ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାଗୁଡ଼ିକ ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୩୦ରୁ ୪ ଦିନ ପାଇଁ ବନ୍ଦ ରହିବ । ବିଭିନ୍ନ ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ଜାନୁଆରୀ ୩୧ରୁ ୨ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି । ଏଥିସହ ବସନ୍ତ ପଞ୍ଚମୀ ଉପଲକ୍ଷେ ଜାନୁଆରୀ ୩୦ ସରକାରୀ ଛୁଟି ଥିବା ବେଳେ ଫେବ୍ରୁଆରୀ ୨ ରବିବାର ପଡ଼ୁଛି । ଏଣୁ ଗୁରୁବାରଠାରୁ ଲଗାତର ୪ ଦିନ ପାଇଁ ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ରହିବ ।
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫ୍ବିୟୁ) ଅଧୀନରେ ଦେଶର ୯ଟି ପ୍ରମୁଖ ବ୍ୟାଙ୍କ ସଂଘ ୨୦% ବେତନ ବୃଦ୍ଧି, ୫ ଦିନିଆ ବ୍ୟାଙ୍କ କାର୍ଯ୍ୟଦିବସ, ମୌଳିକ ବେତନରେ ସ୍ୱତନ୍ତ୍ର ଭତ୍ତାର ମିଶ୍ରଣ, ସ୍ୱତନ୍ତ୍ର ପେନ୍ସନ୍ ସ୍କିମ୍ ଭଳି ୧୨ଟି ଦାବି ନେଇ ଧର୍ମଘଟ ଡାକରା ଦେଇଛନ୍ତି । ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ଏହି ଧର୍ମଘଟ ଚାଲିବ । ଏଥିରେ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୧୦ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହେବେ ।
ସୂଚନାଥାଉକି, ୟୁଏଫ୍ବିୟୁ ହେଉଛି ଏଆଇବିଇଏ, ଏଆଇବିଓସି, ଏନ୍ସିବିଇ, ଏଆଇବିଓଏ, ବିଇଏଫ୍ଆଇ, ଆଇଏନ୍ବିଇଏଫ୍, ଆଇଏନ୍ବିଓସି, ଏନ୍ଓବିଡବ୍ଲୁ୍ୟ ଓ ଏନ୍ଓବିଓ ଭଳି ୯ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଘର ମହାସଂଘ ।
ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୟୁଏଫ୍ବିୟୁ ଓଡ଼ିଶା ଆବାହକ ସମ୍ବିତ ମିଶ୍ର କହିଛନ୍ତି, ୨୦୧୭ରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଦଶମ ବେତନ ବନେ୍ଦାବସ୍ତ ଶେଷ ହୋଇଛି । ଅର୍ଥାତ୍ ୨୦୧୭ ନଭେମ୍ବରରୁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଏକାଦଶ ବେତନ ବନେ୍ଦାବସ୍ତ ଲାଗୁ କରିବା କଥା । କିନ୍ତୁ ଆଇବିଏର କଠୋର ଆଭିମୁଖ୍ୟ କାରଣରୁ ୩୯ ଥର ଆଲୋଚନା ସତ୍ତେ୍ୱ ବେତନ ବୃଦ୍ଧି ନେଇ ସହମତି ଆସିପାରି ନାହିଁ । ଏଣୁ ୟୁଏଫ୍ବିୟୁ ଅଧୀନରେ ସମସ୍ତ ବ୍ୟାଙ୍କ ସଂଘ ଏହି ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି, ଏହି ୨ଦିନିଆ ବ୍ୟାଙ୍କ ଧର୍ମଘଟରେ ଓଡ଼ିଶାର ୫,୦୯୮ଟି ଯାକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ୪୦,୦୦୦ରୁ ଊଦ୍ଧ୍ୱର୍ କର୍ମଚାରୀ ଓ ଅଧିକାରୀ ସାମିଲ ହେବେ । ଏହାସହ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଏଥିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ପ୍ରାୟ ୩,୦୦୦ ଏଟିଏମ୍ ଖୋଲା ରହିବ । ଧର୍ମଘଟର ପୂର୍ବଦିନ ଓ ପରଦିନ ବ୍ୟାଙ୍କ ଛୁଟି ଥିବାରୁ ଏଟିଏମ୍ରେ ନଗଦ ସଙ୍କଟ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଛି ।
ଏହି ଧର୍ମଘଟ ସତ୍ତେ୍ୱ ଯଦି ଆଇବିଏ କର୍ମଚାରୀଙ୍କ ଦାବି ପୂରଣ କରେ, ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ମାର୍ଚ୍ଚ ୧୧ରୁ ପୁଣିଥରେ ୩ ଦିନିଆ ଧର୍ମଘଟକୁ ଓହ୍ଲାଇବେ । ଏହାସତ୍ତେ୍ୱ ଆଇବିଏ ନିଜର ଆଭିମୁଖ୍ୟ କଠୋର ରଖିଲେ ଏପ୍ରିଲ ପହିଲାରୁ ବ୍ୟାଙ୍କ ସଂଘଗୁଡ଼ିକ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିବା ୟୁଏଫ୍ବିୟୁ ଓଡ଼ିଶା ଆବାହକ ସୂଚନା ଦେଇଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଆଇବିଓସି ରାଜ୍ୟ ସମ୍ପାଦକ ସବ୍ୟସାଚୀ ସ୍ୱାଇଁ, ଏଆଇବିଓସି ସଭାପତି ଦାମୋଦର ନନ୍ଦ, ଏନ୍ସିବିଇ ପ୍ରତିନିଧି ଅନିଲ ପ୍ରଧାନ, ଏଆଇବିଇଏ ସାଧାରଣ ସମ୍ପାଦକ ମନୋରଞ୍ଜନ ଦାଶ, ବିଇଏଫ୍ଆଇ ସାଧାରଣ ସମ୍ପାଦକ ପ୍ରକାଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.