କଟକ,(ବି.ବି.ବ୍ୟୁରୋ): ତିନି ତିନି ଜଣଙ୍କୁ ତଣ୍ଟି କାଟି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ‘ନାଇଫ୍ ମ୍ୟାନ୍’ ନାରାୟଣ ସାହୁକୁ ତିନି ଦିନ ହେଲା ମାରାଥନ୍ ଜେରା କରୁଛି କମିସନରେଟ୍ ପୁଲିସ । ଓଡ଼ଗାଁ ଅଞ୍ଚଳରୁ ତାକୁ ଉଠାଇଆଣି କଟକ ପୁଲିସ ସୋମବାର ସକାଳୁ ପଚରାଉଚରା ଚଳାଇଛି । ଜେରାରେ ଅଭିଯୁକ୍ତଠାରୁ ପୁଲିସ୍ ହତ୍ୟାକାଣ୍ଡ ସମ୍ପର୍କରେ ଅନେକ ତଥ୍ୟ, ପ୍ରମାଣ ଯୋଗାଡ଼ କଲାଣି । କେସ୍କୁ ମଜଭୁତ କରିବା ପାଇଁ ଆଉ କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ୍ ଉଦ୍ୟମ ଚଳାଇଛି । ସେହିକ୍ରମରେ ଅଭିଯୁକ୍ତ ନାରାୟଣ ପାଖରୁ ମିଳିଥିବା ତାର ଗାମୁଛା ଏବଂ ଅନ୍ୟାନ୍ୟ ବସ୍ତ୍ରର ସାଇଣ୍ଟିଫିକ୍ ପରୀକ୍ଷା ଲାଗି ପୁଲିସ୍ ସେଗୁଡ଼ିକୁ ରସୁଲଗଡ଼ସ୍ଥିତ ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବ୍କୁ ପଠାଇବ ବୋଲି ସୂଚନା ମିଳିଛି । ଏଣେ ନାରାୟଣ ଷ୍ଟେସନ୍ ଆଖପାଖରେ ଅଧିକାଂଶ ସମୟ ବୁଲୁଥିବାରୁ ଉକ୍ତ ଅଞ୍ଚଳରେ ତାର ଆଉ କିଛି ଅପରାଧିକ କାର୍ଯ୍ୟକଳାପ ଥାଇପାରେ ବୋଲି ଅନୁମାନ କରି ତଦନ୍ତକାରୀ ଟିମ୍ ରେଳବାଇ ଥାନା ପୁଲିସ୍ର ସହାୟତା ମଧ୍ୟ ନେଇଛି । କାରଣ ନାରାୟଣ ପାଖରୁ ଅନେକଗୁଡ଼ିଏ ଭ୍ୟାନିଟି ବ୍ୟାଗ୍ ଓ ପର୍ସ ମିଳିଛି । ଏସବୁ ଷ୍ଟେସନ ଅଞ୍ଚଳରୁ ସେ ଲୁଟିଥାଇପାରେ ବୋଲି ପୁଲିସ ଆଶଙ୍କା କରୁଛି ।
ବୁଧବାର ତୃତୀୟ ଦିନ ଜେରାରେ ନାରାୟଣ ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସ୍ ଆଗରେ ଅନେକ ଗୁମର ଖୋଲିଛି । ଜେରା ସମୟରେ ନାରାୟଣ ଦେଉଥିବା ବୟାନରେ କେତେ ସତ୍ୟାସତ୍ୟ ରହିଛି, ତାକୁ ମଧ୍ୟ ପୁଲିସ୍ର ଏକ ଟିମ୍ ଅନୁଧ୍ୟାନ କରୁଛି । ପ୍ରଥମ ଦୁଇ ଦିନ ଜେରାରେ ନାରାୟଣ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ଦେଇନଥିଲେ ମଧ୍ୟ ତୃତୀୟ ଦିନରେ ବହୁତ କିଛି କଥା କହିଛି । କେବେ ସେ କଟକ ସହର ଆସିଥିଲା, କଟକରେ ଆସି ସେ କେଉଁଠି ଆଶ୍ରୟ ନେଉଥିଲା, ଦିନ ବେଳା କ’ଣ କାମ କରୁଥିଲା, ରାତିରେ ତାର ଗତିବିଧି କେମିତି ଥିଲା ସେ ସମ୍ପର୍କରେ ନାରାୟଣ ଅନେକ କିଛି ତଥ୍ୟ ଦେଇଛି । ସେହିପରି ହତ୍ୟାକାଣ୍ଡର ତରିକା ସମ୍ପର୍କରେ ମଧ୍ୟ ସେ ପୁଲିସ୍କୁ ଅନେକ ତଥ୍ୟ ଦେଇଛି । ଗିରଫଦାରିକୁ ଏଡ଼ାଇବା ପାଇଁ ସହରରୁ ଖସି ଗାଁ ଅଭିମୁଖେ ପଳାଇଥିଲା ବୋଲି ସ୍ୱୀକାର କରିଛି । ଅନ୍ୟପକ୍ଷରେ ନାରାୟଣକୁ ଜେରା ସମୟରେ ପୁଲିସ୍ ମନସ୍ତତ୍ତ୍ୱବିତ୍ଙ୍କ ସହାୟତା ମଧ୍ୟ ନେଉଛି । ଆବଶ୍ୟକ ପଡ଼ିଲେ ପୁଲିସ୍ କୋର୍ଟଙ୍କ ଅନୁମତି ନେଇ ନାରାୟଣର ପଲିଗ୍ରାଫ୍ ଟେଷ୍ଟ ବା ମିଛଧରା ପରୀକ୍ଷା କରାଇବାର ଯୋଜନା ରଖିଥିବା ଜଣେ ଅଧିକାରୀ କହିଛନ୍ତି । ସେହିପରି ନାରାୟଣ ରହୁଥିବା ଜାଗାରୁ ମିଳିଥିବା ବ୍ୟାଗ୍ ଓ ପର୍ସକୁ ସେ ଷ୍ଟେସନ୍ ଇଲାକାରୁ ଛିନ୍ତାଇ କରିଥାଇପାରେ ବୋଲି ପୁଲିସ୍ ଅନୁମାନ କରୁଛି । ଚାଉଳିଆଗଞ୍ଜ ଥାନା ପାଖରେ ଜରିପାଲ ଟାଣି ରହୁଥିବା ନାରାୟଣର ଘରୁ ଠାକୁର ଫଟୋ ଏବଂ ବହୁ ପୂଜା ସାମଗ୍ରୀ ମଧ୍ୟ ମିଳିଥିବା ସୂଚନା ମିଳିଛି । ଏହି ଜରିପାଲ ଘର ଭିତରେ ନାରାୟଣ ଅଧିକାଂଶ ସମୟରେ ପୂଜାର୍ଚ୍ଚନା କରୁଥିଲା ବୋଲି କିଛି ସ୍ଥାନୀୟ ଲୋକେ କହିଛନ୍ତି । ତେଣୁ ପୁଲିସ ପୂଜାପାଠ, ତନ୍ତ୍ରମନ୍ତ୍ର ଦିଗକୁ ମଧ୍ୟ ତଦନ୍ତ କରୁଛି । ଆସନ୍ତକାଲି ହୁଏତ ନାରାୟଣକୁ କୋର୍ଟଚାଲାଣ କରାଯାଇପାରେ ବୋଲି ସୂଚନା ମିଳିଛି ।
Comments are closed, but trackbacks and pingbacks are open.