ନାଉଗାଁରେ ପଞ୍ଚମ ଆକ୍ରାନ୍ତ:କୋଲକାତା ଲିଙ୍କ୍

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ନାଉଗାଁ ବ୍ଲକରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ପୁରୁଷ ଓ ତାଙ୍କ ବୟସ ୭୦ ବର୍ଷ । ସେ କୋଲକତାରୁ ଫେରି ଥିବା ଜଣାପଡ଼ିଛି । ଗତ ୫ ତାରିଖରେ ୮ ଜଣ ପ୍ରବାସୀ କୋଲକାତାରୁ ନାଉଗାଁକୁ ଫେରିଥିଲେ । ତେବେ ସ୍ୱାବ୍ ସଂଗ୍ରହ ହୋଇ ନଥିବାରୁ ଏମାନଙ୍କୁ ଜଗତସିଂହପୁର ସ୍ଥିତ ସରଳା ଦେବୀ କଲ୍ୟାଣ ମଣ୍ଡପକୁ ଫେରାଇ ଅଣାଯାଇଥିଲା । ସ୍ୱାବ୍ ସଂଗ୍ରହ ପରେ ଏମାନଙ୍କୁ ନାଉଗାଁ ଗଙ୍ଗଦା ସ୍ଥିତ ମଉଳା ଭଣଜା ମହାବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗାଁକୁ ଯିବା ପରିବର୍ତ୍ତେ ସମସ୍ତ କୋଲକାତା ଫେରନ୍ତାଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯିବା ଦ୍ୱାରା କରୋନା ସଂକ୍ରମଣ ହାରରେ ବୃଦ୍ଧି ହୋଇନଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତଥାପି ଉକ୍ତ କେନ୍ଦ୍ରକୁ କେହି ନ ଯିବା ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜନସାଧାରଣଙ୍କୁ ପରାମର୍ଶ ଦେବା ସହ ଅଞ୍ଚଳବାସୀ ଅଧିକ ଭୟଭୀତ ନ ହେବାକୁ କହିଛନ୍ତି ।
ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଏହି ଆକ୍ରାନ୍ତ ବୃଦ୍ଧ ଜଣକ କୋଲକାତାରୁ ଗତ ୫ ତାରିଖ ଦିନ ଫେରିଥିଲେ । ମୋଟ୍ ଉପରେ ସେଦିନ ୮ ଜଣ ନାଉଗାଁ ଆସିଥିଲେ । ତେବେ ଏମାନଙ୍କ ଭିତରୁ ସଂପୃକ୍ତ ବୟସ୍କ ଲୋକ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ତେବେ ନାଉଗାଁ ଅଞ୍ଚଳର ପୂର୍ବ ଚାରି ଜଣ କରୋନା ଆକ୍ରାନ୍ତଙ୍କ ପରି ଏହି ବ୍ୟକ୍ତିଙ୍କ ଶରୀରରେ କୌଣସି ପ୍ରକାର କରୋନା ଲକ୍ଷଣ ନ ଥିଲା । ଏହାଛଡ଼ା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତେଣୁ ନାଉଗାଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବ ନାହିଁ । ଆଜି ପଞ୍ଚମ ଆକ୍ରାନ୍ତଙ୍କୁ କିମ୍ସ ହସ୍ପିଟାଲକୁ ପଠାଯିବାର ବ୍ୟବସ୍ଥା ହୋଇ ସାରିଥିବା ଜିଲ୍ଲାପାଳ କହିଛନ୍ତି ।
ଅପରପକ୍ଷରେ କ୍ୱାରେଣ୍ଟାଇନ ଗୃହରୁ ମିଳିଥିବା ସୂଚନା ମୁତାବକ, ଗୋଟିଏ ଗାଡ଼ିରେ ମୋଟ୍ ୯ ଜଣ କୋଲକାତାରୁ ଫେରିଥିଲେ । ଏମାନଙ୍କ ଭିତରେ ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି । ସ୍ୱାବ୍ ସଂଗ୍ରହ ପରେ ସମସ୍ତ କୋଲକାତା ଫେରନ୍ତାଙ୍କୁ ନାଉଗାଁ ବ୍ଲକ ଡେରିକି ସ୍ଥିତ ମଉଳା ଭଣଜା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା । ଯାହା କୁହାଯାଉଛି, ଉକ୍ତ ଦିନ ଏହି କେନ୍ଦ୍ରରେ ଅନ୍ୟ ଜଣେ ଗୁଜରାଟ ଫେରନ୍ତାଙ୍କୁ ଭର୍ତ୍ତି କରାଯାଇଛି । ଏହାବାଦ୍ ସମସ୍ତେ ଗୋଟିଏ ହଲ୍ରେ ରହିଥିଲେ । ଏଣେ ଜିଲ୍ଲାପାଳ ଯେଉଁମାନଙ୍କ ନେଗେଟିଭ୍ ଆସିଛି ପାଞ୍ଚ ଦିନ ପରେ ସେମାନଙ୍କର ଆଉ ଥରେ ପରୀକ୍ଷା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଗତ ତିନି ତାରିଖ ପୂର୍ବରୁ ଜିଲ୍ଲା କରୋନା ମୁକ୍ତ ରହିଥିଲା । ମାତ୍ର ଏହା ପରଠାରୁ ପ୍ରବାସୀଙ୍କ ପ୍ରବେଶ ପରେ ଜିଲ୍ଲାରେ କରୋନା ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି । ତଥାପି କରୋନା ମୁକାବିଲା ଦିଗରେ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । କରୋନା ଆକ୍ରାନ୍ତ ରହିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଇବା ପିଇବାର ସବୁ ସୁବିଧା ରହିଛି । ବିଡିଓମାନଙ୍କୁ ପ୍ରତ୍ୟକ୍ଷ ଭାବେ ସବୁ ବୁଝାସୁଝା କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ତତ୍ସହିତ ପାରାଦୀପରେ କୋଭିଡ଼୍-୧୯ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି । ତେବେ ଅଧିକ ଭେଣ୍ଟିଲେଟର ଆବଶ୍ୟକ ପଡ଼ିବାର ଆଶଙ୍କା ରହୁଥିବାରୁ ଏବେ ଯାଏ ସମସ୍ତ ଆକ୍ରାନ୍ତଙ୍କୁ କିମ୍ସ ପଠାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନାଥାଉ କି, ଏହା ପୂର୍ବରୁ ନାଉଗାଁର ଜାମୁଗାଁ ଓ ତିରୁଣା ପଞ୍ଚାୟତ ଅଞ୍ଚଳରୁ ଚାରି ଜଣ ସୁରଟ୍ ଫେରନ୍ତା କରୋନା ପଜିଟିଭ୍ ଗତକାଲି ଚିହ୍ନଟ ହୋଇଥିଲେ । ଏବେ କୋଲକାତା ଫେରନ୍ତା ବୟସ୍କ ବ୍ୟକ୍ତି ସେଇ ବ୍ଲକରୁ ଚିହ୍ନଟ ହେବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଏବେ ପୁଲିସ ପକ୍ଷରୁ ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଲ୍ କରାଯାଇଛି । ଯେହେତୁ ଅଧିକ କୋଲକାତା ଓ ସୁରଟ୍ ଫେରନ୍ତାଙ୍କ ସ୍ୱାବ୍ ପରୀକ୍ଷା ରିପୋର୍ଟ ଆସି ନାହିଁ, ସେଦୃଷ୍ଟିରୁ ନାଉଗାଁ ବ୍ଲକରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଏବେ ୧୮୦ ପ୍ରବାସୀଙ୍କ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ୭୬ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଅଦ୍ୟାବଧି ଆହୁରି ଅବଶିଷ୍ଟ ଲୋକଙ୍କ ସ୍ୱାବ୍ ରିପୋର୍ଟ ଆସିନଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏବେ ପୁଲିସ ପକ୍ଷରୁ ସଂପୃକ୍ତ ବୟସ୍କ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ପାଞ୍ଚ ତାରିଖ ଠାରୁ ଆଜି ତାରିଖ ଭିତରେ ସେ କାହା ସହ ବେଶି ମିଶିଛନ୍ତି, ରାସ୍ତାରେ ଆସିବା ବାଟରେ କେଉଁଠି ଓହ୍ଲାଇ କାହା ସଂସ୍ପର୍ଶରେ ଆସିଛନ୍ତି ଓ କେଉଁ ଗାଡ଼ିରେ ଏମାନେ ଆସିଥିଲେ ଏବଂ ଏହାର ଚାଳକ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଛନ୍ତି ନା ନାହିଁ ସେସବୁ ଯାଞ୍ଚ୍ କରାଯାଉଛି ।
ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଙ୍ଗେଶ୍ୱରପଡ଼ା, ଓଷକଣା ଏବଂ ଡେରିକିକୁ ସେଦିନ ୧୭ଜଣ ଆସିିଥିଲେ । ଏମାନେ କୋଲକାତାରୁ ଗାଡ଼ି ଭଡ଼ା କରି ସିଧାସଳଖ ନାଉଗାଁକୁ ଆସିଥିଲେ । ପ୍ରଶାସନ ଏହା ଜାଣିବା ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ୱାବ୍ ସଂଗ୍ରହ କରିବାକୁ ନିଆଯାଇଥିଲା । ତେବେ ଏମାନେ ନାଉଗାଁରେ ଓହ୍ଲାଇବା ପରେ କାହା ସହିତ ମିଶିଥିଲେ ସେ ସଂପର୍କରେ ପ୍ରଶାସନ ପକ୍ଷରୁ ଏବେ ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons