ନବବଧୂର ସନ୍ଦେହଜନକ ମୃତ୍ୟୁ : ଦାଦନ ଖଟିବାକୁ ଯାଇଛନ୍ତି ସ୍ୱାମୀ

Get real time updates directly on you device, subscribe now.

ପାପଡାହାଣ୍ଡି,(ବି.ବି.ନ୍ୟୁଜ୍): ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଛନ୍ତି ସ୍ୱାମୀ । ୩ମାସ ହେଲା ସେ ଆନ୍ଧ୍ରକୁ ଯାଇଛନ୍ତି । ବାହାଘରକୁ ୪ ମାସ ହୋଇଥିବା ବେଳେ ଆଜି ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଶାଶୂଘର ଲୋକେ ବୋହୂ ଆତ୍ମହତ୍ୟା କରିଛି ବୋଲି କହୁଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ପାପଡାହାଣ୍ଡି ଥାନା ବାଙ୍କସର୍ଗି ଗାଁରେ । ମୃତା ହେଲେ ତୀର୍ଥ ସୌରାଙ୍କ ନବବଧୂ ମେନକା ସୌରା (୧୯) । ତାଙ୍କ ମୃତ୍ୟୁକୁ ନେଇ ବାପା ନୀଳ ସୌରା ପାପଡାହାଣ୍ଡି ଥାନାରେ ଏତଲା ଦେଇଛନ୍ତି । ଏନେଇ ଏସ୍ସିଡିପିଓ ବିଜୟକୁମାର ନାୟକ କହିଛନ୍ତି ଯେ, ରବିବାର ସନ୍ଧ୍ୟାରେ ମେନକାଙ୍କ ଘରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏହାପରେ ଘରର କବାଟ ଦେଇ ମେନକା ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିଲେ । ଶାଶୂ ବେଲ ସୌରା କବାଟ ଖୋଲି ଝୁଲନ୍ତା ଶବ ଦେଖିବା ପରେ ବୋହୂକୁ ଉଦ୍ଧାର କରିଥିବା କହିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ରବିବାର ସନ୍ଧ୍ୟାରେ ଘଟଣା ଘଟିଥିବା ବେଳେ ଥାନାରେ ଏତଲା ଦିଆଯାଇ ନଥିଲା । ସୋମବାର ମୃତାଙ୍କ ବାପା ନୀଳ ସୌରା ପାପଡାହାଣ୍ଡି ଥାନାରେ ତାଙ୍କ ଝିଅକୁ ହତ୍ୟା କରାଯାଇ ଝୁଲେଇ ଦିଆଯାଇଥିବା ଏତଲାରେ ଦର୍ଶାଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାରକୁ ହସ୍ତାନ୍ତର କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ ଯେ, ୪ ମାସ ତଳେ ତେନ୍ତୁଳିଖୁଣ୍ଟି ବ୍ଲକ ବିରିଗୁଡାର ନୀଳ ସୌରାଙ୍କ ଝିଅ ମେନକାଙ୍କୁ ପାପଡାହାଣ୍ଡି ବ୍ଲକ ବାଙ୍କସର୍ଗି ଗାଁର ମହେଶ୍ୱର ସୌରାଙ୍କ ପୁଅ ତୀର୍ଥ ବିବାହ କରିଥିଲେ । ବିବାହର ୧ ମାସ ପରେ ସ୍ୱାମୀ ଦାଦନ ଖଟିବାକୁ ଆନ୍ଧ୍ର ଚାଲିଯାଇଥିଲେ । ସ୍ୱାମୀ ଆନ୍ଧ୍ର ଚାଲିଯିବା ପରେ ମେନକା ତାଙ୍କ ବାପ ଘରେ ରହିଥିଲେ । ଗତ ସପ୍ତାହେ ହେଲା ସେ ତାଙ୍କ ଶାଶୂ ଘରକୁ ଆସିଥିଲେ ବୋଲି ଏସ୍ଡିପିଓ ଶ୍ରୀ ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons