
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ‘ତ୍ରିପାଠୀ’ ନାମକ ବସ୍ ଗତ ସୋମବାର ଭୋର ପ୍ରାୟ ସାଢେ ୩ ଟାରେ ଆନ୍ଧ୍ରର ଶ୍ରୀକାକୁଲୁମ ଜିଲ୍ଲା ସୋମପେଟା ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଛିଡା ହୋଇଥିବା ଗୋଟିଏ ଟ୍ରକର ପଛପଟରୁ ବସ୍ଟି ଧକ୍କା ଦେଇ ଘୋଷାଡି ହୋଇଯିବାରୁ ଘଟଣାସ୍ଥଳରେ ହେଲପରଙ୍କ ମୃତୁ୍ୟ ହୋଇଛି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ସାଙ୍ଘାତିକ ହୋଇଛି ଯେ, ବସ୍ର ଗୋଟିଏ ପାଶ୍ୱର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନ୍ୟ ୨୮ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତ ହେଲପର ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ହିର୍ମିମୁଣ୍ଡା ଗାଁର ସୁଧୀର ଶଗରିଆ(୩୩) । ଗୁରୁତର ୫ ଯାତ୍ରୀ ହେଲେ କେନ୍ଦୁଝରର ସମରେନ୍ଦ୍ର ନାୟକ(୨୧), ବୋରିଗୁମ୍ମାର ପ୍ରଦୀପ କୁମାର ମୁଦୁଲି(୨୩), ନବରଙ୍ଗପୁରର ଗୀତାଞ୍ଜଳି ମିଶ୍ର(୪୨), କୋରାପୁଟର ଗୁପ୍ତେଶ୍ୱର ଶଙ୍କିଆ(୨୨), ଯାଜପୁରର ଲୋପାମୁଦ୍ରା ମହାପାତ୍ର(୨୪) । ସମସ୍ତଙ୍କୁ ବାରୱା ପୁଲିସ ଉଦ୍ଧାର କରି ସୋମପେଟା ଡାକ୍ତରଖାନାରେ ଭର୍ତ୍ତି କରିଛି ।
ସୂଚନା ଅନୁସାରେ, ବସ୍ଟି ରବିବାର ସନ୍ଧ୍ୟାରେ ନବରଙ୍ଗପୁରରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା । ଗାଡିରେ ମୋଟ ୩୩ ଜଣ ଯାତ୍ରୀ ବସିଥିଲେ । ସୋମବାର ଭୋର ପ୍ରାୟ ସାଢେ ୩ ଟାରେ ଆନ୍ଧ୍ରର ଶ୍ରୀକାଲୁମ ଜିଲ୍ଲା ସୋମପେଟା ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକର ପଛପଟକୁ ଗାଡିଟି ପିଟି ହେବା ସହ ଘୋଷାଡି ହୋଇ ଚାଲିଯାଇଥିଲା । ପରେ ଗାଡିଟି ଡିଭାଇଡର୍ ଉପରେ ଚଢି ଅଟକି ଯାଇଥିଲା । ଯାତ୍ରୀମାନେ ନିଘୋଡ ନିଦରେ ଶୋଇଥିବାବେଳେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ହେଲପରଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଯାତ୍ରୀମାନେ ତୁରନ୍ତ ନିଦରୁ ଉଠି ଭୟ ଓ ପ୍ରାଣ ବିକଳରେ ବସ୍ରୁ ଡିଅାଁ ମାରି ବାହାରି ଆସିଥିଲେ । ଏଥିରେ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଯାତ୍ରୀମାନେ କିପରି ବର୍ତ୍ତିଲେ ତାହା ବିଶ୍ୱାସ କରି ହେଉନି । ଖବର ପାଇ ବାରୱା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲା । ଏକ ମାମଲା ରୁଜୁ କରି ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.