ଧାନ ଗଦା, ଛତୁ ଓ କଦଳୀ ବାଡ ନଷ୍ଟ କଲେ ହାତୀପଲ

Get real time updates directly on you device, subscribe now.

ରଙ୍ଗେଇଲୁଣ୍ଡା,(ବି.ବି.ନୁ୍ୟଜ): ବ୍ରହ୍ମପୁର ଓ ଦିଗପହଣ୍ଡି ବନାଞ୍ଚଳ ସୀମାବର୍ତ୍ତୀ ରାଧାମାହନପୁର ଝିଙ୍କିପଦର ପାହାଡ଼ ପାଖ ତୁଳସୀଖାଲ ଅଞ୍ଚଳରେ ଘୁମୁସର ହାତୀପଲ ଆଡ୍ଡା ଜମାଇଛନ୍ତି । ସୋମବାର ରାତିରେ ଗୋବିନ୍ଦନଗର ଗ୍ରାମର ସୁରେନ୍ଦ୍ର ସାହୁଙ୍କର ଯେଉଁ ଫସଲ କ୍ଷତି କରିଥିଲେ, ମଙ୍ଗଳବାର ରାତିରେ ପୁଣି ତାଙ୍କର ଧାନ ଗଦା ସାଙ୍ଗକୁ ଛତୁ ବାଡକୁ ନଷ୍ଟ କରି ପକାଇଛନ୍ତି । ଭଗବାନ ସାହୁଙ୍କ ଛତୁ ବାଡ ଏବଂ ବିପ୍ର ସାହୁଙ୍କ କଦଳୀ ବାଡ ମଧ୍ୟ ହାତୀଙ୍କ ଯୋଗୁଁ ନଷ୍ଟ ହୋଇଯାଇଛି ।
ଭାଗ ଚାଷୀ ସୁରେନ୍ଦ୍ର, ହାତ ଉଧାର ଏବଂ ଗୋଳନ୍ଥରା ଷ୍ଟେଟ୍ ବ୍ୟାଙ୍କ୍ରୁ ଏକ ଲକ୍ଷ ଟଙ୍କା ଋଣ ଆଣି ଛତୁ ବାଡକୁ ଲୁହାଛଡ଼ରେ ଛାମୁଟିଆ କରି ଚାଷ କରୁଥିଲେ । ମାତ୍ର ହାତୀ ପଲ ଛତୁ ବାଡ଼କୁ ଦଳିଚକଟି ଦେଇଥିବାରୁ ସେ ବେଶ୍ କ୍ଷତି ସହିଛନ୍ତି । ବାରମ୍ବାର ଫସଲ ନଷ୍ଟ ହେବା ଯୋଗୁଁ ଆତ୍ମହତ୍ୟା ଛଡା ଅନ୍ୟ ଉପାୟ ନାହିଁ ବୋଲି କ୍ଷୋଭବ୍ୟକ୍ତ କରିଛନ୍ତି ସେ । ଏଭଳି ହେଲେ ଝିଅକୁ ବିବାହ କରାଇବା କାଠିକର ହୋଇପଡିବ ବୋଲି କହିଛନ୍ତି ସେ । ଗତ ବର୍ଷ ମଧ୍ୟ ହାତୀଙ୍କ ଯୋଗୁଁ ଫସଲ ନଷ୍ଟ ହୋଇଥିଲା, ବନବିଭାଗକୁ ଦରଖାସ୍ତ କରିଥିଲେ ମଧ୍ୟ ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ସେ ।
ରାଧାମୋହନପୁର ଠାରୁ ଭାଲିଆଗଡ ଦେଇ ଚିକିଟି ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଥିବା ସରସ୍ୱତୀ ଆମ୍ମାଙ୍କ ଫାର୍ମ ହାଉସ୍ରେ ୭୦ଟି ନଡ଼ିଆ ଗଛ ଭାଙ୍ଗି ଦେଇଛନ୍ତି । ସେଠାରୁ ଅଳ୍ପ ଦୂରରେ ଥିବା ପଦ୍ମନାଭ ପ୍ରଧାନ, ଗୁରୁବାରୀ ପ୍ରଧାନଙ୍କ ୩ ଏକର ଧାନ ଗଦା କ୍ଷତି କରିଛନ୍ତି । ଭଗବାନ ପ୍ରଧାନଙ୍କର ଗୋଟିଏ ଏକର ଧାନ ଗଦା ନଷ୍ଟ ହୋଇଛି । ପୀତାମ୍ବର ପ୍ରଧାନଙ୍କ ଛତୁ ବାଡ ଏବଂ ପନିପରିବା ଚାଷ ନଷ୍ଟ କରିଛନ୍ତି ହାତୀ ପଲ । ମଙ୍ଗଳବାର ରାତିରେ ଗୋବିନ୍ଦ ନଗରର ଗଦାଧର ସାହୁ, ଗୋବର୍ଦ୍ଧନ ସାହୁ, ଭଗବାନ ସାହୁ, ରଘୁନାଥ ସାହୁ ପ୍ରମୁଖଙ୍କ ଫସଲ ନଷ୍ଟ ହୋଇଛି । ଗୋବିନ୍ଦ ନଗରର ପ୍ରତ୍ୟକ୍ଷଦର୍ଶୀ ସିଦ୍ଧାନ୍ତ ସାହୁ, ସଦାଶିବ ସାହୁ କହିଛନ୍ତି ଯେ- ଆମେ ବାଣ ଫୁଟାଇ ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ପାରିଲୁ ନାହିଁ । ତିନିଟି ଛୁଆ ସହିତ ୬ଟି ବଡ଼ ହାତୀ ଘୁରି ବୁଲୁଛନ୍ତି । ହାତୀ ପଲ ସୁରଳ ରେଳ ଷ୍ଟେସନ୍ ନିକଟ ଗୁରୁଗୁଡ଼ିଆ ପାହାଡ଼ ପାଖ ଏକ ଖାଲ ଭିତରେ ଦିନରେ ରହୁଛନ୍ତି ଓ ରାତି ହେଲେ ଧାନ, ପରିବା ଖାଇବାକୁ ଚାଷ ଜମି ଆଡକୁ ମାଡି ଆସୁଛନ୍ତି । ଚିକିଟି ବନଖଣ୍ଡ ଅଧିକାରୀ ସନ୍ଧ୍ୟାରାଣୀ ଦଳବେହେରାଙ୍କ ନେତୃତ୍ୱରେ ହାତୀ ଘଉଡାଇବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons