ନକଲି ବିଦେଶୀ ମଦ କାରଖାନା ଠାବ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଆଳୁ ଖୋଳୁ ଖୋଳୁ ମହାଦେବ । ଚୋରା କାଠ ଜବତ କରିବାକୁ ଯାଇଥିବା ବେଳେ ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା । ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ସାଙ୍ଗକୁ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସାମଗ୍ରୀ ଜବତ କରାଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର କାଠପଟା ଏବଂ ଅଧା ତିଆରି କବାଟ, ଝରକା ବି ଜବତ କରାଯାଇଛି । ଚଢଉ ବେଳେ ବନ ବିଭାଗକୁ ଚକ୍ମା ଦେଇ ଏକ ଯିବାକୁ କହି ଚମ୍ପଟ ମାରିଛନ୍ତି ଜୟନଗର ଅଞ୍ଚଳର ଘର ମାଲିକ ମହେନ୍ଦ୍ର ସ୍ୱାଇଁ । ମହେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ବନବିଭାଗ ପଚରାଉଚରା କରିବା ପରେ କୋର୍ଟଚାଲାଣ କରିଛି । ସ୍ଥାନୀୟ ଜୟନଗର ଅଞ୍ଚଳର ଚିଲିଗୁଡାରେ ହୋଇଥିବା ଏହି ଚଢଉ ଘଟଣା ଆଜି ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ଜୟନଗର ଅଞ୍ଚଳରେ ଚୋରା କାଠପଟ୍ଟା କାରବାର ଚାଲିଥିବା ସଂପର୍କରେ ଖବର ପାଇଥିଲା ବନ ବିଭାଗ । ଆରମ୍ଭ କରିଥିଲା ଖୋଳତାଡ଼ । ଚିଲିଗୁଡାରେ ଏକ ନୂତନ କୋଠା ଭିତରେ କାଠ କାମ ଚାଲୁଥିବା ଏବଂ ଚୋରାରେ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲା । ଆଜି ପୂର୍ବାହ୍ନ ୧୦ଟାରେ ରେଞ୍ଜର ରଶ୍ମିରଞ୍ଜନ ସ୍ୱାଇଁ, ଫରେଷ୍ଟର ପ୍ରଶାନ୍ତ ସାମନ୍ତରାୟ ଏବଂ ଅନ୍ୟ ବନ କର୍ମଚାରୀମାନେ ଚିଲିଗୁଡାର ମହେନ୍ଦ୍ରଙ୍କ ଘରେ ଚଢଉ କରିଥିଲେ । ନିର୍ମାଣ ହେଉଥିବା ନୂତନ କୋଠା ଭିତରୁ ପଟ୍ଟା ଓ ଅର୍ଦ୍ଧନିର୍ମିତ କବାଟ ଝରକା ଜବତ କରିଥିଲେ । ଏହାପରେ କୋଠା ମାଲିକ ରହୁଥିବା ଅନ୍ୟ ଏକ ଘର ଯାଞ୍ଚ କରିଥିଲେ । ସେଠାରେ ଶହ ଶହ ସଂଖ୍ୟାରେ ନକଲି ବିଦେଶୀ ମଦ ବୋତଲ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲ । ମଦ ପ୍ରସ୍ତୁତ ପାଇଁ ଆବଶ୍ୟକ ବୋତଲ, ଷ୍ଟିକର, ଠିପି ଓ ଅନ୍ୟାନ୍ୟ ସାମଗ୍ରୀ ବି ସେଠାରେ ରହିଥିଲା । ପ୍ରସ୍ତୁତ ହୋଇଥିବା ପେଟି ପେଟି ମଦ ବୋତଲ ଏବଂ ଖାଲି ବୋତଲ ରହିଥିଲା । ଏ ସମ୍ପର୍କରେ ରେଞ୍ଜର ଶ୍ରୀ ସ୍ୱାଇଁ ଟାଉନ ଥାନାକୁ ଖବର ଦେଇଥିଲେ । ସଂଗେ ସଂଗେ ସେଠାରେ ପହଞ୍ଚିଥିଲା ପୁଲିସ୍ । ପ୍ରସ୍ତୁତ ହୋଇଥିବା ନକଲି ବିଦେଶୀ ମଦ ଓ ପ୍ରସ୍ତୁତ ପାଇଁ ଥିବା ସାମଗ୍ରୀ ଜବତ କରିଥିଲା । ଘର ମାଲିକଙ୍କୁ ହସ୍ତାନ୍ତର କରିବାକୁ କହିଥିଲା । କିନ୍ତୁ ବନ ବିଭାଗ ଏଥିରେ ରାଜି ହୋଇନଥିଲା । ତଦନ୍ତ ପରେ ହସ୍ତାନ୍ତର କରାଯିବ ବୋଲି ପୁଲିସ୍କୁ କହିଥିଲା । ଏହାପରେ ନକଲି ମଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ଥାନାକୁ ଫେରିଥିଲେ କର୍ମଚାରୀ । ତା ପରେ ବନ ବିଭାଗ ହେପାଜତରୁ କୌଶଳକ୍ରମେ ଖସି ଯାଇଥିଲେ ଘର ମାଲିକ ମହେନ୍ଦ୍ର । ପରେ ଜବତ କାଠ ଏବଂ ମହେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ବନ କର୍ମଚାରୀ କାର୍ଯ୍ୟାଳୟକୁ ଫେରିଥିଲେ । ଏ ସଂପର୍କରେ ଥାନାରେ ଏବଂ ବନ ବିଭାଗ କାର୍ଯ୍ୟାଳୟରେ ଭିନ୍ନ ଭିନ୍ନ ଦୁଇଟି ମାମଲା ରୁଜୁ କରାଯାଇଛି । ମହେନ୍ଦ୍ରଙ୍କ ସମେତ ତାଙ୍କ ଭାଇ ଲମ୍ବୋଦରଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ସୂଚନାଥାଉକି, ଜୟପୁର ସହର ଏବେ ଚୋରା ନିଶା କାରବାରର ପେଣ୍ଠସ୍ଥଳି ପାଲଟି ଯାଇଛି । କେତେବେଳେ ଗୁଟ୍ଖା କାରଖାନା ତ ଆଉ କେତେବେଳେ ନକଲି ମଦ କାରଖାନା ଠାବ ହୋଇଥିବା ନଜିର ରହିଛି । ଏହା ପୂର୍ବରୁ ଦୋଳମଣ୍ଡପ ସାହି ଏବଂ ହାଟପଦାର ଏକ ପରିତ୍ୟକ୍ତ ଗୋଦାମରୁ ପ୍ରଚୁର ଗୁଟ୍ଖା ସହ ମେସିନ୍ ଜବତ କରାଯାଇଥିଲା । ସେହିପରି ଏନ୍କେଟି ରୋଡ୍ର ଏକ ବାର୍ରୁ ବିପୁଳ ନକଲି ମଦ ଜବତ କରାଯାଇଥିଲା । ଅନୁରୂପ ଭାବେ ଇରିଗେସନ କଲୋନି ଅଞ୍ଚଳରୁ ନକଲି ମଦ କାରଖାନା ଠାବ କରାଯାଇଥିଲା । ସେଠାରୁ ବିଭିନ୍ନ ହୋଟେଲ ଓ ଢାବାକୁ ମଦ ଚାଲାଣ ହେଉଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons