ନଷ୍ଟ ହେଲାଣି ୨୦ ଲକ୍ଷ ଟଙ୍କାର ପରିବା

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ସିରିଝୋଲି ପଞ୍ଚାୟତର କରୋନା ହଟସ୍ପଟ୍ ପାଲଟିଥିବା ବିଜୟପୁର ଗାଁ ଏବେ କରୋନାମୁକ୍ତ । ଗାଁର ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତଥାପି ଗାଁରୁ ହଟୁନି କଣ୍ଟେନମେଣ୍ଟ । ପରିବା ଚାଷ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକେ ଏବେ ଜୀବନ-ମରଣର ଦୋ ଛକିରେ । ଗତ ୨ ମାସ ଭିତରେ ପ୍ରାୟ ୨୦ ଲକ୍ଷ ଟଙ୍କାର ପରିବା ନଷ୍ଟ ହୋଇଗଲାଣି । କରୋନ ବିପତ୍ତି ସେମାନଙ୍କୁ ବିପନ୍ନ କରିପକାଇଛି । ରୋଗ ଭଲ ହେବା ପରେ ବି ବ୍ୟାରିକେଡ୍ ହଟାଯାଉନଥିବାରୁ ବିକ୍ରି କରିପାରୁ ନାହାନ୍ତି ପରିବା । ଗାଁକୁ କୌଣସି ବେପାରୀ ଭୟରେ ଆସୁ ନାହାନ୍ତି । ଫଳରେ ନଷ୍ଟ ହେବା ବଦଳରେ ଏବେ ଗୋରୁ ମୁହଁରେ ତଟକା ପରିବା ଢାଳୁଛନ୍ତି ଗ୍ରାମବାସୀ ।
ଜୁନ ୧୯ ତାରିଖରେ ପ୍ରଥମ କରି ବିଜୟପୁର ଗାଁରେ ଗୋଟିଏ ପରିବାରର ତିନିଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ପରେ ୪ଟି ପର୍ଯ୍ୟାୟରେ ମୋଟ ୯୬ ଜଣ ଆକ୍ରାନ୍ତ ହେଲେ । ଚିକିତ୍ସିତ ହେବାପ ରେ ପର୍ଯ୍ୟାୟକ୍ରମେ ସମସ୍ତେ ଘରକୁ ଫେରିଛନ୍ତି । ଗତ ୧୩ ତାରିଖରେ ଶେଷ ପର୍ଯ୍ୟାୟରେ ୨୧ ଜଣ ସୁସ୍ଥ ହୋଇ ଗାଁକୁ ଫେରିଥିଲେ । ଏ ଭିତରେ ୧୫ ଦିନ ବିତିଗଲାଣି । ନୂଆକରି ଆଉ କେହିହେଲେ ଏହି ଗାଁରୁ ଆକ୍ରାନ୍ତ ହୋଇ ନାହାନ୍ତି । ଏହି ଗାଁ ଲିଙ୍କ୍ରେ ଆସି ଆକ୍ରାନ୍ତ ହୋଇଥିବା ସିରିଝୋଲି ପଞ୍ଚାୟତ ଆମ୍ବଗୁଡା, ସିରିଝୋଲି, ସିନ୍ତାଲୁଗୁଡା, ରେଙ୍ଗେଳାପଦର ଗାଁର ସମସ୍ତ ଆକ୍ରାନ୍ତ ସୁସ୍ଥହୋଇ ଫେରିଛନ୍ତି । ହେଲେ ବିଜୟପୁର ଗାଁରେ ଲଗାଯାଇଥିବା ବ୍ୟାରିକେଡ୍ ଉଠାଯାଉନି । ଲୋକଙ୍କ ଜୀବନଜୀବିକା ଦୁର୍ବିସହ ହୋଇପଡିଲାଣି । ମିଳିଥିବା ସୂଚନା ଅନୁଯାୟୀ, ବିଜୟପୁର ଗାଁ ଲୋକେ ୧୦ ଏକର ଜମିରେ ପୋଟଳ, ୨୦ ଏକର ଜମିରେ ତୁରୁଡ଼ା, ୫ ଏକର ଜମିରେ ଅଲଡି, ୪୦ ଏକର ଜମିରେ ମକା, ୧୦ ଏକର ଜମିରେ ବାଇଗଣ ଏବଂ ୬ ଏକର ଜମିରେ କରିଛନ୍ତି ଭେଣ୍ଡି ଚାଷ । ଦୁଇମାସ ହେଲା କରୋନା ଲାଗି ସେମାନଙ୍କର ପରିବା ବଜାର ଯାଇପାରିନି । ଆକ୍ରାନ୍ତ ହୋଇ ଏତେସଂଖ୍ୟାରେ ଲୋକେ ଚିକିତ୍ସିତ ହେବା ବେଳେ କ୍ଷେତରେ ପରିବା ନଷ୍ଟ ହୋଇଯାଇଥିଲା । ତା ପରେ ଭୟରେ କେହି ସେ ଗାଁରୁ ପରିବା କିଣିଲେନି । ଏ ଭିତରେ ୨୦ ଲକ୍ଷରୁ ଅଧିକ ଟଙ୍କାର ପରିବା ନଷ୍ଟ ହୋଇଥିବା ଗାଁର କୃଷ୍ଣପ୍ରସାଦ ଚୌଧୁରୀ, ବଦ୍ରିନାଥ ଚୌଧୁରୀ, ସ୍ୱର୍ଣ କଣ୍ଡାଗରି, ଗଣପତି ବେହେରା ପ୍ରମୁଖ କହିଛନ୍ତି । ଏବେ ବସ୍ତା ବସ୍ତା କୁନ୍ଦୁରୁ ତୋଳି ଗାଈ ମୁହଁରେ ଢାଳୁଛନ୍ତି ।
ଏ ସମ୍ପର୍କରେ ଆମେ ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ଗାଁରୁ ଆରମ୍ଭ ହୋଇ ଉକ୍ତ ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଖୁବଶୀଘ୍ର କଣ୍ଟେନମେଣ୍ଟ ଉଠିଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons