ଜୟପୁର,(ବି.ବି.ନୁ୍ୟଜ୍): କୋରାପୁଟ ଏବଂ ଜୟପୁରରୁ ଭୁବନେଶ୍ୱର ଏବଂ କଟକ ଚଳାଚଳ କରୁଥିବା ରାତ୍ରିକାଳୀନ ଘରୋଇ ଏକ୍ସପ୍ରେସ୍ ବସ୍ ଉପରେ ଆରମ୍ଭ ହୋଇଛି ପ୍ରଶାସନର ଚଢଉ । ବେଆଇନ ଭାବେ ଚଳାଚଳ କରୁଥିବା ୮ରୁ ଅଧିକ ବସ୍ ଉପରେ ଚଢଉ ହୋଇଥିବା କୋରାପୁଟ ଆରଟିଓ ପ୍ରସନ୍ନ କୁମାର ଦାସ କହିଛନ୍ତି । ଅନ୍ୟପକ୍ଷରେ ଚଢଉର ପ୍ରଭାବ ଆଜି ବିଭିନ୍ନ ବୁକିଂ କାଉଣ୍ଟର ଉପରେ ପଡ଼ିଛି । ୧୦ରୁ ଅଧିକ ବସ୍ ସେମାନଙ୍କ ବୁକିଂ ବାତିଲ କରିଥିବା ଜଣାପଡିଛି ।
ଆରଟିଓ ଶ୍ରୀ ଦାସ କହିଛନ୍ତି, ବିଭାଗୀୟ ନିଦେ୍ର୍ଧଶ ପରେ ମାଲକାନଗିରି, ନବରଙ୍ଗପୁର, ଜୟପୁରରୁ କଟକ ଏବଂ ଭୁବନେଶ୍ୱର ଯିବା ଆସିବା କରୁଥିବା ଘରୋଇ ବସ୍ ଯାଞ୍ଚ କରାଯାଇଥିଲା । ଏଥିଲାଗି ଗଢାଯାଇଥିବା ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ବସ୍ ଅଟକାଇଥିଲେ । ଯାଞ୍ଚ ବେଳେ ଗାଡିଗୁଡିକ ବେଆଇନ ଭାବେ ଚଳାଚଳ କରୁଥିବା ଜଣାପଡିଥିଲା । ନିୟମ ଉଲ୍ଲଂଘନ ଅଭିଯୋଗରେ ୮ରୁ ୧୦ଟି ବସ୍ରୁ ଜରିମାନା ଆଦାୟ କରାଯାଇଥିଲା । କେବଳ କୋରାପୁଟ ଜିଲ୍ଲାରେ ନୁହେଁ, କଟକ ଏବଂ ଭୁବନେଶ୍ୱରରେ ବି ଯାଞ୍ଚ କରାଯିବ । ବସ୍ଗୁଡିକ ଯେଉଁ ରୁଟ୍ରେ ଯିବ, ସେଠାକାର ଜିଲ୍ଲା ଅଧିକାରୀମାନେ ଦରକାର ପଡିଲେ ଯାଞ୍ଚ କରିବେ ବୋଲି ସେ କହିଛନ୍ତି । ତେବେ କେଉଁ କେଉଁ ବସ୍ ଯାଞ୍ଚ ପରିସରକୁ ଆସିଥିଲା, କେତେ ଟଙ୍କା ଜରିମାନା ଆଦାୟ ହେଲା ଏବଂ କେଉଁ କେଉଁ ନିୟମ ଖିଲାପ କରାଯାଇଛି ସେ ସମ୍ପର୍କରେ ଶ୍ରୀ ଦାସ କିଛି କହିବାକୁ ମନା କରିଦେଇଛନ୍ତି ।
ଏଠାରୁ ଯିବାଆସିବା କରୁଥିବା ବସ୍ ଉପରେ ଚଢଉ ଆରମ୍ଭ ପରେ ବୁକିଂ ଉପରେ ଏହାର ପ୍ରଭାବ ପଡିଛି । ଅଧିକାଂଶ ବସ୍ କର୍ମଚାରୀ ଗାଡି ଗନ୍ତବ୍ୟସ୍ଥଳକୁ ନେବେ କି ନାହିଁ, ଚିନ୍ତାରେ ଅଛନ୍ତି । ଜୟପୁର ଭାୟା ରାୟଗଡା ଏବଂ ଭବାନୀପାଟଣା ଦେଇ ଯିବା ଆସିବା କରୁଥିବା ୧୦ରୁ ଅଧିକ ବସ୍ର ବୁକିଂ ବନ୍ଦ ରହିଛି । ଯେଉଁ ବସ୍ର ରୁଟ୍ ପରମିଟ୍ ସହ ସମସ୍ତ କାଗଜପତ୍ର ଠିକ୍ ଅଛି, ସେ ସବୁ ବସ୍ ଚାଲିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । କେଉଁ କେଉଁ ବସ୍ର ବୁକିଂ ବନ୍ଦ କରାଯାଇଛି ସେ ସମ୍ପର୍କରେ କର୍ମଚାରୀମାନେ କିଛି କହିବାକୁ ମନା କରିଦେଇଛନ୍ତି ।
ସୂଚନାଥାଉକି, ପରମିଟ୍, ଫିଟନେସ ସାର୍ଟିଫିକେଟ୍ ସହ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ନଥିବାରୁ କୋରାପୁଟ ଜିଲ୍ଲାର ଏକ ଘରୋଇ ନାଇଟ୍ ଏକ୍ସପ୍ରେସ ବସ୍ରେ ଚଢଉ କରାଯାଇଥିଲା । ଭୁବନେଶ୍ୱର ଆରଟିଓ ଜରିମାନା ବାବଦରେ ୫ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଥିଲେ । ଏହାପରେ ଗତ ୨୨ ତାରିଖରେ ରାଜ୍ୟ ପରିବହନ କମିଶନର ତଥା ଚେୟାରମ୍ୟାନ୍ଙ୍କ କାର୍ଯ୍ୟାଳୟରୁ ଏକ ଚିଠି ଆସିଥିଲା । ଯେଉଁଥିରେ ଉଲ୍ଲେଖ ରହିଛି, କଟକ-ଭୁବନେଶ୍ୱରରୁ କୋରାପୁଟ ଏବଂ ଜୟପୁରକୁ ବେଆଇନଭାବେ କେତେକ ବସ୍ ଯିବା ଆସିବା କରୁଛି । ବସ୍ ଗୁଡିକ ବିନା ଇନସୁ୍ୟରାନ୍ସ ଏବଂ ପରମିଟ୍ରେ ନିୟମିତ ଚଳାଚଳ କରୁଛି । ଯାହା ବେଆଇନ୍ । ତେଣୁ ଏଭଳି ବେଆଇନ କାମ ବନ୍ଦ କରିବାକୁ ଚଢଉ କରି ୭ ଦିନ ଭିତରେ ରିପୋର୍ଟ ଦେବାକୁ କଟକ, ଭୁବନେଶ୍ୱର-୧, ଭୁବନେଶ୍ୱର-୨ ଏବଂ କୋରାପୁଟ ଆରଟିଓଙ୍କୁ ନିଦେ୍ର୍ଧଶ ରହିଛି ।


Comments are closed, but trackbacks and pingbacks are open.