ନଈ ନୁହେଁ, ଇଏ ଆମ ରାଜପଥ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ସୁଅ ଛୁଟୁଛି । ଯିଏ ଦେଖୁଛି କହୁଛି, ଭାଇ ନଈ ନା କ’ଣ । ହେଲେ କଥାଟା ସେଇଆ ନୁହେଁ । ଇଏ ହେଉଛି ଆମ ୨୬ ନମ୍ବର ଜାତୀୟ ରାଜପଥ । ଏଠି ବେଙ୍ଗ ମୁତିଲେ ବୁଡିଯାଉଛି ରାସ୍ତା, ଉପୁଜୁଛି କୃତ୍ରିମ ବନ୍ୟା ପରିସ୍ଥିତି, ମନରେ ସୃଷ୍ଟି କରୁଛି ନଈର ଭ୍ରମ । ଧନ୍ୟ ଆମ ରାଜପଥ ବିଭାଗ । ଯେତେ ତାଳିପକା କାମ କଲେ କ’ଣ ହେବ, ଇଦ୍ର ଦେବଙ୍କ ଆଗରେ ସବୁ ଫସର ଫାଟୁଛି ।
ଉପରୁ ପାଣି ଝରିବା ମାତ୍ରେ ବୁଡ଼ି ଯାଉଛି ରାଜପଥ । ଗାନ୍ଧିଛକ ନିକଟ ଜାତୀୟରାଜପଥ ପାରିହେବାକୁ ହେଲେ ଏଣିକି ଡଙ୍ଗା ବ୍ୟବସ୍ଥା କରିବାକୁ ପଡ଼ିବ । ନହେଲେ ଅଣ୍ଟାଏ ପାଣିରେ ପଶିକରି ଯିବାକୁ ହେବ । ଗୋଟିଏ ପଟେ ରାଜପଥ ସାରା ଖାଲଖମା । ଶହ ଶହ ଗାତ । ଅନ୍ୟପଟେ ବର୍ଷା ହେଲେ ଏଭଳି ଅବସ୍ଥା । ଲୋକେ ଏଣିକି ରାଜପଥ ପାରି ହେବାକୁ ଭୟ କଲେଣି । ଅସଲ କଥା ହେଲା, ରାସ୍ତାରୁ ପାଣି ନିଷ୍କାସନ ଲାଗି କୌଣସି ବ୍ୟବସ୍ଥା ନାହିଁ ।
ଆଜି ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା । ଅପରାହ୍ନ ୧୨ଟାରେ ଘଣ୍ଟାଏ ପାଇଁ କୁଟିଥିଲା । ବର୍ଷା ଯୋଗୁ ସହର ଦେଇଯାଇଥିବା ୨୬ ନମ୍ବର ଜାତୀୟରାଜପଥର ଗାନ୍ଧଛକ ନିକଟରେ ଅଣ୍ଟାଏ ଉଚ୍ଚରେ ପାଣି ଜମା ହୋଇରହିଥିଲା । କାରଣ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିଲା । ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗିଥିଲେ । ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବା ଦରକାର । ତୁରନ୍ତ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ଆବଶ୍ୟକ । ନହେଲେ ୬ ମାସ ତଳେ ନିର୍ମିତ ହୋଇଥିବା ରାସ୍ତାର ଚିହ୍ନବର୍ଣ୍ଣ ନଥିବ ଆଉ ୬ ମାସ ପରେ । ଏସବୁ ଦେଖି ଜଳକା ସାଜିଛି ରାଜପଥ ବିଭାଗ । ବର୍ଷା ସରିବା ପରେ କାମ ଆରମ୍ଭ ହେବ ବୋଲି କହୁଛି । କିନ୍ତୁ ବର୍ଷା ପୂର୍ବରୁ କାହିଁକି ସ୍ଥାୟୀ ପଦକ୍ଷେପ ନିଆଯାଉନି, ତାକୁ ନେଇ ପ୍ରଶ୍ନ କରିଛନ୍ତି ସହରବାସୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons