ଧାୱନଙ୍କୁ ୧୨ ଦିନ ବିଶ୍ରାମ: ପନ୍ତଙ୍କୁ ଆଗୁଆ

Get real time updates directly on you device, subscribe now.

ନଟିଂହାମ୍: ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ବିଶ୍ୱକପ୍ ମ୍ୟାଚ୍ରେ ଆହତ ହୋଇଥିବା ଓପନର ଶିଖର ଧାୱନଙ୍କ ଆହତ ସମସ୍ୟାକୁ ନେଇ ଟିମ୍ ଇଣ୍ଡିଆ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ଧାୱନଙ୍କ ଚିକିତ୍ସା ଚାଲିଥିବାବେଳେ ତାଙ୍କ ବଦଳ ଖେଳାଳି ଭାବେ ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଶବ ପନ୍ତଙ୍କୁ ଡାକରା ମିଳିଛି । ସେ କେବଳ ଧାୱନଙ୍କ ବଦଳ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ କରିବେ । ଧାୱନ ଦଳରୁ ବାଦ ନପଡ଼ିବା ପର୍ଯ୍ୟନ୍ତ ପନ୍ତଙ୍କୁ ୧୫ଜଣିଆ ଦଳରେ ସ୍ଥାନ ମିଳିବ ନାହିଁ । ସେ କେବଳ ଦଳ ସହ ରହି ଅଭ୍ୟାସ କରିପାରିବେ ।
୨୧ବର୍ଷିୟ ପନ୍ତ ଆସନ୍ତାକାଲି ଇଂଲଣ୍ଡ ଅଭୁମୂଖେ ଯାତ୍ରା କରିବେ । ଲଣ୍ଡନରେ ପହଞ୍ଚି ସେ ମାଞ୍ଚେଷ୍ଟରରେ ଦଳ ସହ ଯୋଗ ଦେବେ । ଭାରତୀୟ ଦଳ ଆସନ୍ତାକାଲି ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡ୍ରେ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ । ଏହି ମ୍ୟାଚ୍ ପରେ ଦଳ ମାଞ୍ଚେଷ୍ଟର ଗସ୍ତ କରିବ । ସେଠାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ୧୬ ତାରିଖରେ ମୁକାବିଲା ରହିଛି । ଫଳ ସ୍ୱରୂପ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ପନ୍ତ ଦଳ ସହ ଯୋଗ ଦେଇ ଅଭ୍ୟାସ କରି ପାରିବେ ।
ଭାରତୀୟ ଦଳ ସହ ଧାୱନ ଆଜି ନଟିଂହାମ୍ରେ ଅଭ୍ୟାସ ଶିବିରକୁ ଓହ୍ଲାଇଥିଲେ । ଗ୍ରାଉଣ୍ଡ୍ରେ କେବଳ ସାଥୀ ଖେଳାଳିଙ୍କୁ ନେଟ୍ସ ନିକଟରେ ବଲ୍ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା । ତାଙ୍କ ବାମ ହାତ ବୁଢା ଆଙ୍ଗୁଳିରେ ବ୍ୟାଣ୍ଡେଜ୍ ଗୁଡ଼ା ହୋଇଥିଲା । ବର୍ତ୍ତମାନ ବିସିସିଆଇର ଡାକ୍ତରୀ ଦଳ ଧାୱନ ସହ ରହି ଚିକିତ୍ସାର ତଦାରଖ କରୁଛନ୍ତି । ଧାୱନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ୧୦/୧୨ ଦିନ ପାଇଁ ବିଶ୍ରାମ ଦିଆଯାଇଛି । ତେଣୁ ସେ ଆଗାମୀ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ । ଏହି ସମୟ ମଧ୍ୟରେ ତାଙ୍କ ଫିଟ୍ନେସ୍ ଉପରେ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ଆଶା କରାଯାଉଛି । ତାଙ୍କୁ ଦଳରୁ ବାଦ ନଦେବାକୁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବା ବିସିସିଆଇ ପୂର୍ବରୁ ଘୋଷଣା କରି ସାରିଛି ।
ଟିମ୍ ଇଣ୍ଡିଆ ସହକାରୀ କୋଚ୍ ସଞ୍ଜୟ ବାଙ୍ଗର ଆଜି ଧାୱନଙ୍କ ଆହତ ସମସ୍ୟା ବିଷୟରେ ଗଣମାଧ୍ୟମକୁ ଜଣାଇଥିଲେ । ସେ କହିଥିଲେ ଯେ, ଆମେ ତାଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ଦଳରୁ ବାଦ ଦେବାକୁ ଚାହୁଁ ନାହୁଁ । ଏତେ ଶୀଘ୍ର ତାଙ୍କ ଉପରେ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ । ୧୦/୧୨ ଦିନ ପାଇଁ ତାଙ୍କୁ ବିଶ୍ରାମ ଦେଇଛୁ । ଏହା ପରେ ତାଙ୍କ ଆଘାତ ସ୍ଥାନର ସ୍ଥିତି ସ୍ପଷ୍ଟ ହେବ । ସେ ଯଥା ଶୀଘ୍ର ଫିଟ୍ ହେବେ ବୋଲି ଆମେ ଆଶା ରଖିଛୁ । ଧାୱନ ସର୍ବଦା ଆଇସିସି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଆସିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ସେ ଶତକ ଅର୍ଜନ କରିଥିଲେ । ଦଳ ତାଙ୍କୁ ଆବଶ୍ୟକ କରୁଛି । ତେଣୁ ତାଙ୍କୁ ଆମେ ଦଳରେ ରଖିଛୁ ।
ବାଙ୍ଗରଙ୍କ ମନ୍ତବ୍ୟରୁ ଏତିକି ସ୍ପଷ୍ଟ ହୋଇଛି ଯେ, ଧାୱନ ବିଶ୍ୱକପ୍ ମଧ୍ୟରେ ଫିଟ୍ ହେଲେ ଖେଳିବା ନିଶ୍ଚିତ । ପନ୍ତ କେବଳ ତାଙ୍କ ବଦଳ(ଅତିରିକ୍ତ) ଖେଳାଳି ଭାବେ ଦଳରେ ରହିବେ । ହେଲେ ୧୫ଜଣଙ୍କ ମଧ୍ୟରେ ସେ ସ୍ଥାନ ପାଇବେ ନାହିଁ । ସଠିକ୍ ସମୟ ମଧ୍ୟରେ ଧାୱନ ଫିଟ୍ ନହୋଇ ପାରିଲେ ଦଳରୁ ବାଦ ପଡ଼ିବେ । ତାଙ୍କ ସ୍ଥାନରେ ପନ୍ତ ବିଶ୍ୱକପ୍ ଦଳରେ ସ୍ଥାନ ପାଇବେ । କେବଳ ଇଂଲଣ୍ଡ ଜଳବାୟୁ ଖାପ ଖୁଆଇବା ପାଇଁ ପନ୍ତଙ୍କୁ ଆଗୁଆ ଡ଼ାକରା ମିଳିଥିବା ବାଙ୍ଗର ସ୍ପଷ୍ଟ କରିଛନ୍ତି । ପନ୍ତଙ୍କୁ ଦଳ ସହ ଅଭ୍ୟାସ କରାଇ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ରଖାଯିବ ।
୨୧ବର୍ଷିୟ ପନ୍ତ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚିତ । ସେ ଇତି ମଧ୍ୟରେ ୫ଟି ଦିନିକିଆ ଖେଳିସାରିଛନ୍ତି । ଦିନିକିଆରେ ତାଙ୍କ ଷ୍ଟ୍ରାଇକ ରେଟ୍ ୧୩୦.୯୮ ରହିଛି । ଭାରତ ପକ୍ଷରୁ ସେ ୯ଟି ଟେଷ୍ଟ ଖେଳିଛନ୍ତି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଟେଷ୍ଟ ଶତକ ଅର୍ଜନ କରି ସେ ଭାରତୀୟ ଦଳର ଆଗାମୀ ଦିନର ଷ୍ଟାର୍ ମାନ୍ୟତା ପାଇ ସାରିଛନ୍ତି । ବିଶ୍ୱକପ୍ ଦଳରେ ତାଙ୍କୁ ସ୍ଥାନ ଦେବା ପାଇଁ ବହୁ ମତ ପ୍ରକାଶ ପାଇଥିଲା । ହେଲେ ଚୟନକର୍ତ୍ତା ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କୁ ପ୍ରାଥମିକତା ଦେଇଥିଲେ । ଉନ୍ନତ ପ୍ରଦର୍ଶନ ସତ୍ତେ୍ୱ ପନ୍ତ ବିଶ୍ୱକପ୍ ଦଳରେ ସ୍ଥାନ ହାସଲ କରିପାରି ନଥିଲେ । ଅବଶ୍ୟ ତାଙ୍କୁ ବିଶ୍ୱକପ୍ ଷ୍ଟାଣ୍ଡବାଇ ରୂପେ ଚୟନ କରାଯାଇଥିଲା ।
ଧାୱନଙ୍କ ସ୍ଥାନରେ ଲୋକେଶ ରାହୁଲ ଓ ରୋହିତ ଶର୍ମା ପାଳି ଆରମ୍ଭ କରିବେ । ଦିନେଶ କାର୍ତ୍ତିକ ଓ ବିଜୟ ଶଙ୍କର ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ଏହି ସ୍ଥାନରେ ବ୍ୟାଟିଂ କରିବାର ଅଭିଜ୍ଞତା ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons