ନବକଳେବର ପାଇଁ ୫୦୦ କୋଟି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦୁଇ ବର୍ଷରେ ବଦଳିଯିବ ପୁରୀ ସହରର ଚେହେରା । ଦେଖିଲେ ଲାଖିଯିବ ଆଖି । କେଉଁଠି ଅତ୍ୟାଧୁନିକ ଟ୍ରମ୍ପେଟ୍ ବ୍ରିଜ୍ ଛିଡ଼ା ତ ହେବ ଆଉ କେଉଁଠି ମନୋରମ ହ୍ରଦ ସୃଷ୍ଟି କରାଯିବ । ସୌନ୍ଦର୍ଯ୍ୟକରଣରେ ଚମକିବ ଅଠରନଳା । ମୂଷା ନଈ ନୂଆ ଜୀବନ ପାଇବ । ତୀର୍ଥ ପୁଷ୍କରିଣୀଗୁଡ଼ିକ ପୁଣି ଥରେ ଝଲସିବ । ରାସ୍ତାଘାଟ, ପାର୍କିଂ ବ୍ୟବସ୍ଥା ସବୁ କିଛି ଚକାଚକ୍ ହୋଇଯିବ । ଏମିତି କେତେ କ’ଣ ଯୋଜନା ପ୍ରସ୍ତୁତ ହୋଇଛି । \nପବିତ୍ର ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ପାଇଁ ରାଜ୍ୟ ରାଜକୋଷର ଭଣ୍ଡାର ଖୋଲି ଦେଇଛନ୍ତି । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ଘୋଷଣା କରିଛନ୍ତି ଆଉ ୫୦୦ କୋଟି ଟଙ୍କାର ପ୍ୟାକେଜ୍ । ଓଡ଼ିଶା ସେତୁ ଓ ନିର୍ମାଣ ପ୍ରକଳ୍ପ ଦାୟିତ୍ୱ ନେବ । ସରକାରୀ ଛୁଟି ସତ୍ତେ୍ୱ ଆଜି ଲୋକସଭା ଭବନରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ମୁଖ୍ୟମନ୍ତ୍ରୀ ଏସବୁ ଘୋଷଣା କରିଛନ୍ତି ।\nନିର୍ମାଣ ହେବ ଅତ୍ୟାଧୁନିକ ‘ଶ୍ରୀ ସେତୁ’\nପୁରୀ ବାଇପାସ୍ ଏନ୍ଏଚ୍ରୁ ଜଗନ୍ନାଥ ବଲ୍ଲଭ ମଠକୁ ଅତ୍ୟାଧୁନିକ ଟ୍ରମ୍ପେଟ୍ ସେତୁ ଦ୍ୱାରା ସଂଯୋଗ କରାଯିବ । ଏହାର ନାଁ ହେବ ‘ଶ୍ରୀ ସେତୁ’ । ଏଥିପାଇଁ ଖର୍ଚ୍ଚ ହେବ ୧୯୦ କୋଟି ଟଙ୍କା । ପ୍ରଥମ କରି ଏଭଳି ଏକ ଟ୍ରମ୍ପେଟ୍ ବ୍ରିଜ୍ ଓଡ଼ିଶାରେ ନିର୍ମାଣ ହେବାକୁ ଯାଉଛି । ଏହି ବ୍ରିଜ୍ଟି ତୂରୀ ଆକୃତିର ଦେଖାଯିବ । ଏହି ବ୍ରିଜ୍ ନିର୍ମାଣ ହେବା ପରେ ଯାତ୍ରୀମାନେ ସିଧାସଳଖ ଜଗନ୍ନାଥ ବଲ୍ଳଭ ମଠରେ ପହଞ୍ଚି ପାରିବେ । \nଜଗନ୍ନାଥ ବଲ୍ଳଭ ମଠରେ ବହୁତଳ ପାର୍କିଂ, ଧ୍ୟାନ କେନ୍ଦ୍ର\nପୁରୀ ପ୍ୟାକେଜ୍ରେ ଜଗନ୍ନାଥ ବଲ୍ଲଭ ମଠରେ ବ୍ୟାପକ ବ୍ୟବସ୍ଥା କରାଯିବ । ସବୁଠୁ ବଡ଼ ପଦକ୍ଷେପ ସ୍ୱରୂପ, ଯାତ୍ରୀଙ୍କ ସୁବିଧା ପାଇଁ ବହୁତଳ ପାର୍କିଂ ବ୍ୟବସ୍ଥା ହେବ । ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ଏହା ସହ ଆହୁରି ଅନେକ ସୁବିଧା ଖଞ୍ଜି ଦିଆଯିବ ସେଇ ଜାଗାରେ । ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାର ବ୍ୟବସ୍ଥା କରାଯିବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।\nମୂଷା ନଈ ପାଲଟିବ ଟୁରିଜିମ୍ ପଏଣ୍ଟ\nନୂଆ ଜୀବନ ପାଇବ ମୂଷା ନଈ । ଏହାର ପୁନରୁଦ୍ଧାର ସହ ଏଭଳି ସୌନ୍ଦର୍ଯ୍ୟକରଣ କରାଯିବ, ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିବ । ମୂଷା ନଈକୁ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ । ମୂଷା ନଈର ପରିବେଶରେ ଉନ୍ନତି ଅଣାଯିବ । ସେଠାରେ ରିଭର ଫ୍ରଣ୍ଟ୍ ଟୁରିଜିମର ବିକାଶ କରାଯିବ । ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । \nଝଲସିବ ଅଠରନଳା \nଐତିହାସିକ ଅଠରନଳା ଝଲସିବ । ଏହାର ସୌନ୍ଦର୍ଯ୍ୟ ସାଙ୍ଗକୁ ଆଲୋକୀକରଣ ହେବ । ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ)ର ସହଯୋଗ ନିଆଯିବ । ଏ ବାବଦକୁ ଖର୍ଚ୍ଚ ହେବ ୫ କୋଟି ଟଙ୍କା । \n୨୦ ଏକରରେ ପୁରୀ ହ୍ରଦ \nପୁରୀ ସହରରେ ଏକ କୃତ୍ରିମ ହ୍ରଦର ବିକାଶ କରାଯିବ । ୨୦ ଏକର ଜମିରେ ଏହି ହ୍ରଦର ବିକାଶ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ବ୍ୟୟ କରାଯିବ । ଏହି ହ୍ରଦ ଚାରିପାଖେ ପାଦଚଲା ରାସ୍ତା ସହ ସାଇକ୍ଲିଂ ପାଇଁ ଟ୍ରାକ୍ ରଖାଯିବ ।\nମଠ ପୁନରୁଦ୍ଧାର ହେବ\nଶ୍ରୀ ଜଗନ୍ନାଥଙ୍କ ନୀତି ସହିତ ମଠଗୁଡ଼ିକର ସ୍ୱତନ୍ତ୍ର ସମ୍ପର୍କ ରହିଛି । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଆସୁଥିବା ମଠଗୁଡ଼ିକର ସ୍ଥାନାନ୍ତର କରାଯିବ । ସ୍ଥାନାନ୍ତର ହେଉଥିବା ମଠର କୀର୍ତ୍ତି ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ପୁରୀରେ ଥିବା ମଠଗୁଡ଼ିକୁ ଅବଢ଼ା ଯୋଜନାରେ ସରକାର ସହଯୋଗ ଯୋଗାଇ ଦେବେ । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ଶହେ କୋଟି ଟଙ୍କା ରଖାଯାଇଛି । \nକ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ପ୍ୟାକେଜ\nଶ୍ରୀମନ୍ଦିର ନିରାପତ୍ତା ଜୋନ୍ରେ ଆସୁଥିବା ଦୋକାନ ଓ ଘରଗୁଡ଼ିକୁ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ସରକାର ଦୋକାନ ପାଇଁ ଦୋକାନ ଓ ଘର ପାଇଁ ଘର ଯୋଗାଇ ଦେବେ । ଏ ନେଇ ଥାଇଥାନ ପ୍ୟାକେଜ୍ କାର୍ଯ୍ୟକାରୀ ହେବ ।\nତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର\nପୁରୀରେ ଥିବା ତୀର୍ଥ ପୁଷ୍କରିଣୀଗୁଡ଼ିକୁ ପୁନରୁଦ୍ଧାର କରାଯିବ । ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀଗୁଡ଼ିର ପୁନରୁଦ୍ଧାର ଯୋଜନା କରାଯାଇଛି । ଐତିହ୍ୟସ୍ଥଳୀର ମଧ୍ୟ ସଂରକ୍ଷଣ କରାଯିବ । \n ଏହା ସହ ଯାତ୍ରୀଙ୍କ ସୁବିଧା ପାଇଁ ମଲ୍ଟି ଲେନ୍ ରାସ୍ତା ଓ ପାର୍କିଂ ସୁବିଧା କରାଯିବ । ଏସବୁ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପ୍ରକଳ୍ପ ଦାୟିତ୍ୱ ନେବ । \n ସୂଚନାଯୋଗ୍ୟ, ନିକଟରେ ପୁରୀର ଭିତ୍ତିଭୂମି ବିକାଶ ପାଇଁ ୨୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ । ପୁରୀ ସହରକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ଆଜି ଆଉ ୫ ଶହ କୋଟି ମଞ୍ଜୁର କରାଯାଇଛି । \n ଆଜିର ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ଡା.କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ଓ ପୁରୀ ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons