ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପାଟକୁରାରେ ବିଜେପି ଜିତିବ । ଏଥିପାଇଁ ଆମ ଭିତରେ ପୂରା ଆତ୍ମବିଶ୍ୱାସ ରହିଛି । ସେଠି ବିଜୟ ମହାପାତ୍ରଙ୍କ ପ୍ରତି ଅନୁକମ୍ପା ରହିଛି । ଲୋକସଭା ଭୋଟ୍ରେ ବିଜେପିକୁ ଯେଉଁଭଳି ସମର୍ଥନ ମିଳିଛି । ବିଜୟଙ୍କ ଜତାପଟ ନିଶ୍ଚିତ । ଏଥିପାଇଁ ଦଳ ନିଜସ୍ୱ ଢଙ୍ଗରେ ରଣନୀତି ମଧ୍ୟ ପ୍ରସ୍ତୁତ କରି ସାରିଲାଣି । ଆଜି ଏମିତି ଦୃଢୋକ୍ତି ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ, ମୁଖ୍ୟମନ୍ତ୍ରୀ ପାଟକୁରାରେ ଦୁଇ ଦିନ ରହିବେ । ଆଉ ବିଧାୟକ ସେଠି ଛାଇ ଗଲେଣି । ହେଲେ ବିଜେପିର ପ୍ରସ୍ତୁତି କେମିତି ରହିଛି? ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି, ସବୁ ରାଜନୈତିକ ଦଳର ନିଜସ୍ୱ ପ୍ରସ୍ତୁତି ରହିଛି । ଆମେ ବି ରଣନୀତି ପ୍ରସ୍ତୁତ କରି ସାରିଲୁଣି । ବିଜେପି ପାଟକୁରାରେ ପୁରା ତାକତ୍ରେ ଲଢ଼ିବ ।
ବଜେଟ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ରଖି ଶ୍ରୀ ପ୍ରଧାନ କହିଛନ୍ତି, ଆକଳନ ତୁଳନାରେ ଚଳିତ ବଜେଟରେ ଓଡ଼ିଶାକୁ କମ୍ ଅର୍ଥ ମିଳିବା ଅଭିଯୋଗର କୌଣସି ଆଧାର ନାହିଁ । ରେଳ ବଜେଟର ସଂପୂର୍ଣ୍ଣ ତଥ୍ୟ ଏ ଯାଏ ସାର୍ବଜନୀନ ହୋଇନାହିଁ । ମୁଖ୍ୟ ବଜେଟର ସମସ୍ତ ବିବରଣୀ ମଧ୍ୟ ପବ୍ଲିକ ଡୋମେନରେ ନାହିଁ । ଏ ଭଳି ସ୍ଥିତିରେ ଓଡ଼ିଶାକୁ କମ୍ ଅର୍ଥ ମିଳିବା ନେଇ କିଛି ରାଜନେତା ଅର୍ଥଶାସ୍ତ୍ରୀ ହେବା କଳ୍ପନା ପ୍ରସୂତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଚଳିତ ବଜେଟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଧିକ ରାସ୍ତା, ଆବାସ ଯୋଜନାରେ ଅଧିକ ଘର, ଏସଏଚ୍ଜି ଗ୍ରୁପକୁ ୫ ହଜାର ଟଙ୍କାର ଓଭରଡ୍ରାଫ୍ଟ ଓ ମୁଦ୍ରା ଯୋଜନାରେ ଅଧିକ ଋଣ ମିଳିବ । ସେହିଭଳି କୃଷିକୁ ଏକ ନୂଆ ଢାଞ୍ଚାକୁ ନେବା ପାଇଁ କୃଷି ଉତ୍ପାଦନକାରୀ ସଂସ୍ଥା ବହୁତ ବଡ଼ ମାଧ୍ୟମ ହେବ । ମୋଦିଙ୍କ ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶା ସିଂହଭାଗ ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପୋଲାଭରମ ପ୍ରକଳ୍ପକୁ କଂଗ୍ରେସର ସମାଲୋଚନା ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି, କଂଗ୍ରେସ ଦଳର କୌଣସି ନୈତିକତା ନାହିଁ । କଂଗ୍ରେସକୁ ଏବେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି । ଶ୍ରୀ ପ୍ରଧାନ ଓଲଟା ପ୍ରଶ୍ନ କରିଛନ୍ତି, ପୋଲାଭରମ ପ୍ରକଳ୍ପ କଥା ଉଠାଇବାର କୌଣସି ନୈତିକତା କଂଗ୍ରେସର ନାହିଁ । ୨୦୦୫ରେ ଏକତରଫା ଭାବେ ଓଡ଼ିଶା ଆଦିବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେଉଁମାନେ ପୋଲାଭରମ ନିର୍ମାଣ କରିବାକୁ ଅନୁମତି ଦେଇଥିଲେ? ସେହି ସମୟରେ କଂଗ୍ରେସ ଦଳର ସରକାର ଦିଲ୍ଲୀରେ ଆଉ ଆନ୍ଧ୍ରପ୍ରଦେଶରେ ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କଂଗ୍ରେସର ବିଧାୟକମାନେ ତାଙ୍କର ଇଜ୍ଜତ ବଞ୍ଚାନ୍ତୁ । ଏଥର ନିର୍ବାଚନରେ ବହୁତ ଖରାପ ଅବସ୍ଥାରେ ଓଡ଼ିଆ ଲୋକମାନେ ତାଙ୍କୁ ରଖିଲେ । ଭାରତବର୍ଷର ଲୋକମାନେ କଂଗ୍ରେସ ଦଳ ଓ ତାଙ୍କ ଅହଙ୍କାରୀ ନେତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସେ କହିଛନ୍ତି ।
ତୈଳଦର ବଢିବା ପ୍ରଶ୍ନର ଉତ୍ତର ରଖି ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ସାମଗ୍ରିକ ଉନ୍ନତି ପାଇଁ ଅର୍ଥର ଆବଶ୍ୟକତା ରହିଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଦର କମିବା ଆରମ୍ଭ ହୋଇଥିବା ବେଳେ ଏହାର ସୁଯୋଗ ଭାରତୀୟ ଅର୍ଥ ବ୍ୟବସ୍ଥା ନେବା ଉଚିତ ।
କେନ୍ଦ୍ର ବଜେଟକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ପ୍ରଶଂସା କରିବା ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ତା ବାଟରେ । ବଜେଟକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
Comments are closed, but trackbacks and pingbacks are open.