁ ଜବତ କରିଥିଲା । ଥାନାରେ ଶ୍ରୀ ଜେନା ଲିଖିତ ଅଭିଯୋଗ କରିବା ପରେ ପ୍ରକୃତ ଟଙ୍କା ଶ୍ରୀ ଜେନାଙ୍କର କି ନୁହେଁ ତଦନ୍ତ କରି ଟଙ୍କା ଶ୍ରୀ ଜେନାଙ୍କୁ ହସ୍ତଗତ କରାଯାଇଥିଲା । ହେଲେ ଲୁଟେରାଙ୍କ ଦୁଇ ସହଯୋଗୀ ଖସି ଯାଇଥିବା ଜଣାପଡ଼ିଛି । ସେମାନଙ୍କ ଧରିବାକୁ ପୁଲିସ ଜାଲ ବିଛାଇଛି । ଅଟକ ଯୁବକ ନିଟକରୁ ଗୋଟିଏ ଏଟିଏମ କାର୍ଡ ଓ ଏକ ଡବା ଭିତରେ ଥିବା କିଛି ନକଲି ମୋତି ହାର ଜବତ କରିଛି ପୁଲିସ । ଲୁଟେରା ଜଣକ ମୋତି ହାର ବିକିବା ବାହାନାରେ ଲୁଟ୍ କରେ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons