ଆସିକା, (ବି.ବି.ନୁ୍ୟଜ୍): ମିନି ଶିବକାଶୀ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ଆସିକା ନିକଟ ନଳବଣ୍ଟାରେ ଥିବା ବେଆଇନ୍ ବାଣ କାରଖାନାରେ ଆଜି ପୁଲିସ ଚଢ଼ଉ କରିଛି । ୭୦ ଲକ୍ଷ ଟଙ୍କାର ବାଣ ସହ ପ୍ରସ୍ତୁତି ସରଞ୍ଜାମ ଜବତ କରାଯାଇଛି । ଏଥିସହ ୩ ଅଭିଯୁକ୍ତ ନଳବଣ୍ଟାର ସନ୍ତୋଷ ପାଢ଼ୀ, ଜୀବନ ସେଠୀ ଓ ବିପ୍ରଚରଣ ସେଠୀଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।

ଆସିକା ବ୍ଳକ ନଳବଣ୍ଟା ଗ୍ରାମ ମିନି ଶିବକାଶୀ ଭାବେ ପରିଚିତ । ଦୀପାବଳି ପାଖେଇ ଆସିଲେ ଏଠାରେ ବାଣ ପ୍ରସ୍ତୁତି କୁଟୀରଶିଳ୍ପ ପାଲଟିଯାଏ । ସାହି ସାହିରେ ବାଣ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଲକ୍ଷ ଲକ୍ଷ ଟଙ୍କା ବିସ୍ଫୋରକ ସାମଗ୍ରୀ ରହିଥାଏ । ଅନେକ ସମୟରେ ବିସ୍ଫୋରଣ ଘଟି ଧନଜୀବନ ନଷ୍ଟ ହୋଇଛି । ଏହାକୁ ରୋକିବା ନେଇ ଆଜି ପୁଲିସ ଓ ପ୍ରଶାସନିକ ଅଧିକାରୀ ନଳବଣ୍ଟାର ପ୍ରାୟ ୫ଟି ସ୍ଥାନରେ ଚଢ଼ଉ କରିଛନ୍ତି । ବାଣ, ବାରୁଦ ଏବଂ ପ୍ରସ୍ତୁତି ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରାଯାଇଛି । ଜବତ ବାଣ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ । ୭ଟି ଭ୍ୟାନ୍ରେ ବୋଝେଇ କରାଯାଇ ପୁଲିସ ହେପାଜତକୁ ନିଆଯାଇଛି । ଏତେ ପରିମାଣର ବାଣ ଜବତ କରାଯିବା ଘଟଣା ଆଗରୁ କେବେ ଦେଖିବାକୁ ମିଳିନଥିଲା । ପୁଲିସ ଚଢ଼ଉ ସମୟରେ ସନ୍ତୋଷ, ଜୀବନ ଓ ବିପ୍ରଚରଣଙ୍କୁ ଗିରଫ କରିଥିବାବେଳେ ଆଉ କେତେ ଜଣ ସେଠାରୁ ପଳାଇ ଯାଇଥିବା କୁହାଯାଉଛି । ଚଢ଼ଉରେ ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଆସିକା ଅତିରିକ୍ତ ତହସିଲଦାର ଆଶୁତୋଷ ସୌରଭ କରଙ୍କ ସମେତ ଗୋଟିଏ ପ୍ଲାଟୁନ୍ ଫୋର୍ସ ସାମିଲ ହୋଇଥିଲେ ।
ନଳବଣ୍ଟାରେ ବର୍ଷ ତମାମ ବାଣ ପ୍ରସ୍ତୁତି କରାଯାଇ ବାହାର ଜିଲ୍ଲାକୁ ଚାଲାଣ ହେଉଛି । ବିଶେଷ କରି ଦୀପାବଳି ଆସିଲେ ଅଧିକ ପ୍ରସ୍ତୁତି କରାଯାଇଥାଏ । ପ୍ରତ୍ୟେକ ବର୍ଷ ଏଭଳି ଚଢ଼ଉ କରାଯାଉଥିଲେ ମଧ୍ୟ ଆଜି ବିପୁଳ ପରିମାଣର ଜବତ କରାଯାଇଥିବା ବାଣ ରେକର୍ଡ ବୋଲି କୁହାଯାଉଛି ।
Comments are closed, but trackbacks and pingbacks are open.