ଜୟପୁର,(ବାସୁଦେବ ଜେନା): ନିଜକୁ ମାଓବାଦୀ ପରିଚୟ ଦେଇ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଦାବି କରିବା ମହଙ୍ଗା ପଡିଛି । ବୈପାରିଗୁଡା ଥାନା ପୁଲିସ ଜଣେ ନକଲି ମାଓବାଦୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତିଜଣଙ୍କ ହେଲେ ରାମଗିରି ଅଞ୍ଚଳର ବୋଲି ଥାନା ଅଧିକାରୀ ରଘୁନାଥ ମାଝୀ କହିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାମଗିରିର ଜଣେ ଯୁବକ ନିଜକୁ ସିପିଆଇ ମାଓବାଦୀ ବୋଲି ପରିଚୟ ଦେବା ସହ ଧମକ ଦେଇ ସେହି ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ୨ ଲକ୍ଷ ଟଙ୍କା ମାଗିଥିଲେ । ଯଥାଶୀଘ୍ର ଟଙ୍କା ନଦେଲେ ଜୀବନରେ ମାରିଦିଆଯିବ ବୋଲି ବ୍ୟବସାୟୀଙ୍କୁ ଚେତାବନୀ ଦେଇଥିଲେ । ଏସମ୍ପର୍କରେ ଖବର ମିଳିବା ପରେ ଟଙ୍କା ଦାବି କରୁଥିବା ଯୁବକଜଣକୁ ପୁଲିସ କାବୁ କରିଥିଲା । ଥାନାରେ ଜେରା କରିବା ପରେ ସମ୍ପୃକ୍ତ ବ୍ୟକ୍ତି ସବୁ ସତକଥା ସ୍ୱୀକାର କରିଥିଲା । ଏନେଇ ଥାନାରେ ୫୪/୨୧ରେ ଏକ ମାମଲା ରୁଜୁ କରି ନକଲି ମାଓବାଦୀକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଅଧିକାରୀ ଶ୍ରୀ ମାଝୀ କହିଛନ୍ତି ।


Comments are closed, but trackbacks and pingbacks are open.