ଭୁବନେଶ୍ୱର,(ବିବି.ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆଲୋଚନାରେ ଏକାଠି ହେବେ । ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଦୁହିଁଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏ ବୈଠକରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ନୁହେଁ ଆଲୋଚନା କରିବାର ସମ୍ଭାବନା ରହିଛି । ସୂଚନା ଅନୁସାରେ, ଓଡ଼ିଶା ଭବନରେ ସନ୍ଧ୍ୟା ୬ଟାରେ ଏକ ବୈଠକ ବସିବ । ବୈଠକରେ ରାଜ୍ୟର ବିକାଶ ରୋଡମ୍ୟାପ୍ ନେଇ ବିଶଦ ଆଲୋଚନା ହୋଇପାରେ । ରାଜ୍ୟର ପ୍ରାକୃତିକ ସମ୍ପଦକୁ ଭିତ୍ତି କରି ଶିଳ୍ପାୟନ ସହ ପେଟ୍ରୋଲିୟମ କ୍ଷେତ୍ରରେ ଅଧିକ କ’ଣ କରିହେବ ଏବଂ ଚାଲୁ ରହିଥିବା ବହୁ ପ୍ରକଳ୍ପ ସଂପର୍କରେ ମଧ୍ୟ ଚର୍ଚ୍ଚା ହେବ । ଓଡ଼ିଶାକୁ ଇସ୍ପାତ କରିବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସହଯୋଗ ମାଗିପାରନ୍ତି ବୋଲି ଅନୁମାନ କରାଯାଉଛି । ନବୀନ- ଧର୍ମେନ୍ଦ୍ରଙ୍କ ଏକ ଆଲୋଚନାକୁ ରାଜନୈତିକ ମହଲ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଉଲ୍ଲେଖଯୋଗ୍ୟ, ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଜୋର ଧରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଯାଏ ବିଜେଡଇ ଓ ନବୀନଙ୍କ ଉପରେ ଶାଣିତ ଆକ୍ରମଣ କରିଥିଲେ । ନବୀନ ନିବେଶ ପାଲଟା ଆକ୍ରମଣ କରିଥିଲେ । ଭୋଟ ପରେ ନବୀନ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି ଦୋହରାଇଛନ୍ତି । ରାଜ୍ୟ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବାରୁ ‘ସ୍ପେଶାଲ ଫୋକସ୍ ଷ୍ଟେଟ’ ଭାବେ ଘୋଷଣା କରିବାକୁ ଦାବି ସହ କୋଇଲା ରୟାଲଟି ୨୦%କୁ ବୃଦ୍ଧି ଏବଂ ଫୋନି ପୁନରୁଦ୍ଧାର ପାଇଁ ଏନଡିଆର୍ଏଫ୍ରୁ ତୁରନ୍ତ ୫ହଜାର ୨୨୮ କୋଟି ଟଙ୍କା ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିନଥିଲା ବେଳ ଶନିବାର ସନ୍ଧ୍ୟାର ଧର୍ମେନ୍ଦ୍ରଙ୍କ ସହ ବୈଠକରେ ରାଜ୍ୟର ବିକାଶ ନେଇ ଆଲୋଚନା କରିବେ । ୧୫ରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ସେ ଭୁବନେଶ୍ୱର ଫେରିବେ । ପେଟ୍ରୋଲିୟମ ସହ ଇସ୍ପାତ ବିଭାଗର ମନ୍ତ୍ରୀ ପଦ ପାଇବା ପରେ ନିକଟରେ ଶ୍ରୀ ପ୍ରଧାନ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ଇସ୍ପାତ କ୍ଷେତ୍ରରେ ଓଡ଼ିଶାରେ ନୂଆ କିଛି କରିବାକୁ ଘୋଷଣା କରିଥିଲେ । ଓଡ଼ିଶା ଇସ୍ପାତ ରାଜଧାନୀ ହେବ ଏବଂ ସେ କେନ୍ଦ୍ରମନ୍ତ୍ରୀ ଭାବେ ଗୁଣ୍ଡୁଚିମୂଷାର ଭୂମିକା ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନବୀନ -ଧର୍ମେନ୍ଦ୍ର ଆଲୋଚନାରେ ଇସ୍ପାତ ଶିଳ୍ପ ନେଇ ବିଶେଷ ଆଲୋଚନା ହୋଇପାରୋ ବୋଲି ଚର୍ଚ୍ଚା ହେଉଛି ।
Comments are closed, but trackbacks and pingbacks are open.