ଜଗତସିଂହପୁର,(ବି.ବି.ନୁ୍ୟଜ୍): ନର୍ସ ରୂପାଲି ଓରଫ ନିହାରିକା ପାତ୍ର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ତିନି ଦିନିଆ ପୁଲିସ ରିମାଣ୍ଡରେ ଆସିଥିବା ରାଜା ଓରଫ କିଶୋର ଚନ୍ଦ୍ର ଅଞ୍ଚଳର ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ଅବଧି ଶେଷ ପରେ ଆଜି ବିରିଡି ପୁଲିସ ପକ୍ଷରୁ ରାଜାକୁ କୋର୍ଟରେ ହାଜର କରାଯାଇଥିଲା । ପରେ ତାକୁ ଆଳିପିଙ୍ଗଳ ସବ୍ ଜେଲ୍କୁ ପଠାଇ ଦିଆଯାଇଥିଲା । କୋର୍ଟରେ ହାଜର କରିବା ପୂର୍ବରୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ରାଜାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ତିନି ଦିନ ରିମାଣ୍ଡ ଭିତରେ ଅଭିଯୁକ୍ତ ରାଜା ସହ କେନ୍ଦାଳ ଗ୍ରାମର ରଙ୍ଗମିସ୍ତ୍ରୀ ସୁନିଲ ସାହୁ ଓ ତାଙ୍କ ଭଉଣୀକୁ ମୁହାଁମୁହିଁ କରାଯାଇଥିଲା । ସାକ୍ଷାତ ଭିତରେ ସୁନିଲଙ୍କଠାରୁ ରାଜା ଚାଉଳିଆଗଞ୍ଜ ଅପର୍ଣ୍ଣାନଗରରେ ଥିବା ଭଡ଼ା ଘର ଚାବି କେତେବେଳେ ଆଣିଥିଲା, କେତେବେଳେ ଫେରାଇଥିଲା, କ’ଣ କହିକରି ଆଣିଥିଲା, ଚାବି ଫେରାଇବା ସମୟରେ ରୂପାଲି ମୃତୁ୍ୟ ବିଷୟରେ କିଛି କହିଥିଲା କି ନାହିଁ, ଆଦି ପ୍ରସଂଗ ଉପରେ ପୁଲିସ ପକ୍ଷରୁ ଜେରା କରାଯାଇଥିଲା । ଏପଟେ କଟକ ଚାଉଳିଆଗଂଜ ଅପର୍ଣ୍ଣାନଗର ଭଡ଼ା ଘରୁ ସାଇଣ୍ଟିଫିକ୍ ଟିମ୍ କିଛି ନମୁନା ସଂଗ୍ରହ କରାିଥିବା ଖବର ମିଳିଛି । ନିର୍ଦ୍ଧିଷ୍ଟ ଭାବେ ଘରେ ରହିଥିବା କିଛି ରଙ୍ଗ ଦାଗର ନମୁନା ସଂଗ୍ରହ କରାଯାଇ ରସୁଲଗଡ଼ସ୍ଥିତ ଷ୍ଟେଟ୍ ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଥିବା ଜଗତସିଂହପୁର ଏସ୍ଡିିପିଓ ପ୍ରକାଶ ଚନ୍ଦ୍ର ପାଲ ଜଣାଇଛନ୍ତି । ଏ ଯାଏ ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇନାହିଁ । ଭିସେରା ରିପୋର୍ଟ ମଧ୍ୟ ମିଳିନାହିଁ । ଭିସେରା ରିପୋର୍ଟ ମିଳିବା ପରେ ଯାଇ ତଦନ୍ତକୁ ତ୍ୱରାନ୍ୱିତ କରାଯିବ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତ ରାଜାକୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ଏସ୍ଡିପିଓ ଶ୍ରୀ ପାଲ ପ୍ରକାଶ କରିଛନ୍ତି । ଗତ ୧୭ ତାରିଖ ଦିନ ବିରିଡ଼ି ଥାନା ଅନ୍ତର୍ଗତ ନୂଆପାରୀର ବିଲୁଆଖାଇ ନଦୀ ପଠାରୁ ରୂପାଲିଙ୍କ ମୃତଦେହ ଠାବ କରାଯାଇଥିଲା । ମୃତଦେହଟି ଏକ ଚୋକଡ଼ ଅଖା ଭିତରେ ଭର୍ତ୍ତି ହୋଇଥିବା ବେଳେ ହାତ ବନ୍ଧା ଯାଇଥିଲା । ଏହି ଘଟଣାରେ ପ୍ରେମିକ ରାଜାକୁ ଗିରଫ କରାଯାଇଥିଲା ।
Comments are closed, but trackbacks and pingbacks are open.