ଜଗତସିଂହପୁର,(ବି.ବି.ନୁ୍ୟଜ୍): ନର୍ସ ନିହାରିକା ପାତ୍ର(ରୂପାଲି) ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ତାଙ୍କ ବୟଫ୍ରେଣ୍ଡ୍ ବିରିଡ଼ି ହାଜିପୁରର କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାକୁ ତିନି ଦିନ ରିମାଣ୍ଡରେ ନେଇଛି ବିରିଡ଼ି ଥାନା ପୁଲିସ । ଆଜି ପୁଲିସ ପକ୍ଷରୁ ଏସ୍ଡିଜେଏମ୍ଙ୍କ କୋର୍ଟରେ ରାଜାକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା । ତିନିଦିନିଆ ରିମାଣ୍ଡ ମଞ୍ଜୁର ପରେ ପୁଲିସ ହାତରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଆଉ କିଛି ଦିଗ ଉପରେ ତଦନ୍ତ କରିବାକୁ ସମୟ ମିଳିଯାଇଛି । ଆସନ୍ତା ୨୫ ତାରିଖ ସନ୍ଧ୍ୟା ସାଢେ ପାଞ୍ଚଟା ପର୍ଯ୍ୟନ୍ତ ଅଭିଯୁକ୍ତ ରାଜା ପୁଲିସ ଜେରାର ସମ୍ମୁଖୀନ ହେବ । ସେଦିନ ସାଢେ ପାଞ୍ଚଟାରେ ରିମାଣ୍ଡ ଅବଧି ପୂରୁଥିବାରୁ ରାଜାକୁ କୋର୍ଟରେ ହାଜର କରାଯିବ ବୋଲି ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ପାଲ ପ୍ରକାଶ କରିଛନ୍ତି ।
ଏହି ହତ୍ୟାକାଣ୍ଡର ତଦନ୍ତ ବେଳେ ପୁଲିସ ହାତରେ ଅନେକ ପ୍ରମାଣ ଲାଗିସାରିଛି । ସିସିଟିଭି ଫୁଟେଜ୍ଠାରୁ ଆରମ୍ଭ କରି, ଫୋନ୍ କଲ୍ ଆଦି ଅନେକ ତଥ୍ୟ ପ୍ରମାଣ ପୁଲିସ ଫାଇଲରେ ରହି ସାରିଛି । ତଥାପି ଏବେ ଯାଏ ନର୍ସ ରୂପାଲି ବ୍ୟବହାର କରୁଥିବା ମନି ପର୍ସ, ପିନ୍ଧା ଚପଲ ଓ ମୋବାଇଲ ଫୋନ୍ ପୁଲିସ ହାତରେ ଲାଗିପାରି ନାହିଁ । ତେଣୁ ଏ ଦିଗ ଉପରେ ରାଜାଠାରୁ ଠୋସ୍ ସୂଚନା ଆଦାୟ କରାଯିବାକୁ ଉଦ୍ୟମ କରାଯିବ । ଏଥିସହ ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତାହା ଉପରେ ମଧ୍ୟ ଅଧିକ ଖୋଳତାଡ଼ କରାଯିବ ବୋଲି ଏସଡିପିଓ ଶ୍ରୀ ପାଲ ଜଣାଇଛନ୍ତି । ସୂଚନା ଥାଉ କି, ଗତ ୮ ତାରିଖରେ ରୂପାଲିଙ୍କୁ କଟକର ଏକ ଘରୋଇ ନର୍ସିଂହୋମରୁ ନିଜ ମୋଟର ସାଇକେଲରେ ଚାଉଳିଆଗଞ୍ଜସ୍ଥିତ ଏକ ଭଡ଼ା ଘରକୁ ଆଣି ହତ୍ୟା କରିଥିଲା ରାଜା । ପରେ ରୂପାଲିଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ହାଜିପୁର ବିଲୁଆଖାଇ ନଦୀ ଘାଟରେ ଫିଙ୍ଗି ଦେଇଥିଲା । ଗତ ୧୭ ତାରିଖରେ ରୂପାଲିଙ୍କ ଗଳିତ ମୃତଦେହ ଠାବ କରାଯିବା ପରେ ହଇଚଇ ଖେଳିଥିଲା । ଏହାସହ ପୂର୍ବରୁ ରୂପାଲିଙ୍କ ନିଖୋଜ ଅଭିଯୋଗ ଉପରେ ମଧୁପାଟଣା ଥାନା ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନକରି ଚୁପ୍ ବସିଥିବା ବିଷୟ ସାମ୍ନାକୁୂ ଆସିଥିଲା । ଏହି ଜଘନ୍ୟ ମାମଲାରେ ରାଜା ହିଁ ଏକୁଟିଆ ହତ୍ୟାକାରୀ ଥିବା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଯଦିଓ ଜଣେ ଏତେ ସବୁ କାମ କରିବା ସମ୍ଭବ ନୁହେଁ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ହସ୍ତଗତ ସିସିଟିଭି ଫୁଟେଜ୍, ଅଭିଯୁକ୍ତ ରାଜାର ସ୍ୱୀକାରୋକ୍ତି, ମୋବାଇଲ ଫୋନ୍ କଲର୍ ସିଡିଆର୍ (କଲ ଡାଟା ରେକର୍ଡର୍) ଆଦିକୁ ଅନୁଧ୍ୟାନ କରି ପୁଲିସ କେବଳ ରାଜାକୁ ଗିରଫ କରିଥିଲା ।
Comments are closed, but trackbacks and pingbacks are open.