‘ନରସିଂହା’କୁ ମାରିଦେଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜାଣି ଜାଣି ବନବିଭାଗ ‘ନରସିଂହା’କୁ ମାରିଦେଲା । ଚାରି ଗୋଡ଼ର ଘା’ର ଉପଯୁକ୍ତ ଚିକିତ୍ସା କଲାନି । ଅନଭିଜ୍ଞ ପଶୁ ଡାକ୍ତରମାନଙ୍କ ଦ୍ୱାରା ବାରମ୍ବାର ମାତ୍ରାଧିକ ନିଶ୍ଚେତକ ମାଡ଼କଲା । ଗୋଡ଼ର ଘା’ରେ ତ ପୋକ ହୋଇଗଲା । ୭ ଥର ମାତ୍ରାଧିକ ନିଶ୍ଚେତକ ମାଡ଼ ଯୋଗୁଁ ଖାଇବା ପିଇବା ଛାଡ଼ି ଶେଷରେ ଜୀବନ ହାରିଦେଲା ନରସିଂହା ।
ଦୋଷ ଥିଲା ତା’ର ଏତିକି ଯେ, ସେ ଶୀତ ଋତୁରେ ଅନ୍ୟ ଅଣ୍ଡିରା ହାତୀଙ୍କ ଭଳି ମସ୍ତ ହେଲା । ଆଉ ଗୋଠ ଛଡ଼ା ହୋଇ ମସ୍ତରେ ଥିବାବେଳେ ଯାଜପୁରରେ ନରସଂହାର କଲା । ୪ ଜଣଙ୍କୁ କଚାଡ଼ି ମାରିଲା । ୧୦ରୁ ଅଧିକ ଲୋକଙ୍କୁ ଗୁରୁତର କରି ପକାଇଲା । ବନବିଭାଗ ତାକୁ ସାବାଡ୍ କରିବାକୁ ଯାଇ ନିଶ୍ଚେତକ ମାଡ଼ କରି ବାନ୍ଧି ପକାଇଲା । ଜେସିବି ଦ୍ୱାରା ହାଇୱା ଗାଡ଼ିରେ ଲଦି ଚନ୍ଦକା ଜଙ୍ଗଲରେ ଆଣି ବନ୍ଦୀ କରି ରଖିଲା ।
ପରିବେଶବିତ ମାନଙ୍କ କହିବା କଥା, ନରସିଂହା ଭଳି ଚନ୍ଦକା ଜଙ୍ଗଲର ‘ବାହୁବଳୀ’ ମଧ୍ୟ ମସ୍ତ ଅବସ୍ଥାରେ ପିପିଲି ଓ ବଳଙ୍ଗା ଅଞ୍ଚଳକୁ ପଶି ଆତଙ୍କ ଖେଳାଇଲା । ୪ ଜଣଙ୍କୁ କଚାଡ଼ି ମାରିଲା । ମହିଳାଙ୍କ ସମେତ ୮ ଜଣଙ୍କୁ ଘାଇଲା କରି ପକାଇଲା । ତାକୁ ତ ପୁଣି ଖୋର୍ଦ୍ଧା, ପୁରୀ,ଚନ୍ଦକା ଓ ସିଟି ବନଖଣ୍ଡର କର୍ମଚାରୀମାନେ ଘଉଡ଼ାଇ ଜଙ୍ଗଲ ମଧ୍ୟରେ ଛାଡ଼ି ପାରିଲେ । ତେବେ ଯାଜପୁରରେ ବନବିଭାଗ କ’ଣ ପାଇଁ ନରସିଂହାକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ପାରିଲାନି । ଯଦି ତାକୁ ନିଶ୍ଚେତକ ଦେଇ କାବୁ କଲେ, ତାକୁ ଯାଜପୁରର ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇ ପାରିଥାନ୍ତା । ତାହା ନ କରି ଏକ ବିରାଟକାୟ ଦନ୍ତାକୁ ଜାଣି ଜାଣି ମାରିଦେଲେ ବୋଲି ସେମାନେ ବନବିଭାଗର କାର୍ଯ୍ୟଦକ୍ଷତା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ।
ଜାନୁଆରୀ ମାସରେ ଯାଜପୁରରେ ୧୦ ଦିନ ଧରି ଆତଙ୍କ ଖେଳାଇଥିଲା ନରହନ୍ତା ଦନ୍ତା ନରସିଂହା । ଜାନୁଆରୀ ୨୭ରେ ତାକୁ ବନବିଭାଗ ଟ୍ରାଙ୍କୁଲାଇଜ୍ କରି କାବୁ କଲା । ତେବେ ନରହନ୍ତାକୁ କେଉଁଠାରେ ଛଡ଼ାଯିବ ସେନେଇ ବନବିଭାଗ ଚିନ୍ତାରେ ପଡ଼ି ଯାଇଥିଲା । ଟାଙ୍ଗୀ କୁସୁନୁପୁରଠୁ ଆରମ୍ଭ କରି ଚଣ୍ଡିଖୋଲ ସବୁଠି ଲୋକେ ବିରୋଧ କଲେ । ତେଣୁ ନରସିଂହାକୁ ଚନ୍ଦକା ଜଙ୍ଗଲ କୁମାରଖୁଣ୍ଟିରେ ଆଣି ବାନ୍ଧି ରଖିବାକୁ ଯୋଜନା କଲା । ୨୮ ତାରିଖ ରାତାରାତି ନରସିଂହାକୁ ଆଣି ଚନ୍ଦକା କୁମାରଖୁଣ୍ଟିକୁ ନେଇ ଆସି ବାନ୍ଧି ରଖିଲେ । ସେଠାରେ ତାକୁ କୁମ୍କୀ ପ୍ରଶିକ୍ଷଣ ଦେବାକୁ ଯୋଜନା କଲା ବନବିଭାଗ । କିନ୍ତୁ ସବୁ ଯୋଜନା ଫେଲ୍ ମାରିଲା ।
ବଣୁଆ ନରସିଂହା ବନ୍ଧାହେବା ପରଠାରୁ ଆତଙ୍କ ଖେଳାଇ ଚାଲିଲା । ଆଗ ଓ ପଛ ଦୁଇଗୋଡ଼କୁ ଶିକୁଳିରେ ବନ୍ଧା ହୋଇ ରହିଥିଲେ ମଧ୍ୟ ସେ ତାକୁ ଛିଡ଼ାଇବାକୁ ଉଦ୍ୟମ କରୁଥିଲା । ଫଳରେ ଶିକୁଳି ଘୋରି ହୋଇ ତା’ର ୪ ଗୋଡ଼ରେ ଘା’ ହୋଇ ସେଥିରେ ପୋକ ଲାଗିଲେ । ଆସାମୀ ଓ ଓଡ଼ିଆ ମାହୁନ୍ତମାନେ ଚିକିତ୍ସା କରିବା ତ ଦୂର, ତାକୁ ଖାଇବାକୁ ମଧ୍ୟ ଦେଲେନି । ହାତୀ ଗୋଡ଼ର ଘା’କୁ ଚିକିତ୍ସା ଦାୟିତ୍ୱ ଚନ୍ଦକା ବନବିଭାଗ ନନ୍ଦନକାନନର ଅନଭିଜ୍ଞ ପଶୁ ଡାକ୍ତରଙ୍କ ହାତରେ ଟେକିଦେଲେ । ସେମାନେ ଫେଲ୍ ମାରିବା ପରେ ଓୟୁଏଟିର ପଶୁ ବିଶେଷଜ୍ଞ ମାନଙ୍କୁ ଡ଼କାଗଲା । ହେଲେ ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହି ସାରିଥିଲା । ନରସିଂହାର ଅବସ୍ଥା ସଂକଟାପନ୍ନ ହୋଇ ଯାଇଥିଲା ।
ଏହା ଭିତରେ ବନବିଭାଗ କର୍ଣ୍ଣାଟକର ହାତୀ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରି ନରସିଂହାକୁ ‘କୋରାଲ’(ବଡ଼ବଡ଼ କାଠଗଣ୍ଡିରେ ଆବୃତ୍ତ ସେଡ୍) ଭିତରେ ରଖିବାକୁ ଯୋଜନା କରିଥିଲା । ଗୋଡ଼ରୁ ଶିକୁଳି ଖୋଲି ଇଞ୍ଜେକ୍ସନ୍ ଦ୍ୱାରା ଔଷଧ ସ୍ପେ୍ର କରି ଚିକିତ୍ସା କରିବାକୁ ଯୋଜନା କରିଥିଲା । ଏଥିପାଇଁ ଜଙ୍ଗଲ ଭିତରେ ଜେସିବି ମେସିନ୍ ଦ୍ୱାରା ଗାତ ଖୋଳା କାମ ବି ସରି ଯାଇଥିଲା । କିନ୍ତୁ ସୋମବାର ସକାଳ ୯ଟାବେଳେ ନରସିଂହା କଚାଡ଼ି ହୋଇ ପଡ଼ି ମୃତୁ୍ୟବରଣ କରିଥିଲା । ନରସିଂହା ମୃତୁ୍ୟ ଘଟଣାକୁ ଲୁଚାଇବାକୁ ବନବିଭାଗ ପ୍ରାଣପଣେ ଉଦ୍ୟମ କଲା । ଜଙ୍ଗଲ ମଧ୍ୟକୁ ତ ଗଣମାଧ୍ୟମକୁ ଛାଡ଼ିଲାନି, ଫରେଷ୍ଟ ଗାର୍ଡଙ୍କ ଠାରୁ ଆରମ୍ଭ କରି ରେଞ୍ଜ୍ ଅଫିସର, ଡିଏଫ୍ଓ ଓ ଅନ୍ୟ ବରିÂ ଅଧିକାରୀମାନେ ଫୋନ୍ ଉଠାଇଲେନି । ପଶୁ ଡାକ୍ତରଙ୍କୁ ଡକାଇ ଜଙ୍ଗଲ ମଧ୍ୟରେ ତାକୁ କାଟିକୁଟି ପୋତିଦେଲା । ଯଦି ଗୋଡ଼ରେ ଘା’ ହେବାକ୍ଷଣି ଦକ୍ଷ ପଶୁ ବିଶେଷଜ୍ଞଙ୍କ ଦ୍ୱାରା ନରସିଂହାର ଚିକିତ୍ସା କରାଯାଇ ପାରିଥାନ୍ତା ତେବେ ନରସିଂହା ମରି ନଥାନ୍ତା ବୋଲି ଜଣେ ପଶୁ ବିଶେଷଜ୍ଞ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons