ନବଯୌବନ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳ

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ): ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୨୦ ମିନିଟ ବିଳମ୍ବରେ ମଙ୍ଗଳବାର ଦିନ ଶ୍ରୀବିଗ୍ରହଙ୍କ ନବଯୌବନକୁ ଭକ୍ତମାନେ ଦର୍ଶନ କରିଛନ୍ତି । ଅପରାହ୍ନ ୨ଟା ୫୦ ମିନିଟରେ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା । ପରିମାଣିକ ଟିକେଟଧାରୀ ଏକ ଘଣ୍ଟା ଧରି ଦର୍ଶନ କରିଥିଲେ । ପାଖାପାଖି ୩ଟା ୫୫ ମନିଟରେ ସାଧାରଣ ଦର୍ଶନ ଆରମ୍ଭ ହୋଇ ଏକ ଘଣ୍ଟା ଚାଲିଥିଲା । ଦର୍ଶନ ଗହଳି ଅପେକ୍ଷାକୃତ କମ ରହିଥିଲା । ସାଧାରଣ ଦର୍ଶନ ବେଳେ ସିଂହଦ୍ୱାରରେ ସାମାନ୍ୟ ଠେଲାପେଲା ଥିଲା । ଭିତର କାଠଠାରେ ଶୃଙ୍ଖଳାର ସହ ଦର୍ଶନ ସମ୍ପନ୍ନ ହୋଇଥିଲା । ପ୍ରାୟ ୫୦ ପ୍ଳାଟୁନ୍ ପୁଲିସ ଯାତ୍ରୀ ଏବଂ ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ ହୋଇଥିଲେ ।
ପ୍ରଶାସନର ନୀତି ନିର୍ଘଣ୍ଟ ମୁତାବକ ସକାଳେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ ଦତ୍ତମହାପାତ୍ର । ଏହା ପରେ ପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର ସେବା ସରିବା ବେଳକୁ ମଧ୍ୟାହ୍ନ ଅତିକ୍ରମ କରିଥିଲା । ପୂର୍ବାହ୍ନ ଦଶଟା ସୁଦ୍ଧା ସୁଦର୍ଶନ ଦେବଙ୍କ ବୁଣାଟ ନୀତି ସରିବା ପରେ ପ୍ରଭୁଙ୍କ ଚକା ଅପସର ହୋଇଥିଲା । ଏହାପରେ ମଙ୍ଗଳଆଳତି ସରି ଅପରାହ୍ନ ଗୋଟାଏ ବେଳକୁ ଠାକୁରଙ୍କ ମଇଲମ, ଅବକାଶ ନୀତି ଶେଷ ହେବା ପରେ ଦଶ ଅବତାର ପଟ୍ଟିଦିଅଁ ବାହୁଡା ବିଜେ ହୋଇଥିଲେ । ପଟ୍ଟି ଦିଅଁ ଫେରିବା ପରେ ଅପରାହ୍ନ ଦୁଇଟା ୨୫ ମିନିଟରେ ଅଣସର ତାଟି ଫିଟିଥିଲା । ଏହାପରେ ନବଯୌବନ ଦର୍ଶନ ବିଧି ଆରମ୍ଭ ହୋଇଥିଲା । ଏହା ସରିବା ପରେ ଚୁନ ପଡ଼ି ଧୁଆହୋଇ ନେତ୍ରୋତ୍ସବ ନୀତି ଶେଷ ହେବା ପରେ ବାହାର କାଠରୁ ଭକ୍ତମାନେ ଦର୍ଶନ କରିଥିଲୋ । ଏହା ପରେ ବଲ୍ଲଭ ଏବଂ ସକାଳ ଧୂପ ସରି ଭୋଗମଣ୍ଡପ ଉଠିଥିଲା । ଏହା ପରେ ଦିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ବନକଲାଗି ନିମନ୍ତେ ପ୍ରବେଶ କରିଥିଲେ । ଭୋର ଚାରିଟା ପର୍ଯ୍ୟନ୍ତ ଦତ୍ତମହାପାତ୍ର ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିବେ ବୋଲି ଆକଳନ କରାଯାଉଛି ।
ପୁଲିସ କର୍ଡନରେ ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଦର୍ଶନାର୍ଥୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲୋ । ସାଧାରଣ ଦର୍ଶନାର୍ଥୀ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ପ୍ରବେଶ କରିଥିଲେ ।
ପୁରୀରେ ସକାଳ ସକାଳୁ ବର୍ଷା ହୋଇଥିଲା । ତେଣୁ କରି ନବଯୌବନ ଦର୍ଶନାର୍ଥୀଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଥିଲା । ଦର୍ଶନ ଆରମ୍ଭ ବେଳକୁ କିନ୍ତୁ ପାଗ ଅନୁକୂଳ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons