ରାୟଗଡ଼ା,(ବି.ବି.ନ୍ୟୁଜ୍): ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି । ଝୁଲାପୋଲରୁ ମନୋରମ ଦୃଶ୍ୟ ଦେଖିବା ସହ ସ୍ନାନ କରିବା ପର୍ଯ୍ୟଟକଙ୍କ ପାଇଁ କାଳ ହେଉଛି । ଗାଧୋଇବା ବେଳେ ଅସାବଧାନତା ଯୋଗୁ ରାୟଗଡା ଝୁଲା ପୋଲ ନିକଟ ନଦୀରେ ବୁଡି଼ ଆଜି ପୁଣି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ନାଇଡୁପେଟାର କେ. ନାଗେଶ(୧୮) । ତାଙ୍କ ମୃତ୍ୟୁରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ୨ବର୍ଷ ମଧ୍ୟରେ ଝୁଲାପୋଲ ନିକଟରେ ଏହାକୁ ମିଶାଇ ୧୫ଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପ୍ରଶାସନର ଚେତା ପଶୁ ନଥିବା ଆଲୋଚନା ହେଉଛି ।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ୫ଟି ଗାଡ଼ିିରେ ୨୦ଜଣ ନାଇଡୁପେଟାରୁ ରାୟଗଡା ଆସିଥିଲେ । ସକାଳୁ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ କରିଥିଲେ । ମା’ଙ୍କ ଦର୍ଶନ ପରେ ସମସ୍ତେ ସହର ଉପକଣ୍ଠରେ ଥିବା ଝୁଲାପୋଲ ନିକଟକୁ ବୁଲିବାକୁ ଯାଇଥିଲେ । ଝୁଲା ପୋଲ ଦେଖିବା ପରେ ସମସ୍ତେ ତଳକୁ ଓହ୍ଲାଇ ନାଗାବାଳୀ ନଦୀ ନିକଟକୁ ଯାଇଥିଲେ । ଏହି ସମୟରେ ନାଗେଶ ନଦୀରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ପାଣିର ଗଭୀରତା ଜାଣି ନପାରି ସେ ବୁଡ଼ି ଯାଇଥିଲେ । ସାଥୀରେ ଥିବା ସମ୍ପର୍କୀୟମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନାଗେଶ ଗଭୀର ପାଣିିଭିତରେ ବୁଡ଼ିି ଯାଇଥିଲେ । ନଦୀତଟରେ ଥିବା ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଦୁଇ ଘଣ୍ଟା ଧରି ଦମକଳ କର୍ମଚାରୀ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା । କିଛି ସମୟ ପରେ ଚେକାଗୁଡ଼ା ଓ ମାରିଗୁଡ଼ା ଗାଁର ୪ ଜଣ ଯୁବକ ନଦୀକୁ ଓହ୍ଲାଇ ଖୋଜାଖୋଜି କରିଥିଲେ । ଘଟଣାସ୍ଥଳରୁ ପ୍ରାୟ ୩୦୦ ମିଟର ଦୂରରେ ନାଗେଶଙ୍କ ଶବ ଠାବ କରାଯାଇଥିଲା । ଏକ ପଥର ତଳେ ସେ ଚାପି ହୋଇଯାଇଥିଲେ । ବହୁ କଷ୍ଟରେ ନଦୀକୂଳକୁ ଅଣାଯାଇଥିଲା ଶବ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଝୁଲା ପୋଲ ନିକଟରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.