ଅନୁଗୁଳ,(ବି.ବି.ନୁ୍ୟଜ): ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି ଶିଳ୍ପ ନଗରୀ ଅନୁଗୁଳ । ଭେଜାଲ୍ ତେଲ, ଅଟା ଓ ହଳଦୀ ପରେ ସହର ଉପକଣ୍ଠ କୁମଣ୍ଡ ଭଣ୍ଡୁବରରୁ ଠାବ ହୋଇଛି ନକଲି ଆଳୁ ଚିପ୍ସ କାରଖାନା । ମାସେ କି ଦୁଇ ମାସ ନୁହଁ, ପ୍ରଶାସନର ନାକ ତଳେ ଦୀର୍ଘ ୫ ବର୍ଷ ହେଲା ଚାଲିଥିଲା ଏହି ଅବୈଧ କାରଖାନା । ବିଭିନ୍ନ ନାମୀଦାମୀ ବ୍ରାଣ୍ଡେଡ୍ ପ୍ୟାକେଟ୍ ଭିତରେ ଭେଜାଲ୍ ମାଲ୍ ପ୍ୟାକିଂ କରି ବଜାରକୁ ଛଡ଼ା ଯାଉଥିଲା । ଶନିବାର ସନ୍ଧ୍ୟାରେ ଅନୁଗୁଳ ପୁଲିସ୍ର ସ୍ପେଶାଲ୍ ସ୍କ୍ୱାର୍ଡ୍ ଓ ସଦର ଥାନା ପୁଲିସ୍ର ମିଳିତ ଭାବେ ଏହି ନକଲି କାରଖାନା ଉପରେ ଚଢ଼ାଉ କରିଛି । ଖବର ଲେଖାହେବା ସୁଦ୍ଧା ଚଢ଼ାଉ ଜାରି ରହିଥିବା ବେଳେ ପୁଲିସ୍ କାରଖାନା ମାଲିକକୁ ଅଟକ ରଖିଛି । କାରଖାନାରୁ ପ୍ରାୟ ୮ଟି କମ୍ପାନିର ପ୍ୟାକେଟ୍, ଚିପ୍ସରେ ବ୍ୟବହୃତ ବିଭିନ୍ନ ବେନାମୀ ମସଲା, ଅବଧି ସରିଥିବା ଚକୋଲେଟ୍, ମଶାଧୂପ କାଠି ଜବତ କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଦୀର୍ଘ ୫ ବର୍ଷ ହେଲା ଭଣ୍ଡୁବରରେ ଚାଲିଥିଲା ନକଲି ଚିପ୍ସ କାରଖାନା । ସନ୍ଦୀପ ଗୋଏଲ ନାମକ ଜଣେ ବ୍ୟକ୍ତି ଏହି ଭେଜାଲ୍ କାରବାର ଚଳାଇଥିଲେ । ବିଭିନ୍ନ ବେନାମୀ କମ୍ପାନିର ପ୍ୟାକେଟରେ ଅସୁରକ୍ଷିତ ଭାବେ ଚିପ୍ସ ପ୍ରସ୍ତୁତ କରି ବଜାରକୁ ଛଡ଼ା ଯାଉଥିଲା । ଚିପ୍ସ ସହିତ ଚକୋଲେଟ୍ ଓ ମଶା ଧୂପକାଠି ମଧ୍ୟ କାରବାର ଚାଲିଥିଲା । ଏନେଇ ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇବା ପରେ ଆଜି ସନ୍ଧ୍ୟାରେ ଆତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ ବେନାମୀ ମସଲା, ବିଭିନ୍ନ ବ୍ରାଣ୍ଡ ଓ ବେନାମୀ ପ୍ୟାକେଟ୍ ଆଦି ଜବତ କରିଥିଲା । ଏହି କାରଖାନା ଦେଢ଼ ବର୍ଷ ହେଲା ବନ୍ଦ ଥିବା ମାଲିକ ସନ୍ଦୀପ ଗୋଏଲ୍ କହୁଥିବା ବେଳେ, ଏଠାରୁ ବହୁ ସଦ୍ୟ ପ୍ରସ୍ତୁତ ଚିପ୍ସ ଜବତ କରାଯାଇଛି । ନିରାପତ୍ତାକୁ ଆଦୌ ଧ୍ୟାନ ଦିଆଯାଇନଥିବା ବେଳେ ପିଲାଙ୍କ ପାଇଁ ଖାଦ୍ୟ ନାଁରେ ଜହର ପ୍ରସ୍ତୁତି ଚାଲିଥିଲା । ସ୍ପେଶାଲ୍ ସ୍କ୍ୱାର୍ଡ୍ ପୁଲିସ୍ ନକଲି କାରଖାନା ମାଲିକ ସନ୍ଦୀପ୍ଙ୍କୁ ସଦର ଥାନାର ଜିମା ଦେଇଛି । ଏପଟେ ଉଭୟ ସ୍ପେଶାଲ୍ ସ୍କ୍ୱାର୍ଡ୍ ଓ ସଦର ପୁଲିସ୍ ପକ୍ଷରୁ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ସଦର ଥାନା ଆଇଆଇସି ପ୍ରଭାତ ତ୍ରିପାଠୀ, ସ୍ପେଶାଲ୍ ସ୍କ୍ୱାର୍ଡ୍ ଅଧିକାରୀ ଏସ୍ଆଇ ଦୀନକୃଷ୍ଣ ମିଶ୍ର, ସଦର ଥାନା ଏସ୍ଆଇ ପ୍ରକାଶ ମାଝୀଙ୍କ ସମେତ ପୁଲିସ୍ କର୍ମଚାରୀ ସାମିଲ୍ ଅଛନ୍ତି ।
Comments are closed, but trackbacks and pingbacks are open.