ବାରଙ୍ଗ, (ବି.ବି.ନୁ୍ୟଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନଂ ୩୬ (ଖ) ଖୁଆଡରେ ଆଜି ଏକ ମଣିପୁରୀ ହରିଣ ଶାବକ ଜନ୍ମ ନେଇଛି । ଆଜି ସକାଳେ ଖୁଆଡ ଦାୟିତ୍ୱରେ ଥିବା କର୍ମଚାରୀ ମଣିପୁର ହରିଣ ଏକ ଶାବକ ଜନ୍ମ କରିଥିବା ଦେଖି ନନ୍ଦନକାନନ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ପ୍ରାଣୀ ଉଦ୍ୟାନର ଡାକ୍ତର ଓ ଅଧିକାରୀମାନେ ସେଠାରେ ପହଞ୍ଚି ମା’ ଓ ଶାବକର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମା’ ଓ ଶାବକ ଉଭୟେ ସୁସ୍ଥ ଥିବା ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି । ଏହି ଶାବକଟି ଜନ୍ମ ହେବାପରେ ଏମାନଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୬ଟି ଅଣ୍ଡିରା ୫ଟି ମାଈ ରହିଛନ୍ତି । ୫ଟି ଶାବକଙ୍କର ଲିଙ୍ଗ ନିରୂପଣ କରାଯାଇ ନାହିଁ । ଏହି ବିଲୁପ୍ତ ପ୍ରାୟ ହରିଣ ମୁଖ୍ୟତଃ ଦକ୍ଷିଣ ଏସିଆରେ ଦେଖାଯାଆନ୍ତି । ବିଶେଷ କରି ଭାରତର ପୂର୍ବାଞ୍ଚଳର ମଣିପୁର ଆର୍ଦ୍ର ଭୂମି ଅଞ୍ଚଳରେ ଏମାନେ ରହିଥାନ୍ତି । ଏହି ପ୍ରଜାତି ହରିଣଙ୍କର ଗର୍ଭଧାରଣ କ୍ଷମତା ୨୪୦ ଦିନ । ପୁରୁଷ ହରିଣଙ୍କ ଓଜନ ପ୍ରାୟତଃ ୯୫ କିଲୋ ଓ ଲମ୍ବ ପ୍ରାୟ ୪ ରୁ ୪.୫ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏମାନଙ୍କର ହାରାହାରି ପରମାୟୁ ୧୦ ରୁ ୧୪ ବର୍ଷ । ଏଠାରେ ଗତ ନଭେମ୍ବର ୧ ତାରିଖରେ ଗୋଟିଏ ମଣିପୁରୀ ହରିଣ ଶାବକ ଜନ୍ମ ହୋଇଥିଲା ।
Comments are closed, but trackbacks and pingbacks are open.