ନବରଙ୍ଗପୁର ବଜାରରେ ବଡ଼ା ଛତୁ କେଜି ହଜାରେ

Get real time updates directly on you device, subscribe now.

ନବରଙ୍ଗପୁର: ନବରଙ୍ଗପୁର ବଜାରରେ ଏବେ ବଡ଼ା ଛତୁ ମିଳୁଛି । ଏହାର ଦର କେଜି ପ୍ରତି ୧୦୦୦ ଟଙ୍କା ରହିଛି । ବର୍ଷା ପରେ ଶାଳବଣରେ ଫୁଟୁଥିବା ବଡ଼ା ଛତୁ ଅତ୍ୟନ୍ତ ସୁଆଦିଆ । ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଏହା ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଏହାର ଚାହିଦା ବଢିଚାଲିଛି । ତେଣୁ ଦାମ୍ ଅଧିକ ଥିଲେ ମଧ୍ୟ ବଡ଼ା ଛତୁ ବଜାରକୁ ଆସିବା ପରେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଏଥିସହ ଆଦିବାସୀମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ସହର ବଜାରରେ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି । ବଜାରକୁ ଆଣିବା ରାସ୍ତାରେ ହିଁ ଲୋକେ ଏହାକୁ କିଣି ନେଉଥିବା ଦେଖାଯାଇଛି । ଜିଲ୍ଲାରେ ଦିନକୁ ଦିନ ଶାଳବଣ ଧ୍ୱଂସ ପାଉଥିବା ଯୋଗୁ ଆଗ ଭଳି ଅଧିକ ପରିମାଣରେ ବଡ଼ା ଛତୁ ମିଳୁନାହିଁ । ଚାହିଦା ଅନୁସାରେ ଛତୁ ମିଳୁ ନଥିବାରୁ ଏହାର ଦାମ୍ ଅଧିକ ରହିଛି । ଜିଲ୍ଲାର ଝରିଗାଁ, ରାଇଘର, ଉମରକୋଟ, ଡାବୁଗାଁ ଓ ଚନ୍ଦାହାଣ୍ଡି ଅଞ୍ଚଳର ଜଙ୍ଗଲରେ ବଡ଼ା ଛତୁ ଫୁଟୁଥିବା ବେଳେ ସେଠାରେ ଏହାର ଦାମ୍ କେଜି ପ୍ରତି ୮୦୦ ଟଙ୍କା ରହିଛି । କିନ୍ତୁ ଏହା ସହର, ବଜାରକୁ ଆସିବା ପରେ କେଜି ୧୦୦୦ ଟଙ୍କାରେ ବିକ୍ରି ହେଉଛି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons