ରାୟଗଡ଼ା,(ବି.ବି.ନୁ୍ୟଜ୍): ପଥପାଶ୍ୱର୍ ବକ୍ଷରୋପଣ ନାଁରେ ହୋଇଛି ବ୍ୟାପକ ଦୁର୍ନୀତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି, ହେଲେ ଗଛର ନାଁଗନ୍ଧ ନାହିଁ । ମନରେଗାରେ ଏଥିପାଇଁ ବ୍ୟାପକ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଏମିତିକି ହିତାଧିକାରୀଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇ ବିଭାଗୀୟ ବାବୁମାନେ ଆର୍ଥିକ ଅନିୟମିତତା କରିଛନ୍ତି । ରାୟଗଡ଼ା ବନାଞ୍ଚଳରେ ଏଭଳି ଅନିୟମିତତା ଏବେ ନଜରକୁ ଆସିଛି । ରାୟଗଡ଼ା ବନାଞ୍ଚଳ ଗୁମ୍ମା ଫରେଷ୍ଟର ଅଧୀନରେ ଥିବା ଲାକୁବାଡ଼ି ଗ୍ରାମର ୨ ମନରେଗା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ପରେ ଏହାର ଗୁମର ଫିଟିଛି ।
ଲାକୁବାଡ଼ି ଗ୍ରାମର ବୁଦୁରି ହୁଇକା ଓ ପଲେବି ମାଣ୍ଡାଙ୍ଗିଙ୍କଠାରୁ ବନ ଅଧିକାରୀମାନେ ଟଙ୍କା ନେଇଯାଇଛନ୍ତି । ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଥିବା ଭଳି ହିତାଧିକାରୀଙ୍କ ଜାଲ୍ ତଥ୍ୟ ଅନଲାଇନରେ ଦର୍ଶାଯାଇଥିଲା । ସେମାନଙ୍କ ମଧ୍ୟରେ ରହିଥିଲେ ବୁଦୁରି ଓ ପଲେବି । ଉଭୟଙ୍କ ରାୟଗଡ଼ାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଆକାଉଣ୍ଟରେ ସିଧାସଳଖ ମନରେଗା ମଜୁରୀ ଟଙ୍କା ଆସିଥିଲା । କିନ୍ତୁ ସେମାନେ କୌଣସି ମନରେଗା କାମରେ ନିୟୋଜିତ ହୋଇନଥିବା କହିଛନ୍ତି । ବନ ବିଭାଗର ଚଞ୍ଚକତା ଯୋଗୁ ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା । ବୁଦୁରିଙ୍କ ଆକାଉଣ୍ଟକୁ ୨୦-୧୮ ମେ ୩୦ ତାରିଖରେ ୫୫୫୧ ଟଙ୍କା, ୧୨-୦୭-୧୮ରେ ୪୪୮୬ ଟଙ୍କା, ୦୬-୧୧-୧୮ରେ ୫୮୩୧ ଟଙ୍କା ଏବଂ ୨-୦୮-୧୯ ରେ ୭୧୮୫ ଟଙ୍କା ଆସିଥିଲା । ବ୍ୟାଙ୍କ ଆକାଉଣ୍ଟରେ ଆସିଥିବା ଟଙ୍କା ଉଠାଇ ପ୍ରଦାନ କରିବାକୁ ତାଙ୍କୁ କହିଥିଲେ ଗୁମ୍ମା ଫରେଷ୍ଟର । ଏହାପରେ ସେ ସମସ୍ତ ଟଙ୍କା ଉଠାଇ ପ୍ରଦାନ କରିଥିଲେ । ୨୦୧୮ ମସିହାରେ ୩ଟି ପର୍ଯ୍ୟାୟ ଟଙ୍କା ବାବଦରେ ପ୍ରତ୍ୟେକଥର ତାଙ୍କୁ ୨୦୦ ଟଙ୍କା ଲେଖାଏଁ ଏବଂ ୨୦୧୯ରେ ଆସିଥିବା ମଜୁରୀ ଟଙ୍କା ବାବଦରେ ୩୦୦ ଟଙ୍କା ଦିଆଯାଇ ବଳକା ଅର୍ଥ ନେଇଯାଇଥିଲେ ବିଭାଗୀୟ ବାବୁ ।
ବୁଦୁରିଙ୍କ ଭଳି ସମାନ ଘଟଣା ଘଟିଛି ପଲେବିଙ୍କ କ୍ଷେତ୍ରରେ । ୩୦-୦୫-୨୦୧୮ରେ ୫୫୫୧ ଟଙ୍କା, ୯-୦୮-୧୮ରେ ୪୪୮୬ ଟଙ୍କା, ୧୯-୦୨-୧୯ରେ ୧୩୪୦ ଟଙ୍କା ଏବଂ ୩୦-୦୪-୧୯ରେ ୬୭୨୦ ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହୋଇଥିଲା । ଟଙ୍କା ଆସିବା ପରେ ଗୁମ୍ମା ଫରେଷ୍ଟର ତାଙ୍କ ପାଖରେ କୁଆଡେ ପହଞ୍ଚିଥିଲେ । ସାଥୀରେ ରାୟଗଡ଼ା ନେଇ ଉକ୍ତ ଟଙ୍କା ଉଠାଇଥିଲେ । ୨୦୧୮ ମସିହାର ଦୁଇଥର ୨୦୦ ଟଙ୍କା ଲେଖାଏଁ, ୨୦୧୯ରେ ଗୋଟିଏ ଥର ୧୫୦ ଏବଂ ଶେଷଥର ମାତ୍ର ୩୦୦ ଟଙ୍କା ପ୍ରଦାନ କରି ବଳକା ଅର୍ଥ ନେଇଯାଇଥିଲେ । ଯାହା ମିଥ୍ୟାବିଲ୍ ଜରିଆରେ ଅର୍ଥ ହଡ଼ପ କରାଯାଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । କେବଳ ଏହି ଦୁଇଜଣ ନୁହନ୍ତି, ଗୁମ୍ମା, ଲାକୁବାଡ଼ି, ଖମ୍ବେସୀ ଓ ତଳଗୁମ୍ମା ଇତ୍ୟାଦି ଗ୍ରାମର ଅନେକ ହିତାଧିକାରୀଙ୍କଠାରୁ ଚଞ୍ଚକତା କରାଯାଇ ଏଭଳି ଟଙ୍କା ଆଦାୟ କରାଯାଇଛି ।
ଅନୁସନ୍ଧାନରୁ ଜଣାପଡ଼ିଛି, ୨୦୧୮-୧୯ ଆର୍ଥିକ ବର୍ଷରେ ରାୟଗଡ଼ା ବନାଞ୍ଚଳ ଅନ୍ତର୍ଗତ ଖମ୍ବେସୀଠାରୁ ବଟାଖାଲ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ବନୀକରଣ କରାଯାଇଥିବା ଦର୍ଶାଯାଇଛି । ଏହି ୫ କିଲୋମିଟର ରାସ୍ତାରେ ୨୫୦୦ ଗଛ ଲଗାଯାଇଥିବା ଏବଂ ଏ ବାବଦରେ ୭ ଲକ୍ଷ ୯୦ ହଜାର ୨୪୩ ଟଙ୍କା ଖର୍ଚ୍ଚ କରାଯାଇଥିବା ଉଲ୍ଲେଖ କରାଯାଇଛି । ସେହିପରି ଫୁଲକଣାଠାରୁ ଟିଟିଝୋଲା ପର୍ଯ୍ୟନ୍ତ ଅଢେ଼ଇ କିଲୋମିଟର ରାସ୍ତାରେ ୧୨୫୦ ଗଛ ଲଗାଯାଇଥିବା ବିଭାଗୀୟ ତଥ୍ୟ ଦର୍ଶାଉଛି । ଏଥିପାଇଁ ୩ ଲକ୍ଷ ୮୪ ହଜାର ୪୬୮ ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ପିଆପାଡ଼ୁରୁ ଦୁରାପାଇ ପର୍ଯ୍ୟନ୍ତ ରାସ୍ତାକଡ଼ରେ ବୃକ୍ଷରୋପଣ କରାଯାଇଥିବା ଦର୍ଶାଯାଇଛି । ୪ କିଲୋମିଟର ରାସ୍ତାରେ ୨ ହଜାର ଗଛ ଲଗାଯାଇଥିବା ବେଳେ ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୮୭ ହଜାର ୪୮୧ ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଯେଉଁ ବୃକ୍ଷରୋପଣ କରାଯାଇଛି, ତାହାର ୪ ବର୍ଷ ପରିଚାଳନା ମଧ୍ୟ ଆରମ୍ଭ ହୋଇଯାଇଛି । ପରିଚାଳନା ବାବଦରେ ଗଛ ପିଛା ଟଙ୍କା ଖର୍ଚ୍ଚ ଆରମ୍ଭ ହୋଇଛି । ଉକ୍ତ ଗଛଗୁଡ଼ିକରେ ସାର ପ୍ରୟୋଗଠାରୁ ଆରମ୍ଭ କରି ଜଳ ସିଞ୍ଚନ, ରକ୍ଷଣାବେକ୍ଷଣ ବାବଦରେ ବ୍ୟାପକ ଅର୍ଥ ଖର୍ଚ୍ଚ ହେଉଛି । ବିଡମ୍ବନା, ଯେତିକି ଚାରା ରୋପଣ କରାଯାଇଥିବା ଦର୍ଶାଯାଇଛି ତାହାର ୧୦ ପ୍ରତିଶତ ଗଛ ବି ନାହିଁ । ଆଉ କାଁ ଭାଁ ଯେଉଁଠି ଗଛ ରହିଛି, ସେସବୁରେ ପୋକ ଲାଗି ମରିବାକୁ ବସିଛି । ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବେଶବିତ୍ ଏବଂ ବୁଦ୍ଧିଜୀବୀ ।
ଗତ ଶନିବାର ଦିନ ରାଜ୍ୟ ସରକାର ରାୟଗଡା ଡିଏଫଓଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ନିଲମ୍ବନ କରିଛନ୍ତି । ତେଣୁ ଏହି ଦୁର୍ନୀତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ମତାମତ ଦେବାକୁ ରାଜି ହୋଇନାହାନ୍ତି । ରାଜ୍ୟ ସରକାର ଯେଉଁଭଳି କାର୍ଯ୍ୟାନୁÂାନ ଡିଏଫଓଙ୍କ ବିରୁଦ୍ଧରେ ନେଲେ, ସେଭଳି ପଦକ୍ଷେପ ଦୁର୍ନୀତିରେ ଜଡ଼ିତ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ନେବାଲାଗି ଜିଲ୍ଲାର ବିଭିନ୍ନ ମହଲରେ ଦାବି ହୋଇଛି ।


Comments are closed, but trackbacks and pingbacks are open.