ଧୁଲଧୁଲାରେ ହତ୍ୟାକାଣ୍ଡ:ଶ୍ୱଶୁର ମୃତ, ବହୂ ଗୁରୁତର

Get real time updates directly on you device, subscribe now.

ଉଲୁଣ୍ଡା,(ବି.ବି.ନୁ୍ୟଜ୍): ଉଲୁଣ୍ଡା ଥାନା ଧୁଲଧୁଲା ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି । ଏହି ଘଟଣାରେ ଶ୍ୱଶୁରର ମୃତୁ୍ୟ ହୋଇଥିବା ବେଳେ ବହୂ ଗୁରୁତର ହୋଇ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ଏକ ଟାଙ୍ଗିଆ, ରକ୍ତ ଭିଜା କିଛି କପଡା ପୁଲିସ ଜବତ କରିଛି । ମୃତ ଜଣକ ହେଲେ ଉକ୍ତ ଗାଁର ରାଜକୁମାର ଲୁହା ଏବଂ ଗୁରୁତର ଜଣକ ହେଲେ ଭୂମିସୁତା ଲୁହା ।
ସୂଚନା ମତେ ମୃତକଙ୍କ ସ୍ତ୍ରୀ ଭକ୍ତି ଲୁହା ଆଜି ଭୋରରେ ନୂତନ ଭାବେ ନିର୍ମାଣ କରିଥିବା ଘରକୁ ପାଣି ଦେବାକୁ ଚାଲିଯାଇଥିଲେ । କିଛି ସମୟ ପରେ ତାଙ୍କ ଜଣେ ପଡୋଶୀ ତୁମ ନାତୁଣୀ କାନ୍ଦୁଛି ବୋଲି ଖବର ଦେଇଥିଲେ । ତୁରନ୍ତ ସେଠାରୁ ଆସି ଦେଖିଲା ପରେ ତାଙ୍କ ସ୍ୱାମୀ ରାଜକୁମାର ଓ ବହୂ ଭୂମିସୁତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଛୁଆଟି କାନ୍ଦୁଥିବା ଦେଖିଥିଲେ । ତୁରନ୍ତ ଉଭୟଙ୍କୁ ଆମ୍ବୁଲାନ୍ସରେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ରାଜକୁମାରଙ୍କୁ ଡାକ୍ତର ମୃତ ଘୋଷାଣା କରିଥିବା ବେଳେ ଭୂମିସୁତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଥିଲେ । ତେବେ ଭୂମିସୁତାଙ୍କ ସ୍ୱାମୀ ଦୀର୍ଘ ୭ମାସ ହେବ ତାମିଲନାଡୁକୁ ଯାଇଥିବା ଜଣାପଡିଛି । ଖବରପାଇ ଉଲୁଣ୍ଡା ପୁଲିସ ଶବ ଜବତ କରିଛି । ଏନେଇ ମୃତକଙ୍କ ସ୍ତ୍ରୀ ଭକ୍ତି ତାଙ୍କ ସ୍ୱାମୀଙ୍କୁ ହତ୍ୟା ଏବଂ ବହୂଙ୍କୁ ଆକ୍ରମଣ ହୋଇଥିବା ନେଇ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଘଟଣାସ୍ଥଳକୁ ଏସ୍ପି ଦେବିପ୍ରସାଦ ଦାସ, ବୀରମହାରାଜପୁର ଏସ୍ଡିପିଓ ଧୀରଜ ଚୋପଦାର, ଆଇଆଇସି ବିଦୂଭୂଷଣ ପୁଟା, ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମ ପହଂଚିଥିଲେ । ସେଠାରୁ ଏକ ଧାରୁଆ ଅସ୍ତ୍ର ଜବତ କରିଥିବା ବେଳେ ହତ୍ୟାକାରୀର କୌଣସି ସନ୍ଧାନ ପାଇନଥିଲେ । ତେବେ ହତ୍ୟାକାଣ୍ଡଟି କେଉଁ କାରଣକୁ ନେଇ ଘଟିଛି ତାହା ରହସ୍ୟ ଘେରରେ ରହିଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ତଦନ୍ତ ଜାରି ରହିଥିବା ଏସ୍ଆଇ ଏସ୍କେ. ଆଚାର୍ଯ୍ୟ ସୂଚନା ଦେଇଛନ୍ତି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons