ବାରିପଦା,(ବି.ବି.ନ୍ୟୁଜ୍): ବହୁରୂପୀ ପରି ରଙ୍ଗ ବଦଳାଉଥିଲା ଠକ ଜଣକ । ନିଜ ଫେସ୍ବୁକ୍ ଆକାଉଣ୍ଟରେ କେତେବେଳେ ଆଇଏଏସ୍ ଅଧିକାରୀ ବୋଲି ପରିଚୟ ଦେଇ ବିଭିନ୍ନ ଯୁବତୀଙ୍କ ସହ ସଂପର୍କ ରକ୍ଷା କରୁଥିଲା ତ ପୁଣି କେବେ ଆଇଆରଏସ୍ର ପରିଚୟ ଦେଉଥିଲା । ତେବେ ବାରମ୍ବାର ଧରାପଡିବା ପରେ ମଧ୍ୟ ଠକ ମହାଶୟଙ୍କର ଅନ୍ୟକୁ ଠକିବା ନିଶା କମି ନ ଥିଲା । ନକଲି ଆଇଏଏସ ବୋଲି ଜଣାପଡିବା ପରେ କିଛିଦିନ ପାଇଁ ଗିରଫ ହୋଇ ଜେଲ ହାଜତକୁ ଯାଇଥିଲା । ମୁକୁଳିବା ପରେ ପୁଣି ନିଜ ଠକେଇ ବିଜିନେସ୍ ଆରମ୍ଭ କରିଦେଇଥିଲା । ପରିଶେଷରେ ବାରିପଦା ପୁଲିସହାତରେ ଧରାପଡ଼ି ହାଜତକୁ ଯିବା ପରେ ଏବେ ଅଦାଲତଙ୍କ ଦ୍ୱାରା ଦଣ୍ଡିତ ହୋଇଛି । ଏହି ଜାଲ୍ ଅଧିକାରୀ ସତ୍ୟଜିତ ପଣ୍ଡାକୁ ମାନ୍ୟବର ଏସଡିଜେଏମ୍ ସୁମିତା ଆଚାର୍ଯ୍ୟ ଆଜି ଦୋଷୀ ସାବ୍ୟସ୍ତ କରି ତାଙ୍କ ରାୟରେ ଆସାମୀକୁ ୬ବର୍ଷ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜୋରିମାନା ଆଦାୟ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ଭଦ୍ରକ ଜିଲ୍ଲାର ବଉଳପାଳ ଗାଁର ସତ୍ୟଜିତ ପଣ୍ଡା ବାରିପଦା ଅମ୍ବିକାମନ୍ଦିର ସାହିରେ ଏକ ଘର ଭଡା କରି ରହୁଥିଲା । ଫେସବୁକ୍ ଆକାଉଣ୍ଟରେ ନିଜର ପରିଚୟ ଜଣେ ଆଇଆରଏସ ଅଫିସର ବୋଲି ପ୍ରୋଫାଇଲ ପିକଚରରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ମଧ୍ୟ ସଫଳ ହୋଇଥିଲା । ବହୁ ବଡବଡ଼ିଆଙ୍କ ସହିତ ଫେସବୁକ୍ ଫ୍ରେଣ୍ଡ ଭାବେ ଯୋଡି ହେବା ସହ ଅଧିକରୁ ଅଧିକ ଯୁବତୀମାନଙ୍କ ସହ ଯୋଡି ହେବା ପାଇଁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଥିଲା । ଆଉ ଥରେ ଯୁବତୀମାନେ ଆକ୍ସେପ୍ଟ କରିବା ପରେ ସେ ତା’ର ଜାଲ ବିଛାଉଥିଲା । କାହାକୁ ଚାକିରୀ ଦେବା, କାହାକୁ ଏନଜିଓ ପୁଣି କାହାକୁ ବିବାହର ପ୍ରତିଶ୍ରୁତି ଦେଇ ଠକି ଚାଲିଥିଲା ସତ୍ୟଜିତ୍ । ଏହି ବାଟରେ ବେଶ ଭଲ ପଇସା ରୋଜଗାର କରୁଥିଲା । ତେବେ ଏହି ଠକ ହାବୁଡ଼ରେ ପଡ଼ି ବାରିପଦା ପୁରୁଣା ହାଟସାହି ଅଞ୍ଚଳର ଜଣେ ମହିଳାନେତ୍ରୀ ଏନଜିଓ କରାଇ ଦେବାକୁ ଅନୁରୋଧ କରି ୩ହଜାର ଟଙ୍କା ଦେଇଥିଲେ । ଏହା ପରେ ଠକ ଜଣକ ଧରାଛୁଆଁ ନ ଦେବାରୁ ମହିଳାନେତ୍ରୀଙ୍କ ସନ୍ଦେହ ହୋଇଥିଲା । ତେଣୁ ସେ ଟାଉନଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏହି ନକଲି ଆଇଆରଏସ୍ ସତ୍ୟଜିତ୍ ପଣ୍ଡାକୁ ମୋବାଇଲ ଟ୍ରାକିଂ ମାଧ୍ୟମରେ ଧରି ଗିରଫ ସହ କୋର୍ଟ ଚାଲାଣ କରିଥିଲା ।
ପୁଲିସ ସତ୍ୟଜିତ ପଣ୍ଡା ବିରୋଧରେ ୪୧୭, ୪୧୯, ୪୨୦, ୧୭୦,୪୬୮, ୬୬ସି ଏବଂ ୬୬ଡି ଦଫା ଲଗାଇଥିଲା । ଏହି ମାମଲାର ବିଚାର କରି ମାନ୍ୟବର ଏସଡିଜେଏମ୍ ସୁମିତା ଆଚାର୍ଯ୍ୟ ଆସାମୀ ସତ୍ୟଜିତ ପଣ୍ଡା ବିରୋଧରେ ରାୟ ପ୍ରକାଶ କରିଛନ୍ତି । ରାୟ ମୁତାବକ ମାନ୍ୟବର କୋର୍ଟ ସତ୍ୟଜିତ ପଣ୍ଡାକୁ ୬ବର୍ଷ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ରହିଛି । କୋର୍ଟରେ ଏହି ରାୟ ପ୍ରକାଶ ପରେ ଆସାମୀ ସତ୍ୟଜିତ ପଣ୍ଡାକୁ ବାରିପଦା ମଣ୍ଡଳକାରାଗାରକୁ ପଠାଇ ଦିଆ ଯାଇଛି ।
Comments are closed, but trackbacks and pingbacks are open.