ନରେନ୍ଦ୍ରକୋଣରେ ରକ୍ତ ଛିଟା:ଲଜ୍ରେ ପଶି ମାଲିକଙ୍କୁ ହାଣିଲେ

Get real time updates directly on you device, subscribe now.

ପୁରୀ,(ବି.ବି.ନୁୃଜ୍): ନରେନ୍ଦ୍ର କୋଣରେ ବୁଲିଲା ହତିଆର୍ । ଷ୍ଟାର୍ ଲଜ୍ରେ ପଶି ମାଲିକଙ୍କୁ ହାଣିଲେ । ରୁମ୍ ମାଗିଲେ, ଚାବି ଦେବାବେଳେ ଚୋଟ ମାରିଲେ । ୩ ଜଣ ଦୁର୍ବୃତ୍ତ ଶୁକ୍ରବାର ସନ୍ଧ୍ୟାରେ ଏଭଳି କାଣ୍ଡ ଘଟାଇ ଚମ୍ପଟ ମାରିଲେ । ରକ୍ତାକ୍ତ ଅବସ୍ଥାରେ ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଘଟଣା ସ୍ଥଳରେ ପୁଲିସ ଛାଉଣି ହୋଇଛି । ବିଳମ୍ବିତ ରାତି ସୁଧା ପୁଲିସ କୌଣସି ଅଭିଯୁକ୍ତଙ୍କ ପତ୍ତା ପାଇ ନାହିଁ । ଆହତ ଲଜ୍ ମାଲିକ ହେଉଛନ୍ତି କୁମ୍ଭାରପଡାର ଅର୍ସାଦ୍ ହୁସେନ୍ (୫୩) ।\nସନ୍ଧ୍ୟା ୬ଟା । ଅର୍ସାଦ୍ ତାଙ୍କ ଲଜ୍ରେ ଥିଲେ । ହଠାତ୍ ୩ ଜଣ ଯୁବକ ତାଙ୍କ ଲଜ୍ରେ ପହଞ୍ଚିଥିଲେ । ରୁମ୍ ଦରକାର ବୋଲି କହିଥିଲେ । କେଉଁ ରୁମ୍ ଖାଲି ଅଛି ତାହା ଦେଖିବା ପରେ ଚାବି ଆଣିଥିଲେ ଅର୍ସାଦ୍ । ଏହି ସମୟରେ ଦୁର୍ବୃତ୍ତ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ । ଚାବି ଦେବାବେଳେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଆକ୍ରମଣବେଳେ ସେ ବୁଲି ପଡ଼ିଥିଲେ । ଚୋଟ ତାଙ୍କ ପିଠିରେ ଲାଗିଥିଲା । ପରେ ତାଙ୍କ ହାତକୁ ହାଣିଲେ ଦୁର୍ବୃତ୍ତ । ପିଠି ଓ ହାତରେ ଚୋଟ ବାଜି ରକ୍ତସ୍ରାବ ହୋଇଥିଲା । \nପରେ ବାହାରେ ଛିଡ଼ା ହୋଇଥିବା କିଛି ଲୋକ ଲଜ୍ ଭିତରେ କିଛି ଅଘଟଣ ଘଟିଥିବା ସନ୍ଦେହ କରିଥିଲେ । ଭିତରକୁ ଯିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛିଡ଼ା ହୋଇଥିଲେ ଅର୍ସାଦ୍ । ଆତଙ୍କିତ ଅବସ୍ଥାରେ ଥରୁଥିବାବେଳେ ତାଙ୍କ ସାଥୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବାବେଳେ ଖବର ପାଇ କୁମ୍ଭାରପଡ଼ା ଆଇଆଇସି କୁଳମଣି ସେଠୀ ସଦଳବଳେ ଲଜ୍ରେ ପହଞ୍ଚିଥିଲେ । ଅନୁସନ୍ଧାନ ପରେ ଡାକ୍ତରଖାନାରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ପୁଲିସ । ଚିକିତ୍ସା ଚାଲିଥିବାରୁ ଅଧିକ ତଥ୍ୟ ସଂଗ୍ରହ କରାଯାଇ ପାରି ନାହିଁ । ତାଙ୍କର ପୂର୍ବରୁ ଏକ ଜମିକୁ ନେଇ ବିବାଦ ଲାଗିଥିଲା । ତାଙ୍କ ବିରୋଧୀ ଏଭଳି କାଣ୍ଡ ଘଟାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଜମି ବିବାଦ ନେଇ ବିରୋଧୀ ଏଭଳି କାଣ୍ଡ ଗୁଣ୍ଡା ଲଗାଇ ଘଟାଇଥିବା ନେଇ ସମ୍ପର୍କୀୟମାନେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons