ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀ ପୋଲ ଉପରୁ ନଈକୁ ଡେଇଁ ପହଁରି ପହଁରି ଖସିଯିବାକୁ ଚେଷ୍ଟା କରୁଥିଲା ମୂର୍ତ୍ତି ଚୋର । ପୁଲିସ ବି ଛାଡ଼ିନଥିଲା । ନଈରେ ପଶି ଚୋରକୁ ଧରିବାକୁ ଚେଷ୍ଟା କରିଥିଲା । ଭରା ନଈ ଭିତରେ ଅନେକ ସମୟ ଚାଲୁ ରହିଥିଲା ଗୋଡ଼ାଗୋଡ଼ି, ଚୋର-ପୁଲିସ ଖେଳ । ଶେଷରେ ପାଖାପାଖି ଦୁଇ ଘଣ୍ଟାର କସରତ ପରେ ଦମକଳବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତା ନେଇ ଚୋରକୁ ନଦୀ ଭିତରୁ କାବୁ କରାଯାଇଥିଲା । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦାଣ୍ଡିସାହି ରାମ ମନ୍ଦିରରୁ ପ୍ରାଚୀନ ମୂର୍ତ୍ତି ଚୋରି ଘଟଣାର ଏମିତି ଢଙ୍ଗରେ ପର୍ଦ୍ଧାଫାସ୍ କରିବାରେ ପଟ୍ଟାମୁଣ୍ଡାଇ ପୁଲିସ ସଫଳ ହୋଇଛି । ପୁଲିସ ଚୋରି ଯାଇଥିବା ମୂର୍ତ୍ତି ଓ ସମସ୍ତ ଗହଣା ଉଦ୍ଧାର କରିବା ସହ ମୂର୍ତ୍ତି ଚୋରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନାୟାଡିଆ ଗ୍ରାମର ଭରତ ଓରଫ ପ୍ରଫୁଲ୍ଲ ମଳିକ ବୋଲି ଜଣାପଡିଛି ।
ପଟ୍ଟାମୁଣ୍ଡାଇ ଏସ୍ଡିପିଓ ସନ୍ଧ୍ୟାରାଣୀ ବେହୁରିଆ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ଗତ ଶନିବାର ବିଳମ୍ବିତ ରାତିରେ ଦାଣ୍ଡିସାହି ଗ୍ରାମର ଆରାଧ୍ୟ ଦେବତା ଶ୍ରୀରାମ ମନ୍ଦିରରୁ ପୂଜା ପାଉଥିବା ମୂର୍ତ୍ତି ସହ ଦାମୀ ଅଳଙ୍କାର ଚୋରି ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏହି ଚୋରି ପଛରେ ଆନ୍ତଃଜିଲ୍ଲା ମୂର୍ତ୍ତି ଚୋର ର୍ୟାକେଟ୍ ସଂପୃକ୍ତ ଥିବା ନେଇ ସାଧାରଣରେ ସନେ୍ଦହ ପ୍ରକାଶ ପାଇଥିଲା । ଏ ସଂପର୍କରେ ଦାଣ୍ଡିସାହି ଗ୍ରାମର ରଶ୍ମି ରଞ୍ଜନ ରାଉତଙ୍କ ଅଭିଯୋଗକୁ ଭିତ୍ତି କରି ପଟ୍ଟାମୁଣ୍ଡାଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।
ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଚଉଦକୁଲାଟ ଫାଣ୍ଡି ଅଧିକାରୀ ଏସ୍ଆଇ ବିଲ୍ୱମଙ୍ଗଳ ସେଠୀ ଓ ଅନ୍ୟ ପୁଲିସ ଅଫିସରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ ପେସାଦାର ମୂର୍ତ୍ତିଚୋରଙ୍କ ସଂପର୍କରେ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରିଥିଲେ । ବହୁ ଉଦ୍ୟମ ପରେ ନାୟାଡିଆ ଗ୍ରାମର ଭରତ ମଳିକକୁ ପୁଲିସ ସନେ୍ଦହ କରିଥିଲା । ତାକୁ ଧରିବାକୁ ଉଦ୍ୟମ କରାଯିବାରୁ ସେ ଦାଣ୍ଡିସାହି ବ୍ରାହ୍ମଣୀ ନଦୀ ପୋଲ ଉପରୁ ଡେଇଁ ପହଁରି ଖସି ଯିବାକୁ ଚେଷ୍ଟା କରିଥିଲା । ଚୋର ଭରାନଦୀରେ ଖସି ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ଡଙ୍ଗା ଯୋଗେ ଅଭିଯୁକ୍ତକୁ ପିଛା କରିଥିଲା । ହେଲେ ତାକୁ ଧରିନପାରିବାରୁ ଅଗ୍ନିଶମବାହିନୀର ସାହାଯ୍ୟ ନେଇଥିଲା । ଅଗ୍ନିଶମବାହିନୀ ପହଞ୍ଚିବା ପରେ ଦୁଇଟି ଡଙ୍ଗାରେ ଅଭିଯୁକ୍ତକୁ ଧରିବା ପାଇଁ କସରତ ଚାଲିଥିଲା । ଶେଷରେ ଖସି ପଳାଇବାକୁ ଉଦ୍ୟମ କରୁଥିବା ଭରତକୁ ପୁଲିସ ଧରିବାକୁ ସକ୍ଷମ ହୋଇଥିଲା । ପରେ ତାକୁ ପ;ାମୁଣ୍ଡାଇ ଥାନାକୁ ଅଣାଯାଇଥିଲା । ଥାନାରେ ଭରତ କହିଥିଲା ଯେ, ସେ ମୂର୍ତ୍ତି ଚୋରି ବିଷୟରେ କିଛି ଜାଣିନି । ଏସବୁ ପ୍ରହସନ ବୋଲି ସେ କହିଥିଲା । ତେବେ ତା’ ନିକଟରୁ ଚୋରି ହୋଇଥିବା ରାମ, ଲକ୍ଷ୍ମଣ, ସୀତାଙ୍କ ମୂର୍ତ୍ତି ଓ ସମସ୍ତ ଅଳଙ୍କାରକୁ ଉଦ୍ଧାର କରାଯିବା ସହ ତାକୁ ଗିରଫ କରି ଥାନାକୁ ଅଣାଯାଇଥିଲା । ପୁଲିସ ଭରତକୁ କୋର୍ଟଚାଲାଣ କରିବା ପରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.