ଧାରା ୩୭୦କୁ ପାକିସ୍ତାନ ବିବ୍ରତ:ଭାରତ ସହ କାଟିବ ସମ୍ପର୍କ

Get real time updates directly on you device, subscribe now.

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଭାରତ ଦ୍ୱାରା ଧାରା ୩୭୦ ପ୍ରତ୍ୟାହାର କରାଯିବା ପରେ ଚାପରେ ଥିବା ପାକ୍ ସରକାର ଏବଂ ସେନା ଆଜି ଭାରତ ବିରୋଧରେ କିଛି ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି । ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା କମିଟିର ବୈଠକ ପରେ ଏହି ଘୋଷଣା କରାଯାଇଛି । ପାକ୍ ସରକାର ଘୋଷଣା କରିଛନ୍ତି କି ଭାରତ ସହିତ ପାକିସ୍ତାନର ଥିବା ସମସ୍ତ ଦ୍ୱିପାକ୍ଷିକ ରାଜିନାମାର ସମୀକ୍ଷା କରିବେ । ପାକିସ୍ତାନ ଭାରତ ସହିତ କୂଟନୈତିକ ସମ୍ପର୍କ ହ୍ରାସ କରିବ । ଇସଲାମାବାଦ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡ଼ିବାକୁ କହିଛି । ଭାରତକୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନେବାକୁ ମଧ୍ୟ ନିଷ୍ପତ୍ତି ନେଇଛି ।
ଏହି ଘୋଷଣା କରାଯିବାର କିଛି ଘଣ୍ଟା ପରେ ପାକିସ୍ତାନ ତରଫରୁ ଭାରତ ସରକାରଙ୍କୁ ଇସଲାମାବାଦରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ କୁହାଯାଇଛି ।
ଆହୁରି ମଧ୍ୟ, ଭାରତ ସହିତ ବାଣିଜ୍ୟ ସମ୍ପର୍କ ସ୍ଥଗିତ କରିବା, ଜାତିସଂଘର ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇବା, ଅଗଷ୍ଟ ୧୪ରୁ କାଶ୍ମୀର ସଲିଡାରିଟି ଡେ’ ଏବଂ ଅଗଷ୍ଟ ୧୫କୁ କଳା ଦିବସ ଭାବେ ପାଳନ କରିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି । ପାକ୍ ପ୍ରଧାନମନ୍ତ୍ରୀ ନିଜ ଦେଶର ଅଧିକାରୀମାନଙ୍କୁ ଭାରତ ଦ୍ୱାରା କରାଯାଉଥିବା ତଥାକଥିତ ମାନବାଧିକାର ଉଲ୍ଲଂଘନ ଏବଂ ଅତ୍ୟାଚାର ସମ୍ପର୍କରେ ଆନ୍ତର୍ଜାତିକ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନ ମଧ୍ୟ ଏହି ପ୍ରସଙ୍ଗରେ ଇସଲାମିକ ରାଷ୍ଟ୍ର ଗୋଷ୍ଠୀର ସମର୍ଥନ ଲୋଡ଼ିଛି । ତା’ଛଡା ଭାରତର ପଦକ୍ଷେପର ଜବାବରେ ପାକିସ୍ତାନ ରାଜନୈତିକ, ଆଇନଗତ ଓ କୂଟନୈତିକ ସ୍ତରରେ କି ପ୍ରକାର ପଦକ୍ଷେପ ଗ୍ରହଣ କରିବ, ସେନେଇ ପରାମର୍ଶ ଦେବାକୁ ଇମ୍ରାନ ଖାନ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି ।
ଅନ୍ୟପକ୍ଷରେ ୨ ଜଣ ବନ୍ଦୀଙ୍କୁ ଆଜି ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବାକୁ ପୂର୍ବରୁ ୋଇଥିବା ନିଷ୍ପତ୍ତିକୁ ମଧ୍ୟ ପାକ୍ ଅଟକାଇ ଦେଇଛି । ଭାରତୀୟ ଦୂତାବାସର ଅଫିସରମାନେ ଦୁଇ ବନ୍ଦୀଙ୍କୁ ଆଣିବାକୁ ଯାଇ ନିରାଶ ହୋଇଛନ୍ତି ।
ଗତ ରାତିରୁ ମଧ୍ୟ ପାକିସ୍ତାନର ମିଡିଆରେ ଖବର ପ୍ରକାଶ ପାଉଛି କି ପାକ୍ ସରକାର ପୁଣି ଥରେ ନିଜ ଦେଶର ବାୟୁସୀମାକୁ ଭାରତୀୟ ଏୟାରଲାଇନ୍ସଗୁଡ଼ିକ ପାଇଁ ବନ୍ଦ କରିବେ । ଏହାଦ୍ୱାରା ଭାରତ ଉପରେ ଆର୍ଥିକ ଚାପ ପଡ଼ିବ ବୋଲି ସିଏ ମନେ କରୁଛି । ସିଏ ମଧ୍ୟ ୱାଘା ସୀମାକୁ ବନ୍ଦ କରିବ ବୋଲି କୁହାଯାଉଛି । ପାକିସ୍ତାନ ମଧ୍ୟ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରାଇବା ପାଇଁ ଷଡ଼ଯନ୍ତ୍ର କରୁଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ସେଠାକାର ଜଣେ ପୂର୍ବତନ ସରକାରୀ ଅଧିକାରୀ ଧମକ ଦେଇ କହିଛନ୍ତି ଯେ ପାକ୍ ସରକାର ଭାରତକୁ ଏହାର ଜବାବ ଦେବା ପାଇଁ ହଜାର ହଜାର ଜିହାଦୀଙ୍କୁ କାଶ୍ମୀରକୁ ପଠାଇପାରିବେ । ଇମ୍ରାନ ଖାନ ଆମେରିକା ଗସ୍ତ ସମୟରେ ତାଙ୍କ ଦେଶରେ ୪୦,୦୦୦ ଜିହାଦୀ ଥିବାର ପ୍ରକାଶ କରିଥିଲେ । ତେଣୁ ସେ ଏବେ ଭାରତ ବିରୋଧରେ ଏହି ଜିହାଦୀମାନଙ୍କୁ ବ୍ୟବହାର କରିପାରନ୍ତି । ଭାରତୀୟ ସୁରକ୍ଷା ଏଜେନ୍ସି ଆଶଙ୍କା କରୁଛନ୍ତି କି ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀର ସହିତ ମୁମ୍ବାଇ ଏବଂ ଅନ୍ୟ କିଛି ପ୍ରମୁଖ ସହରରେ ଆକ୍ରମଣ କରିପାରନ୍ତି । ସୀମାରେ ମଧ୍ୟ ଅନୁପ୍ରବେଶ ଉଦ୍ୟମ ବଢ଼ିପାରେ । ଏହାକୁ ଦେଖି ଭାରତୀୟ ସେନା ଏବଂ ଅନ୍ୟ ସଂସ୍ଥା ଅତି ସତର୍କତା ଅବଲମ୍ବନ କରୁଛନ୍ତି ।
ଅନ୍ୟପଟରେ, ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବା ପାଇଁ ସଂସଦରେ ଗୃହୀତ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଧାରା ୩୭୦ର ୩ ଅଧିନିୟମ ଅଧୀନରେ ଦିଆଯାଇଥିବା ଅଧିକାରୀ ପ୍ରୟୋଗ କରି ରାଷ୍ଟ୍ରପତି ସଂସଦର ପରାମର୍ଶ କ୍ରମେ ଜମ୍ମୁ-କାଶ୍ମୀରରେ ଅଗଷ୍ଟ ୬ରୁ ଉକ୍ତ ଧାରା ଆଉ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ଘୋଷଣା କରିଛନ୍ତି । ଫଳରେ ଏହି ଦିନ ଠାରୁ ଉକ୍ତ ରାଜ୍ୟରେ ଆଉ ପୃଥକ୍ ସମ୍ବିଧାନ ଏବଂ ପତାକା ପ୍ରଚଳନ କରାଯିବ ନାହିଁ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏହି ପ୍ରସଙ୍ଗରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ବୋଲି ଆଜି ସରକାରଙ୍କ ଦ୍ୱାରା ସୂଚନା ଦିଆଯାଇଛି ।
ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିଡ ଡୋଭାଲଙ୍କର ଏକ ଭିଡିଓ ମଧ୍ୟ ଆଜି ଭାଇରାଲ ହୋଇଛି ଯେଉଁଥିରେ ସେ କାଶ୍ମୀରର ସୋପିଆନ ଜିଲାରେ କିଛି ସ୍ଥାନୀୟ ଲୋକଙ୍କ ସହିତ ବାର୍ତ୍ତାଳାପ ଓ ଏକାଠି ଭୋଜନ କରୁଛନ୍ତି । ସେ ରାଜ୍ୟର ପରିସ୍ଥିତି ବିଷୟରେ ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଲୋକେ ରାଜ୍ୟରୁ ଧାରା ୩୭୦ ହଟିବା ନେଇ ଖୁସି ବ୍ୟକ୍ତ କରୁଛନ୍ତି । ଏହାପରେ ଡୋଭାଲ ଅନ୍ୟ ଏକ ସ୍ଥାନରେ ରାଜ୍ୟ ପୁଲିସ ଓ ସେନା ଯବାନଙ୍କ ସହିତ କଥା ହେଉଥିବାର ଉକ୍ତ ଭିଡିଓରେ ଦେଖାଯାଉଛି । ଡୋଭାଲ ପୂର୍ବରୁ ରାଜ୍ୟରେ ସବୁକିଛି ଠିକ୍ଠାକ୍ ଥିବାର କେନ୍ଦ୍ର ସରକାରଙ୍କୁ ଜଣାଇ ସାରିଛନ୍ତି । ତେବେ ଡୋଭାଲ ଯେପରି ବିନା ସୁରକ୍ଷାକର୍ମୀରେ ସେଠାରେ ବୁଲୁଛନ୍ତି, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଥିରୁ ସେଠାରେ ପରିସ୍ଥିତି ସ୍ୱାଭାବିକ ଥିବାର ମନେ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons