ନରସିଂହପୁର ବାର୍ସିଙ୍ଗା ଜଙ୍ଗଲରେ ଦନ୍ତାହାତୀ ମୃତ!

Get real time updates directly on you device, subscribe now.

ନରସିଂହପୁର,(ବି.ବି.ନୁ୍ୟଜ୍): ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାର୍ସିଙ୍ଗା ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ପ୍ରାପ୍ତ ତଥ୍ୟ ମୁତାବକ, ମୃତ ହାତୀର ବୟସ ୧୫ ବର୍ଷ ହୋଇଥିବା ବେଳେ ତାର ଦେଢ଼ ଫୁଟ୍ ଲମ୍ବର ୨ଟି ଦାନ୍ତ ଥିଲା । ହାତୀଟି ଗତ କିଛି ଦିନ ହେଲା ଅସୁସ୍ଥ ଥିଲା । ବାରସିଙ୍ଗା ଜଙ୍ଗଲ ସ୍ଥିତ ୱାଚ୍ଟାୱାର୍ ନିକଟରେ ରବିବାର ରାତିରେ ହାତୀଟି ମୃତୁ୍ୟବରଣ କରିଥିଲା ।
ତେବେ ଏହି ଘଟଣାକୁ ବନ ବିଭାଗ ପକ୍ଷରୁ ସିଧାସଳଖ ଖଣ୍ଡନ କରାଯାଇ ଚପାଇବାକୁ ଉଦ୍ୟମ କରାଯାଉଥିଲା ବେଳେ ଉକ୍ତ ଜଙ୍ଗଲରେ କୌଣସି ହାତୀ ମରିନାହିଁ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି । ଗୋଟିଏପଟେ ହାତୀ ମରିବା ସଂପର୍କରେ ସ୍ଥାନୀୟ ଲୋକେ ଜାଣିଥିବା ବେଳେ ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ଏ ଖବରକୁ ଅସ୍ୱୀକାର କରାଯିବା ଘଟଣା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବିଭାଗର ସ୍ୱଚ୍ଛତାକୁ ସଂଶୟାଚ୍ଛନ୍ନ କରିଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥ ହାତୀଟି ଗତକାଲି ରାତିରେ ୱାଚ୍ଟାୱାର୍ ନିକଟରେ ମୃତୁ୍ୟବରଣ କରିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀମାନେ କାହାରିକୁ ଖବର ନଦେଇ ତରବରିଆ ଭାବେ ବ୍ୟବଚ୍ଛେଦ କରାଇ ରାତାରାତି ମୃତ ହାତୀକୁ ପୋତି ଦେଇଛନ୍ତି । ଏ ସଂପର୍କରେ ବନ ବିଭାଗ ଅଧିକାରୀ ଅଶୋକ କୁମାର ବେହେରାଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିବା ସମ୍ଭବ ହୋଇ ପାରିନାହିଁ । ସେହିପରି ହାତୀ ମୃତୁ୍ୟ ସମ୍ପର୍କରେ ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କୁ ପଚାରିବାରୁ ସେମିତି କୌଣସି ଘଟଣା ଘଟିନାହିଁ ବୋଲି ସେ କହିଛନ୍ତି । ତେବେ ଏଭଳି ଘଟଣା ବନ ବିଭାଗ ପକ୍ଷେ କିଛି ନୂଆ ନୁହେଁ । ପୂର୍ବରୁ ଏଭଳି ଘଟଣା ଘଟିଥିବାର ନଜିର ରହିଛି । ଚାରି/ପାଞ୍ଚ ମାସ ପୂର୍ବରୁ ବାଲିକିଆରୀ ଜଙ୍ଗଲର ଭଣ୍ଡୁଆ ନାଳ ନିକଟରେ ଗୋଟେ ବର୍ଷକର ଅଣ୍ଡିରା ହାତୀ ଛୁଆର ମୃତୁ୍ୟ ଘଟିଥିଲା । ବନ ବିଭାଗ ପକ୍ଷରୁ କାହାରିକୁ ଖବର ଦିଆ ନଯାଇ ଘଟଣାକୁ ଚପାଇ ଦିଆଯାଇଥିଲା । ସେହିପରି ଦେଢ଼ ବର୍ଷ ପୂର୍ବେ ଜୟପୁର ବନ ବିଭାଗ ଅନ୍ତର୍ଗତ କାଳିଆପଦା ଜଙ୍ଗଲରେ ମଧ୍ୟ ଗୋଟିଏ ତିନି ବର୍ଷର ଦନ୍ତା ହାତୀର ମୃତୁ୍ୟ ପରେ ତାକୁ ଲୁଚାଇ ପୋତି ଦିଆଯାଇ ଘଟଣାକୁ ଚପାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ହାତୀ ମୃତୁ୍ୟ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବହୁ ଲୁକ୍କାୟିତ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons