ଧର୍ମଗଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପ୍ରଭାବିତ

Get real time updates directly on you device, subscribe now.

ଧର୍ମଗଡ଼,(ବି.ବି.ନୁ୍ୟଜ୍): ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ସମସ୍ୟା ଏବେ ଚରମ ସୀମାରେ ପହଞ୍ଚିଛି । ପ୍ରଥମରୁ ଡାକ୍ତର ଅଭାବ ସମସ୍ୟାକୁ ନେଇ ଯୁଝୁଥିବା ଏହି ରେଫେରାଲ ହସପିଟାଲରୁ ପୁଣି ୩ଜଣ ଡାକ୍ତର ପିଜି ପାଇବା ପରେ ଡାକ୍ତରଖାନା ଛାଡ଼ିବାକୁ ଯାଉଛନ୍ତି । ଫଳରେ ଏଠାରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏବେ ଏତେ ବଡ଼ ଚିକିତ୍ସାଳୟ କିପରି ମାତ୍ର ୫ଜଣ ଡାକ୍ତରଙ୍କୁ ନେଇ ପରିଚାଳିତ ହେବ ତାହା ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ କଳାହାଣ୍ଡି ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ଚିକିତ୍ସାଳୟ ଏହି ଚିକିତ୍ସାଳୟ ଉପରେ କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ନୂଆପଡା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା ଏବଂ ଛତିଶଗଡ ରାଜ୍ୟର ଦେଭୋଗ ଆଦି ଅଂଚଳର ଲକ୍ଷାଧିକ ରୋଗୀ ଚିକିତ୍ସା ସେବା ପାଇଁ ନିର୍ଭର କରିଥାନ୍ତି । ଉଭୟ ଅର୍ନ୍ତବିଭାଗ ଓ ବର୍ହିବିଭାଗରେ ରୋଗୀଙ୍କ ଭିଡ ହୋଇଥାଏ । ୬୦ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟରେ ରୋଗୀସେବା ପାଇଁ ମୋଟ ୧୯ଟି ଅନୁମୋଦିତ ଡାକ୍ତର ପଦବୀ ରହିଛି । ହେଲେ ପ୍ରାୟ ବିଶେଷଜ୍ଞ ଡାକ୍ତର ପଦବୀ ସହ ଅନ୍ୟାନ୍ୟବିଭାଗ ଡାକ୍ତର ପଦବୀ ମଧ୍ୟ ଦୀର୍ଘଦିନ ଧରି ଖାଲିପଡିଛି । ବର୍ତ୍ତମାନ ଏଠାରେ ୧୯ଜଣ ଡାକ୍ତରଙ୍କ ମଧ୍ୟରୁ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ମିଶାଇ ଅଛନ୍ତି ମାତ୍ର ୯ ଜଣ ଡାକ୍ତର, ୧୦ ଟି ଡାକ୍ତର ପଦବୀ ଖାଲି ପଡିଛି । ବିଭିନ୍ନ ସମୟରେ ଏସବୁ ପଦବୀ ପୂରଣ ପାଇଁ ଦାବି ହେଉଥିଲେ ହେଁ କୌଣସି ସୁଫଳ ମିଳିନାହି । ଏବେ ପୁଣି ୩ ଜଣ ଯୁବ ଡାକ୍ତର ପିଜି ପାଇଥିବାରୁ ଅଧ୍ୟୟନ ପାଇଁ ଡାକ୍ତରଖାନା ଛାଡିବେ । ଫଳରେ ମାତ୍ର ୫ଜଣ ଡାକ୍ତର ଓ ଜଣେ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ନେଇ ଡାକ୍ତରଖାନା ପରିଚାଳିତ ହେବ । ମାତ୍ର ୫ ଜଣ ଡାକ୍ତର କିପରି ଭାବେ ହଜାର ହଜାର ସଂଖ୍ୟାରେ ବହିର୍ବିଭାଗ(ଓପିଡି)କୁ ଆସୁଥିବା ରୋଗୀ ଏବଂ ୬୦ଶଯ୍ୟାବିଶିଷ୍ଟ ଅର୍ନ୍ତବିଭାଗ (ଇନଡୋର)ରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ କିପରି ଚିକିତ୍ସା ସେବା ଯୋଗାଇବେ ଏହା ଏକ ବଡ ପ୍ରଶ୍ନ ହୋଇ ଛିଡାହୋଇଛି । ଏଠାରେ ପ୍ରକାଶ ଯେ ଉକ୍ତ ଚିକିତ୍ସାଳୟରେ ଦୀର୍ଘବର୍ଷ ହେବ ଶୈଲ୍ୟବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିିଛି । ଏବେ ପୁଣି ତିନି ଜଣ ଡାକ୍ତର ପିଜି ପାଇଁ ଡାକ୍ତରଖାନା ଛାଡିଲେ ଏହି ଚିକିତ୍ସାଳୟରେ ରୋଗୀସେବା ଏକ ପ୍ରକାର ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏସଂପର୍କରେ ଉପଖଣ୍ଡ ଚିକିତ୍ସାଧିକାରୀ ଡ.ଅଶୋକ ପୁରୋହିତଙ୍କୁ ଯୋଗାଯୋଗ କରିବାରୁ ଡାକ୍ତର ଅଭାବ ସମସ୍ୟା ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଛି । ଯଦି ଅଧିକା ଡାକ୍ତର ଦିଆନଯାଏ ତେବେ ଡାକ୍ତରଖାନା ପରିଚାଳନାରେ ଗୁରୁତର ସମସ୍ୟା ସୃଷ୍ଟିହେବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons