ନିଶ୍ଚିନ୍ତକୋଇଲି/ନେମାଳ,(ବି.ବି.ନ୍ୟୁଜ୍): ନିଶ୍ଚିନ୍ତକୋଇଲି ବ୍ଲକ୍ ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ରବିବାର ସକାଳେ ଏକ ଅଭାବନୀୟ ଅଘଟଣ ଘଟିଛି । ଖୁଦୁରୁକୁଣୀ ଓଷା ଲାଗି ନଦୀବନ୍ଧରେ ଫୁଲ ତୋଳୁଥିବା ବେଳେ ଗୋଡ଼ ଖସି ଯିବାରୁ ଶୁକପାଇକା ନଈରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏଥିସହ ସେମାନଙ୍କର ଅନ୍ୟ ଜଣେ ସାଥୀ ଗୁରୁତର ହୋଇଛନ୍ତି ।
ମୃତ ଦୁଇ ଭଉଣୀ ହେଲେ ସଫିପୁର ଗାଁର ଧୀରେନ୍ଦ୍ର ଦାସଙ୍କ ଝିଅ ସୁଜାତା (୧୬) ଓ ପ୍ରଦୀପ୍ତ ଦାସଙ୍କ ଝିଅ ସୁମନ (୧୭) । ଉଭୟ ସମ୍ପର୍କରେ ବଡ଼ବାପା ଝିଅ ଓ ଦାଦା ଝିଅ ଭଉଣୀ ବୋଲି ଜଣାପଡ଼ିଛି । ପାଣିରେ ବୁଡ଼ିଯାଇ ଗୁରୁତର ହୋଇପଡ଼ିଥିବା ବାଳିକା ହେଲେ ନୃସିଂହ ଦାସଙ୍କ ଝିଅ ସୁନୀତା ଦାସ (୧୭) । ଶବ ବ୍ୟବଚ୍ଛେଦ ପରେ ଗାଁ ମଶାଣିରେ ଦୁଇ ଭଉଣୀଙ୍କ ମରଶରୀର ଗୋଟିଏ ଜୁଇରେ ଜଳିଛି । ଭାଇ ବିକ୍ରମ ଦାସ ଚିତାରେ ମୁଖାଗ୍ନି ଦେଇଥିଲେ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଉପସ୍ଥିତ ଗାଁ ଲୋକଙ୍କ ଆଖିରେ ଲୁହ ଆଣିଥିଲା । ଆପଣାଛାଏଁ ସବୁରି ଆଖି ଓ ମନ ଦୁଃଖ ଓ ଶୋକରେ ଭିଜିଥିଲା । ସୁଜାତା ଓ ସୁମନଙ୍କ ଖୁଦୁରୁକୁଣୀ ଓଷା, ପୂଜା ଅଧାରେ ଅଟକି ଯାଇଛି ।
ସୁଜାତା ଓ ସୁମନ ଉଭୟ ୍ମ୨ ପ୍ରଥମ ବର୍ଷ କଳା ଛାତ୍ରୀ । ସେମାନେ ଚଳିତ ବର୍ଷ ମାଟ୍ରିକ ପାସ୍ ପରେ ପ୍ରଥମକରି କଲେଜରେ ପାଦ ଥାପିଥିଲେ । ଅନେକ ସ୍ୱପ୍ନ ଦେଖୁଥିଲେ । ପରିବାର ଲୋକେ ବି ସେମାନଙ୍କଠାରୁ ଅନେକ କିଛି ଆଶା କରିଥିଲେ । କିନ୍ତୁ ବିଧିର ବିଧାନ ଆଗରେ ସବୁ ଯେମିତି ଓଲଟପାଲଟ ହୋଇଯାଇଛି । ଏଇ ଘଟଣା ପରେ ଦୁଃଖ, ଶୋକରେ ଗାଁଲୋକେ ମର୍ମାହତ ହୋଇପଡ଼ିଛନ୍ତି । ନଈରେ ବୁଡ଼ି ପାଣି ପିଇ ଅଣନିଶ୍ୱାସୀ ହୋଇ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ସୁନିତା ଦାସ (୧୭) ଚିକିତ୍ସା ପରେ ଘରକୁ ଫେରିଛନ୍ତି ସତ । କିନ୍ତୁ ତାଙ୍କ ମନ ଆଦୌ ବୁଝୁନାହିଁ । ଘଟଣାକୁ ମନେ ପକାଇ କାନ୍ଦୁଛନ୍ତି । ପୁଣି ବାରମ୍ବାର ମୂର୍ଚ୍ଛା ଯାଉଛନ୍ତି ।
ମିଳିଥିବା ତଥ୍ୟ ମୁତାବକ, ଖୁଦୁରୁକୁଣୀ ଓଷା ଲାଗି ଆଜି ସକାଳେ ଏହି ତିନିଜଣ ସାଙ୍ଗ ହୋଇ ଫୁଲ ତୋଳିବାକୁ ଶୁକପାଇକା ନଦୀବନ୍ଧକୁ ଯାଇଥିଲେ । ଫୁଲ ତୋଳୁଥିଲା ବେଳେ ଗୋଡ଼ ଖସିଯିବାରୁ ପରକୁପର ତିନିହେଁ ଭରା ନଦୀରେ ଖସି ପଡ଼ି ବୁଡ଼ି ଯାଇଥିଲେ । ତିନି ଜଣଙ୍କର ଘରକୁ ଆସିବାରେ ବିଳମ୍ୱ ହେବାରୁ ଘରଲୋକେ ସେମାନଙ୍କୁ ଖୋଜି ଖୋଜି ନଦୀ ନିକଟକୁ ଯାଇଥିଲେ । ନଦୀକୂଳରେ ସୁନୀତା ମୁମୂର୍ଷୁ ଅବସ୍ଥାରେ ଭାସୁଥିଲା ବେଳେ ସୁଜାତା ଓ ସୁମନ ପାଣିରେ ବୁଡ଼ିଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଦମକଳବାହିନୀ ସହାୟତାରେ ନଦୀରେ ଖୋଜାଖୋଜି କରିବା ପରେ ସୁଜାତା, ସୁମନ ଓ ସୁନୀତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସୁଜାତା ଓ ସୁମନଙ୍କୁ ମୃତ ଘୋଷଣା କରିଥିଲା ବେଳେ ସୁନୀତାଙ୍କୁ ଚିକିତ୍ସା କରିଥିଲେ । ସୌଭାଗ୍ୟବଶତଃ ସୁନୀତା ସୁସ୍ଥ ହୋଇ ଘରକୁ ଫେରିଥିଲେ । ଖବର ପାଇ କିଶନନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତା ସୁଜାତା ଓ ସୁମନଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡାକ୍ତରଖାନାକୁ ପଠାଇଥିଲେ । ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହୋଇ ଗ୍ରାମକୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ଦୁଇ ଭଉଣୀଙ୍କ ମରଶରୀରକୁ ଗୋଟିଏ ଜୁଇରେ ସଂସ୍କାର କରାଯାଇଥିଲା । ସଂସ୍କାର ବେଳେ କଟକସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ବିଜେଡି ନେତା ରମେଶ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ବାବୁଜଙ୍ଗର ପୂର୍ବତନ ସରପଞ୍ଚ ସୁରେନ୍ଦ୍ରନାଥ ଖୁଣ୍ଟିଆ, ପୂର୍ବତନ ସମିତି ସଭ୍ୟ ମନୋଜ ମହାନ୍ତି, ସ୍ୱାଧୀନ ଭୂୟାଁ, କଟକ ସାଂସଦଙ୍କ ପ୍ରତିନିଧି ମିଲନ ଭୂୟାଁ, ସରପଞ୍ଚ ସବିତା ସେଠୀ, ଜମ୍ୱେଶ୍ୱର ବେହେରା, ସରପଞ୍ଚ ଶଶୀକାନ୍ତ ମହାନ୍ତି, ଶିଶିର ଦାସ, ଦୁର୍ଗାପ୍ରସାଦ ଦାସ, ସୁନାକର ସାହୁ, ରମେଶ ଚନ୍ଦ୍ର ଜେନା ପ୍ରମୁଖଙ୍କ ସହ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ଗ୍ରାମବାସୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.