ନୂଆଦିଲ୍ଲୀ: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ଦ୍ୱିତୀୟଥର ପାଇଁ କ୍ଷମତାସୀନ ହେବା ପରେ ନକ୍ସଲ ଦମନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଯୋଜନା ଅନୁସାରେ ସବୁଠାରୁ ଅଧିକ ନକ୍ସଲ ଉପଦ୍ରୁତ ଛତିଶଗଡର ଅବୁଝମାଡ଼ ଜଙ୍ଗଲରେ ପ୍ରାୟ ୭ ହଜାର କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆରପିଏଫ)ର ଯବାନଙ୍କୁ ନିୟୋଜିତ କରାଯିବ ।
ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ନକ୍ସଲଙ୍କ ଗଡ ଭାବେ ପରିଚିତ ଦକ୍ଷିଣ ଛତିଶଗଡର ଅବୁଝମାଡ ଜଙ୍ଗଲ ନକ୍ସଲଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଛି । ଅବୁଝମାଡ ଜଙ୍ଗଲ ରାଜସ୍ୱ ନକ୍ସାରେ ନାହିଁ । କିନ୍ତୁ ୩,୯୯ ବର୍ଗ କି.ମି. ପରିବ୍ୟାପ୍ତ ଏହି ଘଞ୍ଚ ଜଙ୍ଗଲକୁ ନକ୍ସଲମାନେ ନିଜକୁ ଲୁଚାଇବା ଲାଗି ବ୍ୟବହାର କରିଆସୁଛନ୍ତି । ସରକାରଙ୍କ ଦ୍ୱାରା ଚଳାଯାଉଥିବା ଅପରେସନ ଏଠାରେ ସଫଳ ହୋଇପାରୁ ନାହାନ୍ତି । ତାହାର କାରଣ ହେଉଛି ଏହି ଜଙ୍ଗଲର ସୀମା ମହାରାଷ୍ଟ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ଲାଗିଥିବାରୁ ନକ୍ସଲମାନେ ସହଜରେ ଗୋଟିଏ ରାଜ୍ୟର ସୀମା ଡେଇଁ ଅନ୍ୟ ରାଜ୍ୟକୁ ପଳାଇଯାଉଛନ୍ତି । ଗୋଟିଏ ରାଜ୍ୟ ପଟୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ଅନ୍ୟ ରାଜ୍ୟକୁ ସେମାନେ ସହଜରେ ଖସିଯାଉଛନ୍ତି । ତେଣୁ ସେମାନଙ୍କ ଖସିବା ବାଟ ବନ୍ଦ କରିବା ଲାଗି ଏହି ଅତିରିକ୍ତ ଯବାନଙ୍କୁ ସେଠାରେ ମୁତୟନ କରାଯିବ । ଘଞ୍ଚ ଜଙ୍ଗଲ ଓ ପାହାଡ ଘେରା ସେହି ଅଞ୍ଚଳକୁ ସୁରକ୍ଷା ବାହିନୀ ମଧ୍ୟ ପ୍ରବେଶ କରିପାରୁ ନାହିଁ । ଯାହାର ଫାଇଦା ନକ୍ସଲମାନେ ନେଉଛନ୍ତି ।
ଗୁଇନ୍ଦା ସୂଚନାକୁ ଆଧାର କରି ସରକାର ଏଠାରେ ନକ୍ସଲଙ୍କୁ ନିପାତ କରିବା ଲାଗି ସ୍ୱତନ୍ତ୍ର ରଣନୀତି ବନାଇଛନ୍ତି । ସେଥିପାଇଁ ଗତ ସପ୍ତାହରେ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ବାମପନ୍ଥୀ ମାଓବାଦୀ ଉପଦ୍ରୁତ ରାଜ୍ୟର ଏକ ବୈଠକ ଡାକିଥିଲେ । ସେଥିରେ ସିଆରପିଏଫ ଯବାନଙ୍କ ମୁତୟନ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ପଡୋଶୀ ଜିଲ୍ଲା ସୁକମା ଓ ବିଜାପୁରରେ ମଧ୍ୟ ଅଧିକ ସଂଖ୍ୟକ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ନକ୍ସଲମାନେ ମହାରାଷ୍ଟ୍ର-ଆନ୍ଧ୍ରପ୍ରଦେଶ-ଓଡ଼ିଶା ତ୍ରିକୋଣ ଅଞ୍ଚଳରେ ନିଜର ଆଡ୍ଡା ବନାଇବା ସହିତ ସେଠାରେ ନୂଆ ଗୋଷ୍ଠୀ ଗଠନ କରୁଥିବା ସଶ୍ଛର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ୨୦୧୭ରେ ନକ୍ସଲମାନେ ଏଠାରେ ‘ବିସ୍ତାରା ପ୍ଲାଟୁନ’ ନାମରେ ନୂଆ ବାହିନୀ ଗଠନ କରିଥିଲେ । ବର୍ତ୍ତମାନ ରାଜ୍ୟରେ ମାଓ ଦମନ ପାଇଁ ପାଖାପାଖି ୪୪ ହଜାର କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ନିୟୋଜିତ କରାଯାଇଛି । ତା’ଛଡା ରାଜ୍ୟ ପୁଲିସର ମଧ୍ୟ ବହୁସଂଖ୍ୟକ ଯବାନ ନିୟୋଜିତ ହୋଇଛନ୍ତି । ବୈଠକରେ ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ମଧ୍ୟପ୍ରଦେଶର ମୁଖ୍ୟ ସଚିବ ଏବଂ ପୁଲିସ ଡିଜିଙ୍କ ସମେତ ସିଆରପିଏଫ, ବିଏସ୍ଏଫ ଓ ଆଇଟିବିପିର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଛତିଶଗଡ ସରକାରଙ୍କୁ ନକ୍ସଲଙ୍କ ବିରୋଧରେ ଦମନମୂଳକ ରଣନୀତି ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ତା’ଛଡା ସହରରେ ରହି ନକ୍ସଲଙ୍କୁ ସମର୍ଥନ ଓ ସହଯୋଗ କରୁଥିବା କିଛି ବ୍ୟକ୍ତିଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବାକୁ କହିଛି । ଗତବର୍ଷ ମହରାଷ୍ଟ୍ର ପୁଲିସ ସହରାଞ୍ଚଳରେ ରହୁଥିବା ୧୦ ଜଣ ନକ୍ସଲ ସମର୍ଥକଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଥିଲେ ମାନବାଧିକାର କାର୍ଯ୍ୟକର୍ତ୍ତା ସୁଧା ଭରଦ୍ୱାଜ । ଛତିଶଗଡରେ ଚଳିତ ବର୍ଷ ପ୍ରଥମ ୬ ମାସ ଭିତରେ ନକ୍ସଲ ବିରୋଧରେ ପ୍ରାୟ ୬୦ଟି ଅପରେସନ କରାଯାଇଛି । ଏଥିରେ ୩୪ ଜଣ ନକ୍ସଲ ପ୍ରାଣ ହରାଇଥିଲା ବେଳେ ୧୭ ଜଣ ଯବାନ ସହିଦ ହୋଇଛନ୍ତି । ୨୦୧୬ ପରେ ରାଜ୍ୟରେ ନକ୍ସଲଙ୍କ ବିରୋଧରେ ମୋଟ ୬୩୫ଟି ଅପରେସନ ଚଳାଯାଇଛି । ଯେଉଁଥିରେ ୩୭୦ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୭୯ ଜଣ ଯବାନ ସହିଦ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି ।


Comments are closed, but trackbacks and pingbacks are open.